ରାଷ୍ଟ୍ରୀୟ ନବବର୍ଷର ମହତ୍ୱ


ଆମର ସ୍ୱାଭିମାନ ଦୃଷ୍ଟିରୁ ଏହାକୁ ରାଷ୍ଟ୍ରୀୟ ନବବର୍ଷ ଭାବେ ପାଳନ କରି ଏହି ଦିନରେ ପରସ୍ପରକୁ ଅଭିନନ୍ଦନ ଜଣାଇବା ସହ ଦେଶର ଗୈାରବଶାଳୀ ଇତିହାସକୁ ସ୍ମରଣ କରିବାର ଏହା ଏକ ପ୍ରକୃଷ୍ଟ ମୁହୂର୍ତ୍ତ । କଳିଯୁଗ ଅରମ୍ଭ ହେବାର ୩ହଜାର ୪୪ବର୍ଷ ବିତିବା ପରେ ଏହି ଦିନ ପ୍ରତାପୀ ରାଜା ବିକ୍ରମାଦିତ୍ୟ ବିକ୍ରମ ସମ୍ବତ୍ ପ୍ରଚଳନ କରିଥିଲେ । ବିକ୍ରମାଦିତ୍ୟ ଶକ୍ ମାନଙ୍କୁ ପରାଜିତ କରି ଶକାରୀ ଉପାଧି ଧାରଣ କରିଥିଲେ । ସେ ସମଗ୍ର ଭାରତବର୍ଷକୁ ଏକାଠି କରିଥିଲେ ଏବଂ ତାଙ୍କର ଉତ୍ତମ ଶାସନଦ୍ୱାରା ଭାରତରେ ଐକ୍ୟ ନିର୍ମାଣ ହେବା ସହ ନୂତନ ବର୍ଷ ଗଣନାର ପରମ୍ପରା ସୃଷ୍ଟି ହୋଇପାରିଥିଲା । ଦକ୍ଷିଣରେ ଏହାର ଏକ ଶହ ପଞ୍ଚତିରିଶ ବର୍ଷ ପରେ ରାଜା ଶାଳିବାହନ ଶକ୍ ସମ୍ବତ୍ ବା ଶକାବ୍ଦ ପ୍ରଚଳନ କରିଥିଲେ । ପୌରାଣିକ ମତରେ ଏହି ଦିନରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଓ ଧର୍ମରାଜ ଯୁଧିଷ୍ଟିରଙ୍କର ରାଜ୍ୟାଭିଷେକ ହୋଇଥିଲା । ଆଜକୁ ୧୪୪ ବର୍ଷ ତଳେ କୁସଂସ୍କାରରେ ଆଚ୍ଛାଦିତ ଭାରତୀୟ ମାନଙ୍କୁ ଏକ ନୂତନ ଦିଗଦର୍ଶନ ଦେବାପାଇଁ ବେଦ ଉଦ୍ଧାରକ ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଏହି ପବିତ୍ର ଦିନରେ ଆର୍ଯ୍ୟ ସମାଜ ପ୍ରତିଷ୍ଠା କରିଥିଲେ । ଏହି ଦିନ ଜଣେ ଉତ୍ତମ ସଙ୍ଗଠକ, ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ ଓ କ୍ରାନ୍ତିକାରୀ ତଥା ବିଶ୍ୱର ସର୍ବବୃହତ ସ୍ୱେଚ୍ଛାସେବୀ ସଂଗଠନ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ସଂସ୍ଥାପକ ଡ଼ାକ୍ତର କେଶବ ବଳିରାମ ହେଡ଼୍‌ଗେୱାର୍ ଜନ୍ମଗ୍ରହଣ କରିଥିଲେ । ସେହି କାରଣରୁ ଭାରତ ବର୍ଷ ପାଇଁ ଚୈତ୍ର ଶୁକ୍ଳ ପ୍ରତିପଦାର ଐତିହାସିକ ତଥା ପୌରାଣିକ ମହତ୍ତ୍ୱ ସର୍ବଜନ ବିଦିତ । ବୈଦିକ ରୀତି ଅନୁସାରେ ଚୈତ୍ର ମାସ ହିଁ ଭାରତୀୟ ମାନଙ୍କ ବର୍ଷର ଆରମ୍ଭ ମାସ ।

Comments