୩୦ରେ ରାମ ମନ୍ଦିର ପାଇଁ ହୋଇପାରେ ଭୂମିପୂଜନ


ଅଯୋଧ୍ୟା, ୧୯/୩  : ଆସନ୍ତା ମାର୍ଚ୍ଚ ୩୦ ତାରିଖରେ ଅଯୋଧ୍ୟାରେ କୋଟି କୋଟି ହିନ୍ଦୁଙ୍କ ପରମ ଆରାଧ୍ୟ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜନ ସମାରୋହ ଅନୁଷ୍ଠିତ ହେବ ବୋଲି ଶ୍ରୀରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସୂତ୍ରରୁ ପ୍ରକାଶ । ଏହିଦିନ ଦେଶର ସମସ୍ତ ନଦୀରୁ ଜଳ ସଂଗୃହିତ ହୋଇ ଆସିଥିବା ପବିତ୍ର ଜଳକୁ ଏହି ଭୂମି ପୂଜନ କାର୍ଯ୍ୟରେ ଲଗାଯିବ ଏବଂ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ । ତେବେ ଏଥିପୂର୍ବରୁ ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ରାମଲାଲାଙ୍କୁ ଅଯୋଧ୍ୟା ଜମିର ପରିସରରେ ଥିବା ଏକ ପେଣ୍ଡାଲ ଉପରେ ନିର୍ମିତ ଅସ୍ଥାୟୀ ମନ୍ଦିରକୁ ସ୍ଥାନାନ୍ତରିତ କରାଯିବ ବୋଲି ଶ୍ରୀରାଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ଅସ୍ଥାୟୀ ମନ୍ଦିରକୁ କୋଲକତାରେ ନିର୍ମାଣ କରାଯାଇଥିଲାବେଳେ ଏହାର ଲମ୍ବ ୨୪ ଫୁଟ୍ ଓ ପ୍ରସ୍ଥ ୧୫ ଫୁଟ୍ ଅଟେ । ଏଥିସହିତ ଏହାକୁ ସମ୍ପୂର୍ଣ୍ଣ ରୂପେ ବୁଲେଟ୍ ପ୍ରୁଫ୍ କାଚ ଦ୍ୱାରା ପରିବେଷ୍ଟିତ କରାଯାଇଛି । ଏହି ଅସ୍ଥାୟୀ ମନ୍ଦିରରେ ରାମଲାଲା ତାଙ୍କ ଭାଇ ଓ ମାତା ସୀତାଙ୍କ ସହିତ ବିରାଜମାନ କରିବେ । ଅନ୍ୟପଟେ ଦୀର୍ଘ ୨୮ ବର୍ଷ କାଳ ତମ୍ବୁ ତଳେ ଅତି ଅବ୍ୟବସ୍ଥା ମଧ୍ୟରେ ରହିଥିବା ପ୍ରଭୁ ଶ୍ରୀରାମଲାଲାଙ୍କୁ ଏହି ଅସ୍ଥାୟୀ ମନ୍ଦିରକୁ ସ୍ଥାନାନ୍ତରିତ କରାଯିବା ନେଇ ଶ୍ରୀରାମଜନ୍ମଭୂମି ତୀର୍ଥ ଟ୍ରଷ୍ଟ ପକ୍ଷରୁ ଘୋଷଣା କରାଯିବା ପରେ ଦେଶ ତଥା ଦେଶ ବାହାରେ ଥିବା କୋଟି କୋଟି ରାମଭକ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି । ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ପ୍ରଭୁ ଶ୍ରୀରାମଲାଲାଙ୍କୁ ଅସ୍ଥାୟୀ ମନ୍ଦିରକୁ ସ୍ଥାନାନ୍ତର କରାଯିବା ଏକରକମ ନିଶ୍ଚିତ ହୋଇଥିଲାବେଳେ ମାର୍ଚ୍ଚ ୨୫ରୁ ଅପ୍ରେଲ୍ ୨ ତାରିଖ ପର୍ଯ୍ୟନ୍ତ ଏଠାରେ ପ୍ରଭୁ ଶ୍ରୀରାମଙ୍କ ପବିତ୍ର ରାମନବମୀ ମହୋତ୍ସବ ଅନୁଷ୍ଠିତ ହେବ । ଏହିଦିନ ଶ୍ରଦ୍ଧାଳୁମାନେ ୨୫ ଫୁଟ୍ ଦୂରରୁ ପ୍ରଭୁ ଶ୍ରୀରାମଲାଲାଙ୍କ ଦର୍ଶନ କରିପାରେିବ । ତେବେ ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କ ହିନ୍ଦୁ ପକ୍ଷବାଦୀ ଓ ପ୍ରଭୁ ଶ୍ରୀରାମଙ୍କ ସପକ୍ଷରେ ରାୟ ପ୍ରଦାନ କରିଥିବା ହେତୁ ଦୀର୍ଘ ୫ଶହ ବର୍ଷ ପରେ ରାମ ଜନ୍ମଭୂମି ପରିସରରେ ସାଧାରଣ ଜନତାଙ୍କୁ ପ୍ରବେଶ କରିବାକୁ ଅନୁମତି ମିଳିପାରିବ ବୋଲି ଚର୍ଚ୍ଚା ଜୋର୍ ଧରିଛି ।

Comments