ପ୍ରସ୍ତାବ -୨ : ଶ୍ରୀରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ - ରାଷ୍ଟ୍ରୀୟ ସ୍ୱାଭିମାନର ପ୍ରତୀକ

ପ୍ରସ୍ତାବ -୨ :
ଶ୍ରୀରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ - ରାଷ୍ଟ୍ରୀୟ ସ୍ୱାଭିମାନର ପ୍ରତୀକ
ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ସ୍ୱୀକାର କରେ ଯେ ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟଙ୍କର ସର୍ବସମ୍ମତି କ୍ରମେ ନିଆଯାଇଥିବା  ନିର୍ଣ୍ଣୟରେ ସଂପୂର୍ଣ୍ଣ ରାଷ୍ଟ୍ରର ଆକାଂକ୍ଷାର ଅନୁରୂପ ଶ୍ରୀରାମ ଜନ୍ମସ୍ଥାନ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣରେ ଥିବା ସମସ୍ତ ବାଧା ଦୂର  ହୋଇ ଯାଇଛି । ରାମ ଜନ୍ମସ୍ଥାନ ସମ୍ବନ୍ଧରେ ନଭେମ୍ବର ୯ ତାରିଖ ୨୦୧୯ରେ ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ ନିର୍ଣ୍ଣୟ ଶୁଣାଇଛନ୍ତି ତାହା ନ୍ୟାୟିକ ଇତିହାସର ଏକ ମହାନତମ ନିର୍ଣ୍ଣୟ । ମାନନୀୟ ନ୍ୟାୟାଧୀଶଗଣ ଶୁଣାଣି ସମୟରେ ଉତ୍ପନ୍ନ  କରାଯାଇଥିବା ଅନେକ ପ୍ରକାରର ବାଧା ବିଘ୍ନ ସତ୍ତ୍ୱେ ଅତୁଳନୀୟ ଧୈର୍ଯ୍ୟ ଏବଂ ବୁଦ୍ଧିମତାର ପରିଚୟ ଦେଇ ଅତ୍ୟନ୍ତ ସନ୍ତୁଳିତ ନିର୍ଣ୍ଣୟ ଦେଇଛନ୍ତି । ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ଏହି ଐତିହାସିକ ନିର୍ଣ୍ଣୟ ଲାଗି ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।
ଶ୍ରୀରାମ ଜନ୍ମସ୍ଥାନ ପକ୍ଷରେ ପ୍ରବୁଦ୍ଧ ଅଧିବକ୍ତାମାନେ ଯେଉଁ ସମର୍ପଣ, ନିଷ୍ଠା ଓ ବିଦ୍ୱତ୍ତା ସହକାରେ ସାକ୍ଷୀ ଓ ଯୁକ୍ତି ଉପସ୍ଥାପନ କରିଥିଲେ, ସେଥିଲାଗି  ସମସ୍ତେ ପ୍ରଶଂସାର ପାତ୍ର । ଖୁସିର ବିଷୟ ଯେ ସମାଜର କୌଣସି ବି ବର୍ଗ ଏହି ନିର୍ଣ୍ଣୟକୁ ନିଜର ଜୟ ବା ପରାଜୟ ଭାବେ ନ ନେଇ ତାକୁ ଦେଶ, ନ୍ୟାୟ ଓ ସମ୍ବିଧାନର ବିଜୟ ଭାବେ ସ୍ୱୀକାର କଲା । ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ଏହି ପରିପକ୍ୱତାପୂର୍ଣ୍ଣ ବ୍ୟବହାର ଲାଗି ସଂପୂର୍ଣ୍ଣ ଦେଶର ନାଗରିକଙ୍କୁ ଅଭିନନ୍ଦନ ଜଣାଉଛି ।
‘ଶ୍ରୀରାମ ଜନ୍ମସ୍ଥାନ ମନ୍ଦିର ସଂଘର୍ଷ’ ବୈଶ୍ୱିକ ଇତିହାସର ଦୀର୍ଘକାଳ ଧରି ଚାଲୁଥିବା ଏକ ସଂଘର୍ଷ । ୧୫୨୮ ମସିହାରୁ ନିରନ୍ତର  ଚାଲୁଥିବା ଏହି ସଂଘର୍ଷରେ ଲକ୍ଷ ଲକ୍ଷ ରାମଭକ୍ତ ପ୍ରାଣ ବଳିଦାନ ମଧ୍ୟ ଦେଇଛନ୍ତି ।
ଏହି ସଂଘର୍ଷ କେତେବେଳେ କୌଣସି ମହାପୁରଷଙ୍କ ପ୍ରେରଣାରୁ ହୋଇଛି ତ କେବେ ସ୍ୱତଃସୂର୍ତ୍ତ ହୋଇ ଆସିଛି । ୧୯୫୦ ମସିହାରୁ ଆରମ୍ଭ ହୋଇଥିବା ଜନ ଆନ୍ଦୋଳନ ଏକ ନିର୍ଣ୍ଣାୟକ ସ୍ଥିତି ପ୍ରାପ୍ତ କରିବା ଲାଗି ନିରନ୍ତର ଚାଲୁ ରହିଛି । ବିଶ୍ୱ ଇତିହାସର ଏହି ମହାନ ଆନ୍ଦୋଳନକୁ ଅନେକ ମହାପୁରୁଷ ନିଜର ଅକ୍ଲାନ୍ତ ପରିଶ୍ରମ ଓ  ସମର୍ପଣ ବଳରେ ସଫଳତାର ଶିଖରରେ ପହଞ୍ଚାଇଛନ୍ତି । ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ସେହି ସମସ୍ତ ଜ୍ଞାତ ଓ ଅଜ୍ଞାତ ବଳିଦାନକୁ ଏହି ଅବସରରେ ସ୍ମରଣ କରିବା ପୂର୍ବକ  ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ନିଜର ପବିତ୍ର କର୍ତ୍ତବ୍ୟ ବୋଲି ମନେ କରୁଛି ।
ନ୍ୟାୟାଳୟର ନିର୍ଣ୍ଣୟ ଆସିବା ପରେ ସମସ୍ତ ବର୍ଗର ବିଶ୍ୱାସ  ପ୍ରାପ୍ତ କରି ସ୍ୱଭାବପୂର୍ଣ୍ଣ ଢଙ୍ଗରେ ତାକୁ ସ୍ୱୀକାର କରାଇବା ଯେ କୌଣସି  ସରକାରଙ୍କ ଲାଗି ଏକ ଆହ୍ୱାନ ମୂଳକ କାର୍ଯ୍ୟ ଥିଲା । ଯେଉଁଭଳି ଧୈର୍ଯ୍ୟ ଓ ସାହସର ସହ ସରକାର ସମସ୍ତଙ୍କର ବିଶ୍ୱାସ ପ୍ରାପ୍ତ କରିଛି, ସେଥିଲାଗି କାର୍ଯ୍ୟକାରୀ ମଣ୍ଡଳ କେନ୍ଦ୍ର ସରକାର ଏବଂ ବର୍ତ୍ତମାନ ରାଜନୈତିକ ନେତୃତ୍ୱଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ସର୍ବୋଚ୍ଚ ନ୍ୟାୟାଳୟର ନିର୍ଣ୍ଣୟ ତଥା ରାମଭକ୍ତଙ୍କ ଭାବନାର ଅନୁରୂପ ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’ ନାମକ ଏକ ନୂତନ ନ୍ୟାସର ଗଠନ, ଶାସନ ନିୟନ୍ତ୍ରିତ  ନ୍ୟାସ ଭାବେ ନକରି ତାକୁ ସମାଜ ଦ୍ୱାରା ସଂଚାଳିତ ହେବା ଭଳି  ତିଆରି କରିବା ଓ ପ୍ରଶାସନକୁ ସହଯୋଗୀର ଭୂମିକାରେ ରଖିବା  ସରକାରଙ୍କର ଦୂରଦର୍ଶିତାର ପରିଚାୟକ । ଯେଉଁ ପୂଜ୍ୟ ସନ୍ଥଙ୍କ ମାର୍ଗଦର୍ଶନରେ ଏହି ଆନ୍ଦୋଳନ ଚାଲିଥିଲା, ତାଙ୍କର ନେତୃତ୍ୱରେ ହିଁ ମନ୍ଦିର ନିର୍ମାଣ କାର୍ଯ୍ୟକୁ ଆଗକୁ ବଢାଇବାରେ ନିର୍ଣ୍ଣୟ ମଧ୍ୟ ଖୁବ୍ ପ୍ରଶଂସନୀୟ । ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବିଶ୍ୱାସ ଅଛି ଯେ ଏହି ନ୍ୟାସ ଶ୍ରୀରାମ ଜନ୍ମସ୍ଥାନରେ ଭବ୍ୟ ମନ୍ଦିର  ଓ ପରିସର କ୍ଷେତ୍ରର ନିର୍ମାଣ କାର୍ଯ୍ୟକୁ ଶୀଘ୍ରାତିଶୀଘ୍ର ସମ୍ପନ୍ନ କରିବ ଏବଂ ଏଥିରେ ସମସ୍ତ ଭାରତୀୟ ଓ ସଂପୂର୍ଣ୍ଣ ବିଶ୍ୱର ରାମଭକ୍ତମାନେ ସହଭାଗୀ ହେବେ ।
ଏହା ନିଶ୍ଚିତ ଯେ ଏହି ପବିତ୍ର ମନ୍ଦିରର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବା ସହ ସମାଜରେ ମର୍ଯ୍ୟାଦା, ସମରସତା, ଏକାତ୍ମଭାବ ଏବଂ ମର୍ଯ୍ୟାଦାପୁରୁଷୋତ୍ତମ ଶ୍ରୀରାମଙ୍କ ଜୀବନାଦର୍ଶର ଅନୁରୂପ ଜୀବନ ଯାପନ କରିବାର ଭାବନା ମଧ୍ୟ ବୃଦ୍ଧି ପାଇବ ତଥା ଭାରତ ବିଶ୍ୱର ଶାନ୍ତି ସଦ୍‌ଭାବ ଓ ସମନ୍ୱୟ ସ୍ଥାପନ କରିବାର ନିଜର ଦାୟିତ୍ୱକୁ ପୂର୍ଣ୍ଣ କରି ପାରିବ ।

Comments