ବର୍ତ୍ତମାନ ପରିଦୃଶ୍ୟ ଏବଂ ଆମର ଭୂମିକା-ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ବୌଦ୍ଧିକ ବର୍ଗ


ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ବୌଦ୍ଧିକ ବର୍ଗ
ପରମପୂଜ୍ୟ ସରସଂଘଚାଳକ ମୋହନଜୀ ଭାଗବତ
ବିଷୟ: ବର୍ତ୍ତମାନ ପରିଦୃଶ୍ୟ ଏବଂ ଆମର ଭୂମିକା (୨୬ ଏପ୍ରିଲ, ୨୦୨୦ ସୂକ୍ଷ୍ମପ୍ରସାରଣ)
ମାନନୀୟ ମହାନଗର ସଂଘଚାଳକଜୀ, ସଂଘର ଅଧିକାରୀଗଣ, ଆତ୍ମୀୟ ସ୍ୱୟଂସେବକ ବନ୍ଧୁ, ସଜ୍ଜନବୃନ୍ଦ, ମାତାଭଗିନୀ ।
ଗୋଟିଏ ବିଶେଷ ପରିସ୍ଥିତିରେ ଆଧୁନିକ ବୈଷୟିକ ବିଦ୍ୟାର ଆଶ୍ରୟ ନେଇ ପରଦା ମାଧ୍ୟମରେ ଆମର ଭେଟ ହେଉଛି । କରୋନା ମହାମାରୀ ସହ ସମ୍ପୂର୍ଣ୍ଣ ବିଶ୍ୱ ଲଢ଼ୁଛି । ଏହି ରୋଗର ଏକ ଅନିବାର୍ଯ୍ୟ ଉପଚାର ହେଲା–ଘର ଭିତରେ ରହିବା । ସବୁ କାମଧନ୍ଦା ବନ୍ଦ କରି ଘରେ ବସିବା । ଘରେ ବସି ଯେତିକି ପାରିବା, ସେତିକି କରିବା । ସଂଘର ଅନେକ ସ୍ୱୟଂସେବକ ଭାବୁଛନ୍ତି ଯେ, ଏବେ ସଂଘସ୍ଥାନରେ ଲାଗୁଥିବା ଶାଖା ବନ୍ଦ ରହିଛି; ସମସ୍ତ କାର୍ଯ୍ୟକ୍ରମ ବନ୍ଦ ଅଛି; ସଂଘଶିକ୍ଷାବର୍ଗ ବି ହେବ ନାହିଁ । ଆମେ ସମସ୍ତେ ନିଜ ନିଜ ଘରେ ବନ୍ଦୀ ହୋଇ ରହିଛୁ । ଲକ୍ ଡାଉନ୍‌ରେ ଯେମିତି ସେମିତି ହେଉ ଜୀବନ ତ ଚାଲୁଛି । ଏହିପରି ସଂଘର କାର୍ଯ୍ୟ ମଧ୍ୟ ଚାଲୁଛି । ନିତ୍ୟକାର୍ଯ୍ୟ ବନ୍ଦ ଅଛି, କିନ୍ତୁ ତା’ ବଦଳରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଚାଲୁଛି । ଏହା ସଂଘ ପାଇଁ ମଧ୍ୟ, ଏବଂ ଆମ ସମସ୍ତଙ୍କ ପାଇଁ ମଧ୍ୟ ସତ୍ୟ । ମନୁଷ୍ୟ ଜୀବନର ଅର୍ଥ କ’ଣ? ସମସ୍ତଙ୍କ ବିଚାରରେ ଆମେ ନିଜେ ଭଲ ହେବା ଏବଂ ଆମର ଭଲଗୁଣର ଉପଯୋଗ କରି ଦୁନିଆଁକୁ ଭଲ ବାଟରେ ନେବା । ନିଜେ ତ ଭଲ, କିନ୍ତୁ ଦୁନିଆଁ ପାଇଁ କିଛି କରୁନାହାନ୍ତି, ଏପରି ଲୋକଙ୍କୁ ଭଲ କୁହାଯାଇ ପାରିବ ନାହିଁ । ଦୁନିଆଁ ପାଇଁ ଭୁଲବଶତଃ କିଛି ଭଲ କାମ କରି ଦେଲେ, କିନ୍ତୁ ନିଜ ଜୀବନରେ କିଛି ବି ଭଲ ଆଚରଣ କଲେ ନାହିଁ; ଏହା ମଧ୍ୟ ଦୁନିଆଁ ଆଖିକୁ ଭଲ ଦେଖାଯିବ ନାହିଁ । ଜୀବନ ଏବଂ ସଂଘକାର୍ଯ୍ୟ ଉଭୟ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ଅଟନ୍ତି ।
ଆମ ଦେଶରେ ଏକାନ୍ତରେ ଆତ୍ମସାଧନା ଏବଂ ଲୋକାନ୍ତରେ ପରୋପକାର କରାଯିବାର ପରମ୍ପରା ରହିଛି । ଏହା ଜୀବନ ତଥା ସଂଘକାର୍ଯ୍ୟର ସ୍ୱରୂପ ଅଟେ । ଆମର ସ୍ୱୟଂସେବକମାନେ ପ୍ରତିଦିନ ପ୍ରାର୍ଥନା କରୁଛନ୍ତି । ପଡ଼ିଆରେ ନୁହେଁ, ଘରେ ପରିବାର ସହ କରୁଛନ୍ତି । ପ୍ରାର୍ଥନା କରିବାର ସମୟ ନିଶ୍ଚିତ ହୋଇଛି । ଯେତିକି ସମ୍ଭବ, ସେତିକି ନିତ୍ୟକାର୍ଯ୍ୟ ଚାଲୁଛି । କାର୍ଯ୍ୟକ୍ରମ ବଦଳି ଯାଇଛି । ସ୍ୱୟଂସେବକମାନେ ପ୍ରଚଣ୍ଡ ଗତିରେ ସେବାକାର୍ଯ୍ୟ କରୁଥିବାର ଲୋକେ ଦେଖୁଛନ୍ତି । ପ୍ରୋତ୍ସାହନ ମଧ୍ୟ ଦେଉଛନ୍ତି । ଆମକୁ ମନେ ରଖିବାକୁ ହେବ ଯେ, ଏପରି ଭାବରେ କାର୍ଯ୍ୟକ୍ରମ ଚଳାଇ ରଖିବା ଆମର କାର୍ଯ୍ୟ ନୁହେଁ । ଆମର କାର୍ଯ୍ୟ ହେଲା, ଆମେ ଭଲ ହେବା ସହ ଅନ୍ୟମାନଙ୍କୁ ଭଲ ହେବା ପାଇଁ ପ୍ରେରଣା ଦେବା ।
ବୌଦ୍ଧ ଧର୍ମର ପ୍ରଚାର କରିବା ପାଇଁ ଜଣେ ଭିକ୍ଷୁ ଚୀନଦେଶକୁ ଗଲେ । କିଛି ବର୍ଷ କାମ କଲା ପରେ ସେ ଅନୁଭବ କଲେ ଯେ, ତଥାଗତଙ୍କର ଜୀବନୀଟିଏ ଚୀନର ମାତୃଭାଷାରେ ଲେଖାଯିବା ଦ୍ୱାରା ଚୀନର ଜନତାଙ୍କର ଲାଭ ହେବ । ଜୀବନୀ ତ ଲେଖା ହୋଇଗଲା, କିନ୍ତୁ ତାହା ଛପା ହେବା ଦରକାର । ତେଣୁ ସେ ଅନେକ ଲୋକଙ୍କୁ ଭେଟି ସେମାନଙ୍କ ପାଖରୁ କିଛି ଧନ ସଂଗ୍ରହ କଲେ । ସେମାନଙ୍କୁ କହିଲେ, ଏହି ଧନ ସହାୟତାରେ ସେ ତଥାଗତଙ୍କର ଜୀବନୀ ଛାପିବେ । ସମସ୍ତ ପ୍ରସ୍ତୁତି ସରିଗଲା ପରେ ପାଣ୍ଡୁଲିପି ଛାପାଖାନାକୁ ଯିବା ପୂର୍ବ ଦିନ ଭୟଙ୍କର ଭୂମିକମ୍ପ ହେଲା । ସବୁକିଛି ଓଲଟପାଲଟ ହୋଇଗଲା । ସମସ୍ତେ ସେବାକାର୍ଯ୍ୟରେ ଲାଗି ପଡ଼ିଲେ । ଭିକ୍ଷୁ ମଧ୍ୟ ସଂଗ୍ରହ କରାଯାଇଥିବା ଧନ ଭୂମିକମ୍ପ ପାଇଁ ସେବାକାର୍ଯ୍ୟରେ ଉପଯୋଗ କରିଦେଲେ । ସେବାକାର୍ଯ୍ୟ ସମାପ୍ତ ହେବା ପରେ ଭିକ୍ଷୁ ପୁଣି ସମସ୍ତଙ୍କୁ କହିଲେ ଯେ, ସେମାନେ ଦେଇଥିବା ଧନ ସେବାକାର୍ଯ୍ୟରେ ବ୍ୟୟ ହୋଇ ଯାଇଛି । ପୁଣି ଛାପାକାର୍ଯ୍ୟ ପାଇଁ ଧନ ସଂଗ୍ରହ ହେଲା । କିନ୍ତୁ ଛାପାଖାନାକୁ ଯିବା ପୂର୍ବରୁ ଏଥର ମଧ୍ୟ ନଦୀବଢ଼ିରେ ଅନେକ କ୍ଷୟକ୍ଷତି ହେଲା । ସେବାକାର୍ଯ୍ୟରେ ସବୁତକ ଧନ ସମାପ୍ତ ହୋଇଗଲା । ପୁଣି ଥରେ ଲୋକଙ୍କୁ ବୁଝାଇସୁଝାଇ ଭିକ୍ଷୁ ଜଣକ ତୃତୀୟ ଥର ପାଇଁ ଧନସଂଗ୍ରହ କଲେ । ଏଥର କୌଣସି ବିପଦ ପଡ଼ିଲା ନାହିଁ ।
ପାଣ୍ଡୁଲିପିଟି ଛାପାଖାନାକୁ ଗଲା, ଛପା ହୋଇ ବହି ବାହାରିଲା । ବହିଟିର ଲୋକାର୍ପଣ ଧୁମଧାମରେ ପାଳିତ ହେଲା । ଲୋକେ ଶ୍ରଦ୍ଧାରେ ବହିଟିକୁ କିଣି ପଢ଼ିଲେ । ବହିର ପ୍ରଥମ ପୃଷ୍ଠାରେ ଚୀନୀ ଭାଷାରେ ଲେଖାଥିଲା: ଏହା ହେଉଛି ପୁସ୍ତକର ତୃତୀୟ ଆବୃତ୍ତି । ଜୀବନୀ ଛପା ହେବା ଗୋଟିଏ କଥା । କିନ୍ତୁ ଅନ୍ୟ କଥାଟି ହେଉଛି: ସେହି ଆଦର୍ଶ ଜୀବନର ସନ୍ଦେଶ ହେଉଛି ବିଶ୍ୱର ଦୁଃଖମୁକ୍ତି, ଯାହା ଦୁଇ ଦୁଇଥର ଆଚରଣରେ ଦର୍ଶାଇ ଦିଆଯାଇଥିଲା । ଏଣୁ ଏହା ମଧ୍ୟ ବହିଟିର ଆବୃତ୍ତି ଅଟେ । ଏଣୁ ଆଜି ଆମେ ଯାହା କରୁଛନ୍ତି, ତାହା ମଧ୍ୟ ସଂଘକାର୍ଯ୍ୟର ସ୍ୱରୂପ ଅଟେ । ଏପରି ଭାବିଲେ ଆମେ ସଂଘକାର୍ଯ୍ୟର ସଠିକ ସ୍ୱରୂପ ବୁଝି ପାରିବା । ଲୋକେ ମଧ୍ୟ ସଂଘକୁ ବୁଝିବେ ।
ଆମେ ସେବାକାର୍ଯ୍ୟ କରୁଛୁ କ’ଣ ପାଇଁ? ନିଜର ସ୍ୱାର୍ଥ ସାଧନ ପାଇଁ ତ ମୋଟେ ନୁହେଁ । ନିଜର ଅହଂକାରର ପରିତୃପ୍ତି ଏବଂ କୀର୍ତ୍ତି ପ୍ରସିଦ୍ଧି ପାଇଁ ବି ନୁହେଁ । ଯେଉଁମାନେ ଆମକୁ ସହଯୋଗ କରୁଛନ୍ତି, ସେମାନଙ୍କୁ ଜଣେଇବା ପାଇଁ ଆମେ କାର୍ଯ୍ୟର କିଛି କିଛି ପ୍ରଚାର କରିଥାଉ । ହିସାବକିତାବ ରଖିବା ପାଇଁ ମଧ୍ୟ ସେବାକାର୍ଯ୍ୟର ବୃତ୍ତ ପ୍ରକାଶିତ କରିବାକୁ ହୁଏ । ସମସ୍ତଙ୍କୁ ପ୍ରେରଣା ମିଳୁ, ଏଥିପାଇଁ ଏହି ସେବାକାର୍ଯ୍ୟ ସମ୍ପର୍କରେ ଲେଖା ଛପାଇବାକୁ ହୁଏ । ଆତ୍ମପ୍ରଚାର ପାଇଁ ଆମେ ଏସବୁ କାର୍ଯ୍ୟ କରୁନା । ଏହା ଆମର ସମାଜ, ଆମର ଦେଶ–ଏଣୁ ଆମେ ଏହାର ସେବା କରୁଛୁ । ସ୍ୱାର୍ଥ, ଭୟ, ବାଧ୍ୟବାଧକତା, ପ୍ରତିକ୍ରିୟା ଅଥବା ଅହଂକାର ଠାରୁ ଦୂରରେ ରହି ଆତ୍ମୀୟତାପୂର୍ଣ୍ଣ ବୃତ୍ତିର ପରାକାଷ୍ଠା ଦେଖାଇବା ହେଉଛି ଆମର ଏହି ସେବାକାର୍ଯ୍ୟ । ଏଥିପାଇଁ ଆମକୁ ଏହି ସେବାକାର୍ଯ୍ୟରେ ନିରନ୍ତର ଲାଗିବାକୁ ହେବ । ଅହଂକାରଶୂନ୍ୟ ହୋଇ ଲାଗିବାକୁ ହେବ । ଶ୍ରେୟ ଅନ୍ୟକୁ ଦେବା । ବର୍ତ୍ତମାନ ଯେଉଁ ବିପଦ ଆସିଛି, ଏଥିରେ ଲୋକଙ୍କର ପ୍ରବୋଧନ ମଧ୍ୟ କରିବା । ଯାହା କହିବା, ତାହା ନିଜେ ପାଳନ କଲେ ତାହାର ପ୍ରଭାବ ଲୋକଙ୍କ ଉପରେ ପଡ଼ିବ । କରୋନା ମହାମାରୀରୁ ମୁକ୍ତି ପାଇଁ ତଥା ନିଜର ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଯେଉଁ ସବୁ ନିୟମ ପାଳନ କରିବା ପାଇଁ କୁହାଯାଇଛି, ତାହା ପ୍ରଥମେ ନିଜେ ପାଳନ କରିବା ଏବଂ ପରେ ଅନ୍ୟମାନଙ୍କୁ କହିବା । ନିୟମ ଅଛି ଯେ ଲକ୍‌ଡାଉନ୍ ସମୟରେ ଘରୁ ବାହାରିବା ପୂର୍ବରୁ ପ୍ରଶାସନର ଅନୁମତି ଆବଶ୍ୟକ, ଏଣୁ ଅନୁମତି ନେବା । ଶାରୀରିକ ଦୂରତା ରଖିବା ।  ଛୋଟ ଛୋଟ କଥାଗୁଡ଼ିକ ଉପରେ ଗୁରୁତ୍ୱ ଦେଇ ନିଜେ ଉଦାହରଣ ହେବା ।
ଏ ମହାମାରୀଟି ନୂତନ । ଏହା ଅନେକ ସହର ନଷ୍ଟ କରି ସାରିଛି । କିନ୍ତୁ ଆମେ ଡରି ଯିବା ନାହିଁ । ଡରିଗଲେ କାମ ଚଳିବ ନାହିଁ । କାରଣ ଡରିଲେ ସଂକଟର ଭୟାବହତା ଆହୁରି ବଢିଯାଇଥାଏ । ତେଣୁ ନ ଡରି, ମାନସିକ ସନ୍ତୁଳନ ରକ୍ଷାକରି, ଶାନ୍ତ ମନରେ ଉପଯୁକ୍ତ ପ୍ରତିକାର କଥା ଚିନ୍ତାକରି, ଏ କାମ ନିରନ୍ତର କରିବାକୁ ହେବ । ଯାହା କରିବାକୁ ଅଛି ଯଦି ତାହାର ଯୋଜନା ପ୍ରସ୍ତୁତ କରି କାମ କରାଯାଏ, ତାହାହେଲେ ସଫଳତା ମିଳେ । ଏହା ଏକ ନୂତନ ରୋଗ ହୋଇଥିବାରୁ ନୂଆ ନୂଆ ଅନୁଭବକୁ ଆଧାର କରି ଆମକୁ କାମ କରିବାକୁ ପଡୁଛି । ଏ ସଂକଟ କେତେ ଦିନ ଧରି ଚାଲିବ କହି ହେବନାହିଁ । ଏଣୁ ଧୈର୍ଯ୍ୟପୂର୍ବକ ସେଥିପାଇଁ କାମ କରିବାକୁ ହେବ । କରୋନା ପୀଡିତମାନଙ୍କୁ ଆରୋଗ୍ୟ ମିଳୁ, ସେଥିପାଇଁ ଚେଷ୍ଟା ଚଳାଇ ରଖିବାକୁ ହେବ । ଅଧାରୁ ଛାଡିଦେଲେ କାର୍ଯ୍ୟ ସଂପୂର୍ଣ୍ଣ ହେବ ନାହିଁ ।
ଥରେ ଜଣେ ବ୍ୟକ୍ତି କାଙ୍ଗାଳ ହୋଇଗଲା । ଆତ୍ମହତ୍ୟା କରିବାର ଚିନ୍ତା ମଧ୍ୟ କରି ବସିଲା । ତା ପକେଟରେ ଅଳ୍ପ କିଛି ଧନ ଥାଏ । ସେ ଭାବିଲା, ଏତକ ଖର୍ଚ୍ଚ କରି ଦେଲାପରେ ଆତ୍ମହତ୍ୟା କରିବି । ସେ ନିକଟସ୍ଥ ସହରକୁ ଯାଇ ଜୁଆ ଖେଳିବା କଥା ଭାବିଲା । କିନ୍ତୁ ସେଠାରେ ପହଞ୍ôଚଲା ପରେ ଜାଣିଲା ଯେ, ନିକଟରେ ମାଙ୍ଗାନିଜ୍ ଉଠାଇବା ପାଇଁ ଏକ ଖଣି ଖୋଳା ଚାଲିଛି । ଗୋଟିଏ ଖଣିରେ ୨୦୦ ଫୁଟ ଯାଏଁ ଖୋଳା ହେବା ପରେ ମଧ୍ୟ ମାଙ୍ଗାନିଜ ନ ବାହାରିବାରୁ ଏହାକୁ ନିଲାମ କରିବାର ଯୋଜନା କରାଗଲା । ସେ ଲୋକଟି ଭାବିଲା ମୁଁ ଏ ଜାଗା କିଣିବି । କିନ୍ତୁ ତା ପାଖରେ ଆବଶ୍ୟକ ଧନ ନଥିଲା । କିନ୍ତୁ ଏଥିପାଇଁ ଡକା ହୋଇଥିବା ନିଲାମ ପ୍ରକ୍ରିୟାରେ କେହି ଆସି ନଥିଲେ । ତେଣୁ ଏ ବ୍ୟକ୍ତିକୁ ତା ପାଖରେ ଥିବା ଧନର ମୂଲ୍ୟରେ ଖଣିଟି ମିଳିଗଲା । ଏଠାରେ କାମ କରୁଥିବା ମୂଲିଆମାନେ ଦିନଯାକର ପାରିଶ୍ରମିକ ନେଇଥିଲେ । ତେଣୁ ସେମାନଙ୍କୁ ସେହି ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟରେ ଲଗାଇ ଏ ବ୍ୟକ୍ତି ଯେତେବେଳେ ଆଉ ୩ ଫୁଟ ଖୋଳିଲା, ସେତେବେଳେ ଖଣିରେ ମାଙ୍ଗାନିଜ ଥିବା କଥା ଜଣା ପଡିଲା । ସେ ବ୍ୟକ୍ତି ଜଣଙ୍କ ପ୍ରଥମେ ଖଣି ମାଲିକ, ପରେ ରେଳ କମ୍ପାନୀର ମାଲିକ, ଏଭଳି ଅନେକ ସଂପତ୍ତିର ମାଲିକ ହୋଇଗଲା । ଏହି ଲେଖାଟି- ରିଡର୍ସ ଡାଇଜେଷ୍ଟ ପୁସ୍ତକରେ ପ୍ରକାଶିତ ହୋଇଥିଲା, ମୁଁ ପଢିଥିଲି । ଏହି ଲେଖାଟିର ଶୀର୍ଷକ ରହିଥିଲା -ଡିଫରେନ୍ସ ବିଟୁଇନ୍ ସକ୍‌ସେସ୍ ଏଣ୍ଡ ଫେଲ୍ୟୁୟର ଇଜ ଥ୍ରୀ ଫିଟ୍‌- କେବଳ ମାତ୍ର ତିନି ଫୁଟ ସକାଶେ ନିରାଶା କାରଣରୁ ଖଣି ମାଲିକମାନେ ଯାହା ଛାଡି ଯାଇଥିଲେ ତାହା ଖନନ କରି ଏ ବ୍ୟକ୍ତି ବୈଭବଶାଳୀ ହୋଇଗଲା ।
ତେଣୁ ନିଜ ପ୍ରଚେଷ୍ଟାରେ ସଦାସର୍ବଦା ଲାଗି ରହିଥିବା ଉଚିତ । କେବେ ହେଲେ ଥକି ନ ଯାଇ କାର୍ଯ୍ୟରେ ଲାଗି ରହିବା ଉଚିତ । ବର୍ତ୍ତମାନ ଆମ ସମସ୍ତଙ୍କ ପାଇଁ କାମ କରିବାର ବେଳ । ଯେଉଁମାନେ ରୋଗରେ ଆକ୍ରାନ୍ତ ହୋଇଛନ୍ତି ସେମାନେ ଆମର ଭାଇ ଭଉଣୀ । ଭାରତ କ୍ଷତି ସହି ମଧ୍ୟ ପୃଥିବୀର ଅନେକ ରାଷ୍ଟ୍ରକୁ ଔଷଧ ଯୋଗାଇ ଦେଇଛି । କାରଣ ଏହାହିଁ ଆମର ସଂସ୍କୃତି । ଆମେ ମନୁଷ୍ୟ- ମନୁଷ୍ୟ ମଧ୍ୟରେ ଭେଦଭାବ ଦେଖୁନାହୁଁ । ଏ ପରିସ୍ଥିତିରେ ତ ପ୍ରତିଯୋଗିତା କରିବାର ଆଦୌ ଆବଶ୍ୟକତା ନାହିଁ । ଏହି ସମୟରେ ନିଜର ପ୍ରସିଦ୍ଧି ପାଇଁ ନୁହେଁ, ଯାହା ପାଇଁ ଯାହା ଆବଶ୍ୟକ ତାହା ଯୋଗାଇ ଦେବାକୁ ହେବ । ଅନେକ ବିଶେଷ ପରିସ୍ଥିତିରେ କେତେକାଂଶରେ ରିହାତି ମଧ୍ୟ ଦେବାକୁ ପଡିଥାଏ । ଅନୁଶାସନରେ ରହି ସେବାର ଲାଭ ସମସ୍ତେ ପାଆନ୍ତୁ, ଆମକୁ ଏଭଳି ମନୋଭାବ ପୋଷଣ କରିବାକୁ ହେବ । ଆମକୁ ଏସବୁ କଥା ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେବ । ଲୋକେ ନିଜ ନିଜର ଅଭ୍ୟାସ ଠିକ୍ ନ ରଖିବା ଯୋଗୁଁ ଏହି ଭଳି ରୋଗ ବ୍ୟାପିଥାଏ । ଆମକୁ ଭଲ ଭଲ କଥାର ପ୍ରଚାର ପ୍ରସାର ମଧ୍ୟ କରିବାକୁ ହେବ ।
ଏହା କେବଳ ମାତ୍ର ଏକ କାର୍ଯ୍ୟକ୍ରମ ନୁହଁ । ଏହା ମାଧ୍ୟମରେ  ବ୍ୟକ୍ତି ନିର୍ମାଣ ପୂର୍ବକ ଆମ ସମାଜର ସୁରକ୍ଷା ପ୍ରତି ଦୃଷ୍ଟି ଦେଇ ଆମକୁ କାର୍ଯ୍ୟକ୍ରମ ଆଗେଇ ନେବାକୁ ହେବ । ଧୈର୍ଯ୍ୟ ଧରି ରହିବାକୁ ହେବ । ଏ ସଂକଟ କେତେ ଦିନ ଧରି ଚାଲିବ, କେବେ ସମାପ୍ତ ହେବ, ଏଭଳି ଚିନ୍ତାରେ ନ ପଡି କାର୍ଯ୍ୟ ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ନିରନ୍ତର କାମ କରିବାକୁ ହେବ । ବିଦୂର ନୀତିରେ ଲେଖା ଅଛି, ମନୁଷ୍ୟ ୬ଟି ଦୋଷରୁ ଦୂରେଇ ରହିବା ଉଚିତ । ଏଗୁଡିକ ହେଲା ନିଦ୍ରା, ତନ୍ଦ୍ରା, ଭୟ, କ୍ରୋଧ, ଆଳସ୍ୟ ଓ ଦୀର୍ଘସୂତ୍ରିତା । ଏଥି ମଧ୍ୟରୁ ଆଳସ୍ୟ ଓ ଦୀର୍ଘସୂତ୍ରିତାକୁ ତ୍ୟାଗ କରି ତତ୍ପରତା ପୂର୍ବକ କାମ କରିବା ଉଚିତ । ଭାରତ ବର୍ଷ ଠିକଣା ସମୟରେ ଉଚିତ୍ ପଦକ୍ଷେପ ନେଇ ପ୍ରତିଷେଧକ ବ୍ୟବସ୍ଥା କରିଥିବାରୁ ଏହାର ଭଲ ପରିଣାମ ଦୃଷ୍ଟି ଗୋଚର ହେଉଛି । ଯେଉଁ ତତ୍ପରତାର ସହିତ ଆମର ଶାସନ ପ୍ରଶାସନ ବିଭିନ୍ନ ଉପାୟ କରିବାକୁ ନିର୍ଣ୍ଣୟ ନେଇଥିଲେ, ସମାଜର ଏକ ବଡ ବର୍ଗ ସେହି ତତ୍ପରତାର ସହିତ ତାକୁ ଆପଣେଇ ଥିଲେ । ଏଥିରେ ହେଳା ବା ଆଳସ୍ୟ କରିନଥିଲେ । ଦୀର୍ଘସୂତ୍ରିତା ପ୍ରଦର୍ଶିତ କରି ନଥିଲେ । ଏହି ତତ୍ପରତାକୁ ଆମକୁ ବଜାୟ ରଖିବାକୁ ହେବ । ସଂପୂର୍ଣ୍ଣ ସଜାଗତାର ସହିତ ଆଳସ୍ୟ ଛାଡି, ଭୟ ଓ କ୍ରୋଧକୁ ତ୍ୟାଗ କରି ଆମକୁ କାମ କରିବାକୁ ହେବ ।
ଲୋକ ଭୟଭୀତ ହେଉଛନ୍ତି ଯେ, ତାଙ୍କୁ ବନ୍ଧନ ଭିତରେ ରଖାଯାଇଛି, କ୍ୱାରେଣ୍ଟାଇନ୍ କରାଯାଇଛି । ତେଣୁ ସେମାନେ ଲୁଚିବାର ଚେଷ୍ଟା କରୁଛନ୍ତି । କିଛି ନିୟମ କାନୁନ୍‌ରେ ବାନ୍ଧିଲେ ସେମାନେ ଅନୁଭବ କରୁଛନ୍ତି ଯେ, ଆମ ଉପରେ ଜୋର ଜବରଦସ୍ତ ପ୍ରତିବନ୍ଧକ ଲାଗୁ କରାଯାଉଛି । ହେଲେ ବର୍ତ୍ତମାନ ସ୍ଥିତିକୁ ବିଚାର କରି ସଂଘଦ୍ୱାରା ମାର୍ଚ୍ଚ ମାସରେ ନିର୍ଣ୍ଣୟ ନିଆଗଲା ଯେ ଆଗମୀ ଜୁନ ଶେଷ ପର୍ଯ୍ୟନ୍ତ ଆମର ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରଖାଯିବ । ହେଲେ କିଏ କିଏ ଭାବି ପାରନ୍ତି ଯେ ସରକାର ଆମ ଉପରେ ପ୍ରତିବନ୍ଧ ଲାଗୁ କରୁଛନ୍ତି । ସମାଜରେ ମାନସିକ ସ୍ତରରେ ବିଚଳିତ କରିବା ଲୋକେ ମଧ୍ୟ କମ୍ ନାହାନ୍ତି । ଏଥିଯୋଗୁଁ ଲୋକଙ୍କ ମନରେ କ୍ରୋଧ ଉତ୍ପନ୍ନ ହେଉଛି, କ୍ରୋଧରୁ ବିବେକହୀନତା ସୃଷ୍ଟି ହେଉଛି । ତାପରେ ବିଭିନ୍ନ ଅତିବାଦୀ ଗତିବିଧି ସୃଷ୍ଟି ହେଉଛି ।
ଆମେ ଜାଣିଛୁ ଯେ ଏଥିରୁ ଲାଭ ପାଇବା ପାଇଁ ଆଶା ରଖିଥିବା ଶକ୍ତିମାନେ ଅନବରତ ଚେଷ୍ଟା ଚଳାଇଛନ୍ତି । ଦେଶରେ କରୋନା ବ୍ୟାପିବାର ଏହା ମଧ୍ୟ ଏକ କାରଣ । ଏହାକୁ ନେଇ ଭୟ ଓ କ୍ରୋଧ ଯୋଗୁଁ ଯଦି କେଉଁଠି କିଏ ଓଲଟା ସିଧା କିଛି କାଣ୍ଡ କରି ବସେ, ତାହା ହେଲେ ତାକୁ ଆଧାର କରି ସଂପୂର୍ଣ୍ଣ ଏକ ସମୁଦାୟ ଉପରେ ଦୋଷାରୋପ କରିବା ସହିତ ଏହି ସମୁଦାୟ ଠାରୁ ନିଜକୁ ଦୂରେଇ ଦେବା ଉଚିତ ହେବ ନାହିଁ । ସମସ୍ତଙ୍କୁ ଏହା ବିଚାର କରିବାକୁ ହେବ ଯେ, ଏହି ବିଷୟଟି ଆମ ସମସ୍ତଙ୍କର ବିଷୟ, ସଂପୂର୍ଣ୍ଣ ଦେଶର ବିଷୟ । ଏପରି ହେଲେ ଯାଇ ଆମମାନଙ୍କର ଭୂମିକା ବିରୋଧପୂର୍ଣ୍ଣ ନ ହୋଇ ସହଯୋଗପୂର୍ଣ୍ଣ ହେବ । ଲୋକଙ୍କ ମନରେ ଉଙ୍କି ମାରୁଥିବା ଅନେକ ଆଶଙ୍କାର ସାହାଯ୍ୟ ନେଇ କିଛି ଲୋକ ପ୍ରତାରଣାର ଖେଳରେ ମାତିଛନ୍ତି । ନିଜ ନିଜର ନିହିତ ସ୍ୱାର୍ଥ ପାଇଁ ଭାରତ ଖଣ୍ଡ ବିଖଣ୍ଡିତ ହେଉ, ଏଭଳି ବିଚାର ରଖୁଥିବା କିଛି ଲୋକ ଏଭଳି ଚେଷ୍ଟାରେ ମାତିଛନ୍ତି । ଏଥିରେ ରାଜନୀତି ମଧ୍ୟ କରାଯାଉଛି । ଏଭଳି ଲୋକଙ୍କ ଠାରୁ ଆମକୁ ସାବଧାନ ରହିବାକୁ ହେବ । କିନ୍ତୁ ଏସବୁ ବିଷୟ ନେଇ ଆମ ମନରେ ପ୍ରତିକ୍ରିୟା ଜନିତ କୌଣସି ଦୁର୍ଭାବନା ଆସିବା ଉଚିତ ନୁହେଁ ।
ଭାରତର ୧୩୦ କୋଟି ଜନତା ହେଉଛନ୍ତି ଭାରତ ମାତାଙ୍କର ସନ୍ତାନ ସନ୍ତତି । ଉଭୟ ପକ୍ଷରୁ ଭୟ ଓ କ୍ରୋଧ ପ୍ରଦର୍ଶନ କରାଯିବା ଉଚିତ ନହେଁ । ସମାଜର ବିଚାରଶୀଳ ଏବଂ ନେତୃତ୍ୱ ନେଉଥିବା ବ୍ୟକ୍ତିମାନଙ୍କୁ ନିଜ ନିଜ ସମୂହ ଉପରେ ନିୟନ୍ତ୍ରଣ ରଖିବାକୁ ହେବ । ଭୟ ଓ କ୍ରୋଧଜନିତ ଏଭଳି କୃତ୍ୟରେ ଆମେ ସାମିଲ ନାହାନ୍ତି କିମ୍ବା ସାମିଲ ହେବାକୁ ଚାହୁଁ ନାହୁଁ, ସମସ୍ତେ ଏଭଳି କଥା ନିଜ ନିଜ ସମାଜକୁ ଶିକ୍ଷା ଦେବା ଉଚିତ । ଏହା ହୋଇଥିଲେ ମହାରାଷ୍ଟ୍ରରେ ଦୁଇଜଣ ସନ୍ନ୍ୟାସୀଙ୍କର ହତ୍ୟା ହୋଇ ନଥାନ୍ତା । ଏ ଘଟଣାକୁ ନେଇ ବୟାନବାଜି ଆରମ୍ଭ ହୋଇଗଲା । ଭାବିଲେ ଦେଖି, ଏଭଳି ଘଟଣା କଣ ହେବା ଉଚିତ କି? ଆଇନ୍ କାନୁନର ବ୍ୟବସ୍ଥା ହାତକୁ ନେଇ ଏଭଳି କାଣ୍ଡ କରିବା ଉଚିତ କି ? ଏଭଳି ଲୋକଙ୍କ ପ୍ରରୋଚନାରେ ନ ପଡି ଦେଶହିତ ଚିନ୍ତା କରି ଆମକୁ କାମ କରିବାକୁ ହେବ । ଭୟ ଓ କ୍ରୋଧ ଏ ଦୁଇଟି ଦୋଷକୁ ଦୁରେଇ ରଖିବାକୁ ହେବ । ସେହି ସନ୍ନ୍ୟାସୀ ଦୁଇଜଣ କାହାରି କିଛି ଅନିଷ୍ଟ କରିନଥିଲେ । ସେମାନେ ଧର୍ମ ପାଳନକାରୀ, ପରୋପକାରୀ ସାଧୁଥିଲେ । ଆମ ସମସ୍ତଙ୍କୁ ତାଙ୍କ ହତ୍ୟା ପାଇଁ ଦୁଃଖ ଲାଗୁଛି । ତେଣୁ ଆଗାମୀ ୨୮ ତାରିଖରେ ହିନ୍ଦୁ ଧର୍ମାଚାର୍ଯ୍ୟ ସଭା ଆହ୍ୱାନ କରିଛି, ବିଶ୍ୱହିନ୍ଦୁ ପରିଷଦ ଏକ କାର୍ଯ୍ୟକ୍ରମ ସ୍ଥିର କରିଛି । ଆମେ ସମସ୍ତେ ତାକୁ ପାଳନ କରିବା । ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଧୈର୍ଯ୍ୟର ସହିତ କାମ କରିବାକୁ ହେବ । ଲକ୍ ଡାଉନ୍‌ର ନିୟମ ସମସ୍ତଙ୍କୁ ପାଳନ କରିବାକୁ ହେବ ।
ଅନେକ ସ୍ଥାନରେ ଦେଖାଯାଉଛି ବନ୍ଦରେ ରିହାତି ଦେବା ମାତ୍ରେ ଲୋକେ ଭିଡ କରୁଛନ୍ତି । ସେମାନଙ୍କୁ ଘଉଡେଇବାକୁ ପଡୁଛି । ଏହା ସମାଜର ଅବିବେକିତାପୂର୍ଣ୍ଣ ସ୍ଥିତିକୁ ଦର୍ଶାଉଛି । ଏଥି ନିମନ୍ତେ ସମାଜକୁ ଦିଗ୍‌ଦର୍ଶନ ଦେବା ଭଳି ଆବଶ୍ୟକତା ରହିଛି । ଆଗାମୀ ଅନେକ ସମୟ ଧରି ସାମାଜିକ ଦୂରତ୍ୱ ରଖିବାକୁ ହିଁ ହେବ । ଏହା କିପରି ପାଳନ କରାଯିବ ସେଥିପାଇଁ ଲୋକଙ୍କୁ ଶିକ୍ଷା ଦିଆଯିବା ଜରୁରୀ । ସ୍କୁଲମାନଙ୍କରେ ଦୂରତା ରକ୍ଷା ନେଇ ନିର୍ଦ୍ଦେଶାବଳୀ ଲଗାଇବାକୁ ହେବ । ବଜାର ଖୋଲିଲେ ବଜାରରେ କିଭଳି ସାମାଜିକ ଦୂରତ୍ୱ ରଖାଯିବ ସେ ବିଷୟରେ ଚିନ୍ତା କରିବାକୁ ହେବ । କଳ କାରଖାନା ଆରମ୍ଭ ହେବ । ସେଠାରେ ମଧ୍ୟ ଅନୁଶାସନପୂର୍ବକ ଦୂରତା ବଜାୟ ରଖି କାମ କରିବାକୁ ହେବ । ଲୋକଙ୍କୁ ହୁଏତ ରିହାତି କମ୍ ମିଳିପାରେ କିନ୍ତୁ ଏ ରୋଗ ଅଧିକ ନ ବ୍ୟାପୁ, ସେଥିପାଇଁ ଆମକୁ ସମାଜର ହିତ ଆଖି ଆଗରେ ରଖି କାମ କରିବାକୁ ହେବ । ସମାଜର ଗଣମାନ୍ୟ ବ୍ୟକ୍ତିଙ୍କୁ ଏକତ୍ରିତ କରି ତାଙ୍କରି ଦ୍ୱାରା ଏପରି କାର୍ଯ୍ୟ ସମ୍ପାଦିତ କରିବାକୁ ହେବ । ଲୋକଙ୍କର ରୋଗ ପ୍ରତିଷେଧକ କ୍ଷମତା ବୃଦ୍ଧି ପାଇଁ ଆୟୁର୍ବେଦିକ ଉପାୟ, ଯୋଗ, ବ୍ୟାୟାମ, ପ୍ରାଣାୟାମ ଭଳି ଉପାୟମାନ ରହିଛି । ଆମ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଏହି କଥା ଜଣାଇଛି । ଆମକୁ ନିଜ ନିଜ ପରିବାରରେ ଏହି ସବୁ ନିୟମ ପାଳନ କରିବାକୁ ହେବ । କୌଣସି ଭୟ ଓ ଆତଙ୍କରୁ ଉର୍ଦ୍ଧ୍ୱକୁ ଯାଇ ଶାନ୍ତ ମନରେ କାମ କରିବା ଭଳି ବାତାବରଣ ପରିବାରରେ ନିର୍ମିତ କରିବାକୁ ହେବ ।
ଏହି ରୋଗଟି ସମଗ୍ର ପୃଥିବୀରେ ପ୍ରଥମ କରି ଏକ ସଙ୍ଗେ ଆସିଛି । ବିଗତ କିଛି ଦଶନ୍ଧି ମଧ୍ୟରେ ସମଗ୍ର ବିଶ୍ୱ ଏଭଳି ସଂକଟର ସମ୍ମୁଖୀନ ହେଉଛି । ସଂକଟ ରହିଛି ନିଶ୍ଚୟ, ଆଉ ଆମେ ଏହା ବିରୋଧରେ ଲଢେଇ ମଧ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ସରପଂଚମାନଙ୍କୁ କହିଛନ୍ତି ଯେ ଏ ସଂକଟ ଆମକୁ ସ୍ୱାବଲମ୍ବୀ ହେବାର ଶିକ୍ଷା ଦେଉଛି । ଏ ସଂକଟ ଟଳିଯିବା ପରେ ଆମକୁ ପୂର୍ବ ସ୍ଥିତିକୁ ଠିକ୍ କରିବାକୁ ହେବ । ହେଲେ ଏ ସଂକଟର ଅନୁଭବ କିଛି ସତ୍ୟ ପ୍ରତି ମଧ୍ୟ ଇଙ୍ଗିତ କରୁଛି । ଆମକୁ ଏଥିରୁ ଶିକ୍ଷା ନେଇ ରାଷ୍ଟ୍ର ପୂନନିର୍ମାଣ କାର୍ଯ୍ୟରେ ଆଗେଇ ଯିବାକୁ ହେବ । ଅନେକ ଲୋକ ସହର ଛାଡି ନିଜ ନିଜ ଗାଁ କୁ ଫେରି ଯାଇଛନ୍ତି । ଏମାନଙ୍କ ମଧ୍ୟରୁ କିଏ ଫେରିବେ, କିଏ ନ ଫେରିବେ କହି ହେବ ନାହିଁ । ଯେଉଁମାନେ ଗାଁରେ ରହିଯିବେ ତାଙ୍କ ରୋଜଗାର ପାଇଁ କିଛି କରିବାକୁ ହେବ । ଯେଉଁମାନେ ଫେରି ଆସିବେ ସେମାନଙ୍କ ପାଇଁ କାମ ଯୋଗାଇବା ନିମନ୍ତେ ସେମାନଙ୍କର ଶିଳ୍ପ ସଂସ୍ଥାନ ବା କର୍ମ ସଂସ୍ଥାନର ମାଲିକମାନଙ୍କ ଆର୍ଥକ ସ୍ଥିତିକୁ ନେଇ ମଧ୍ୟ ସଂଶୟ ରହିଛି । ଏଣୁ ସ୍ୱଳ୍ପ ସାଧନ ମଧ୍ୟରେ ସବୁ କିଛି କାର୍ଯ୍ୟକଳାପ କିଭଳି ଚାଲୁ ରହିବ ସେ ଦିଗରେ ଚିନ୍ତା କରିବାର ଆବଶ୍ୟକତା ଅଛି ।
ଏଥିପାଇଁ ସମସ୍ତଙ୍କୁ କିଛି ନା କିଛି ତ୍ୟାଗ କରିବାକୁ ହେବ । ଯଦି ଏହି ବିପଦରେ ସ୍ୱାବଲମ୍ବନ ଗୋଟିଏ ଉପାୟ, ତାହାହେଲେ ଆମକୁ ସ୍ୱ-ସମ୍ବନ୍ଧରେ ଜାଣିବାକୁ ପଡ଼ିବ । ସ୍ୱାବଲମ୍ବନର ସ୍ୱ-ଆଧାରିତ ଉପାୟ ଅବଲମ୍ବନ କରିବାକୁ ହେବ । ଏଥିପାଇଁ କମ୍ ଇନ୍ଧନ, ପରିବେଶ ଆଧାରିତ ଏକ ଯୁଗାନୁକୂଳ ଆର୍ଥିକ ସଂରଚନା ନିର୍ମାଣ କରିବାକୁ ହେବ । ଆଧୁନିକ ଜ୍ଞାନକୌଶଳର ସାହାଯ୍ୟ ନେଇ ଆମକୁ ପାରମ୍ପରିକ ପଦ୍ଧତି ଅନୁସରଣପୂର୍ବକ କାର୍ଯ୍ୟ କରିବାକୁ ହେବ ।
ବିକାଶର ଏକ ନୂତନ ମଡେଲ ନିର୍ମାଣ କରିବାକୁ ହେବ । ଏଥିପାଇଁ କେବଳ ଶାସନତନ୍ତ୍ର ଉପରେ ନିର୍ଭର କଲେ ଚଳିବ ନାହିଁ । ସମାଜର ମଧ୍ୟ କିଛି କର୍ତ୍ତବ୍ୟ ରହିଛି । ସମାଜକୁ ମଧ୍ୟ ସ୍ୱାବଲମ୍ବନଶୀଳ ହେବାକୁ ହେବ । ସମସ୍ତେ ସ୍ଥାନୀୟ ସ୍ତରରେ ନିର୍ମିତ ସାମଗ୍ରୀର ବ୍ୟବହାର କରିବେ । ଏଠାରେ ନିର୍ମିତ ହେଉ ନଥିବା ଜିନିଷ ବିନା ଯଦି ଆମ କାମ ଚଳିଯିବ ତେବେ ତାହାକୁ ପରିତ୍ୟାଗ କରିବାକୁ ହେବ । ନିଜ ନିଜ ପରିବାର ଓ ସମାଜ ମଧ୍ୟରେ ସ୍ୱଦେଶୀ ବସ୍ତୁର ପ୍ରୟୋଗାତ୍ମକ ଆଚରଣ କରିବାକୁ ହେବ । ଏଥିପାଇଁ ସ୍ୱଦେଶୀ ଉତ୍ପାଦନ ବଢାଇବାକୁ ହେବ । ସ୍ୱଦେଶୀ ଉତ୍ପାଦନ ଗୁଡିକ ନିମ୍ନମାନର ନ ହେଉ, ସେଥିପାଇଁ ବ୍ୟବସ୍ଥା ବିକଶିତ କରିବାକୁ ହେବ । ନିର୍ମାତା, କାରିଗର ସମସ୍ତଙ୍କୁ ଏ ବିଷୟରେ ଚିନ୍ତା କରିବାକୁ ହେବ । କେବଳ ବିଦେଶ ଉପରେ ନିର୍ଭର କରିବା ଉଚିତ ନୁହେଁ । ଆମକୁ ଏଭଳି ସାମର୍ଥ୍ୟ ନିର୍ମାଣ କରିବାକୁ ହେବ ।
ବର୍ତ୍ତମାନ ଆମେ ଦେଖୁଛନ୍ତି ଯେ, ନଦୀର ଜଳ ପ୍ରବାହ, ବାୟୁ ମଣ୍ଡଳର ଶୁଦ୍ଧତା ଅନେକ ମାତ୍ରାରେ ସୁଧୁରି ଯାଇଛି । କାରଣ ଏ ଗୁଡିକୁ ପ୍ରଦୁଷିତ କରୁଥିବା ଶିଳ୍ପ ଏବଂ ଅନ୍ୟାନ୍ୟ ଗତିବିଧି ବନ୍ଦ ରହିଛି । ପୁଣି ଥରେ କାର୍ଯ୍ୟ ଆରମ୍ଭ ହେବା ବେଳେ ଏଥିପ୍ରତି ଦୃଷ୍ଟି ଦେବାକୁ ହେବ ଯେ ଜଳର ସଂରକ୍ଷଣ ଏବଂ ସମ୍ବର୍ଦ୍ଧନ ସହିତ ବନ୍ୟ ସଂପଦର ସୁରକ୍ଷା ସୁନିଶ୍ଚିତ କରିବାକୁ ହେବ । ଏଥି ସହିତ ପ୍ଲାଷ୍ଟିକରୁ ମୁକ୍ତି ଏବଂ ସ୍ୱଚ୍ଛତାର ନିୟମ ପାଳନ କରିବାକୁ ହେବ । ଜୈବିକ ପ୍ରଣାଳୀରେ କୃଷିକାର୍ଯ୍ୟ ସହିତ ଗୋ-ପାଳନକୁ ଅଗ୍ରାଧିକାର ଦେବାକୁ ହେବ । ବର୍ତ୍ତମାନର ରାସୟନିକ କୃଷି ପ୍ରଣାଳୀକୁ ବଦଳାଇବାକୁ ହେବ । ଏଥିପାଇଁ ସମାଜକୁ ପ୍ରସ୍ତୁତ ରହିବାକୁ ହେବ ।
ଅନେକ ଦିନ ପରେ ଧାଁ ଦୌଡ ଭରା ଜୀବନରୁ ଲୋକଙ୍କୁ ମୁକ୍ତି ମିଳିଛି । ଲୋକେ ନିଜ ନିଜ ଘରେ ରହିଛନ୍ତି । ଏହା ପରିବାରକୁ ଖୁସି ପ୍ରଦାନ କରିଛି ଏବଂ ଆମେ ସମସ୍ତେ ମଧ୍ୟ ଏ ଖୁସି ଅନୁଭବ କରିଛୁ । ଏହା ଦ୍ୱାରା ପରସ୍ପର ମଧ୍ୟରେ ସଂପର୍କ ବୃଦ୍ଧି ପାଇଛି । ଆମ ନିଜର ପରିବାର ଭଳି ସମାଜ ମଧ୍ୟ ଏକ ପରିବାର । ତେଣୁ ସମାଜର ନେତୃତ୍ୱ ନେଉଥିବା ବ୍ୟକ୍ତିତ୍ୱ ମଧ୍ୟରେ ସଂସ୍କାର ଆଣିବାକୁ ହେବ । ନାଗରିକ ଅନୁଶାସନ ପାଳନ ନିମନ୍ତେ ଆମ ସମସ୍ତଙ୍କୁ ଯତ୍ନଶୀଳ ହେବାକୁ ପଡିବ । ଯେଉଁଠି ଏ ଭଳି ଅନୁଶାସନ ପରିଲକ୍ଷିତ ହେଉଛି ସେଠାରେ କରୋନାର ପ୍ରଭାବ କମ୍ ରହୁଛି । ଆଉ ଯେଉଁଠି ଏହାର ପାଳନ ହେଉ ନାହିଁ ସେଠାରେ କରୋନା ବ୍ୟାପିବାରେ ଲାଗିଛି । ତେଣୁ ଏ ଅନୁଶାସନ ପାଳନ ଜରୁରୀ ଅଟେ ।
ଭଗୀନି ନିବେଦିତା କହିଛନ୍ତି ଯେ, ସ୍ୱତନ୍ତ୍ର ଦେଶର ନାଗରିକମାନେ ଯେବେ ଅନୁଶାସନ ଅନୁପାଳନ କରିବେ ତାହା ହିଁ ହେବ ଦେଶଭକ୍ତିର ନିଦର୍ଶନ । ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ଦ୍ୱାରା ସଂସଦରେ ପ୍ରଦତ୍ତ ଭାଷଣ ମଧ୍ୟ ଏଭଳି ନିୟମ କାନୁନ ପାଳନ ଉପରେ ଆଧାରିତ । ସମାଜରେ ସଦ୍‌ଭାବ, ସହଯୋଗ ଓ ଶାନ୍ତିର ବାତାବରଣ ନିର୍ମିତ କରିବାକୁ ହେବ । ପ୍ରଶାସନକୁ ଏକ ସଂସ୍କାରମୂଳକ ଶିକ୍ଷାନୀତି ଶୀଘ୍ର ପ୍ରଚଳିତ କରିବାକୁ ହେବ । କାରଣ ଏସବୁ ଶାସନ ପ୍ରଶାସନର ନୀତିନିୟମକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ସମାଜରେ ତାହା ଲାଗୁ କରିବାର ପଦ୍ଧତି ତଥା ସମାଜର ଆଚରଣ ଦ୍ୱାରା ସହଯୋଗ ଏହି ତିନୋଟି କଥା ଏକାଠି ହେଲେ ଯାଇ ଏହା ସମ୍ଭବ ହେବ । ସରକାର ନିଜ ପ୍ରଶାସନକୁ ସମାଜୋନ୍ମୁମୁଖୀ କରିବା ଉଚିତ, ରାଜନୈତିକ ଦଳମାନେ ନିଜ ନିଜର ରାଜନୈତିକ ସ୍ୱାର୍ଥକୁ ଛାଡି ଦେଶର ସ୍ୱାର୍ଥକୁ ଆଖି ଆଗରେ ରଖିବା ଉଚିତ । ନାଗରିକମାନେ ସେଭଳି ବ୍ୟବହାର ପ୍ରଦର୍ଶିତ କରିବା ଉଚିତ । ଏ ସମସ୍ତ ଦିଗରେ ବର୍ତ୍ତମାନର ସଂକଟ ଅନେକ କିଛି ସଂକେତ ଦେଇଛି । ଏହି ସମସ୍ତ ତଥ୍ୟକୁ ବିଚାର କରି ଆମକୁ ଜୀବନର ନୂତନ ମନସ୍ଥିତି ଅନୁସାରେ ଆଚରଣ କରିବାକୁ ହେବ । ଆମେ ସମସ୍ତେ ମିଳିମିଶି ଏ ଦେଶ ଏ ସମାଜର ନିଜତ୍ୱକୁ ଦୃଷ୍ଟିରେ ରଖି ଆମ ସମାଜକୁ ଏ ସଂକଟମୟ ପରିସ୍ଥିତିରୁ ମୁକ୍ତି ଦେଇ ପାରିବା ।
ଭାରତକୁ ସମଗ୍ର ବିଶ୍ୱ ମାନବତାର ନେତୃତ୍ୱ ନେଲାଭଳି ଦେଶଭାବେ ଗଢି ତୋଳିବା ପାଇଁ ୍‌ଆମ ସମସ୍ତଙ୍କୁ ଆତ୍ମବିଶ୍ୱାସର ସହିତ କାର୍ଯ୍ୟ କରିବାକୁ ହେବ । ଏହି ବର୍ତ୍ତମାନର ସଂକଟକୁ ଏକ ସୁଯୋଗରେ ପରିବର୍ତ୍ତିତ କରି ଆମକୁ ଏକ ନୂତନ ଭାରତର ଉତ୍‌ଥାନ ପାଇଁ ଚେଷ୍ଟା କରିବାକୁ ହେବ । ସଂଘର ସମସ୍ତ ସ୍ୱୟଂସେବକ ଏହି ଭଳି ବିଚାର ରଖନ୍ତି ଏବଂ ସେମାନେ ଏହାକୁ ପାଳନ କରିବେ ନିଶ୍ଚୟ , ହେଲେ ସଂପୂର୍ଣ୍ଣ ସମାଜରେ ଏଭଳି ଭାବନା ଆସିବା ଉଚିତ । ଏତିକି ମାତ୍ର କହି ମୁଁ ମୋର ନିବେଦନ ସମାପ୍ତ କରୁଛି । 

Comments