ଚିରନିଦ୍ରାରେ ସଂସ୍କାର ଭାରତୀର ପୂର୍ବତନ ରାଜ୍ୟ ସଭାପତି ଡ.ରତ୍ନାକର ଚଇନି


କଟକ,୧୮ା୪  : ସଂସ୍କାର ଭାରତୀର ପୂର୍ବତନ ରାଜ୍ୟ ସଭାପତି,ବିଶିଷ୍ଟି ସାରସ୍ୱତ ସାଧକ ତଥା ଓଡ଼ିଆ ଅଧ୍ୟାପକ ଡ. ରତ୍ନାକର ଚଇନିଙ୍କ ପରଲୋକ ହୋଇଛି । କଟକ ସ୍ଥିତ ତାଙ୍କ ବାସ ଭବନ ଶ୍ରୀ ନିକେତନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ସେ ଏକାଧାରାରେ ଥିଲେ ଜଣେ ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର, ଗାଳ୍ପିକ, ଔପନ୍ୟାସିକ ଓ ସମାଳୋଚକ । ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତି ଘଟିଛି । ‘କଳଙ୍କିତ ସୂର୍ଯ୍ୟ’ ନାଟକ ପାଇଁ ୧୯୭୫ରେ ଡ. ରତ୍କାକର ଚଇନିଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରେ ସମ୍ମାନିତ କରାଯାଇଥିଲା । ୧୯୭୨ରେ ‘ରାଜହଂସ’ ନାଟକ ପାଇଁ ଅହମ୍ମଦାବାଦରେ ଶ୍ରେଷ୍ଠ ନାଟ୍ୟକାର ସମ୍ମାନ, ୧୯୯୭ରେ ନାଟ୍ୟଶ୍ରୀ ସମ୍ମାନ, ୧୯୯୯ ଗଣକବି ବୈଷ୍ଣବପାଣୀ ସମ୍ମାନ, ୨୦୦୩ରେ ନାଟ୍ୟ ଭୂଷଣ, ୨୦୧୬ରେ ତାଙ୍କୁ ସାହିତ୍ୟ ଭାରତୀ ସମ୍ମାନ ଆଦି ୩୦ରୁ ଅଧିକ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି । ରତ୍କାକର ଚଇନିଙ୍କ ଜନ୍ମ ୨୫ ଜୁଲାଇ ୧୯୪୫ରେ କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ସରେଇ ଗ୍ରାମରେ ହୋଇଥିଲା । ନେମାଳ ହାଇସ୍କୁଲରୁ ଦଶମ ଶ୍ରେଣୀ ପାସ୍ କରିବା ପରେ ଖ୍ରୀଷ୍ଟ କଲେଜରୁ ଗ୍ରାଜୁଏସନ ପାସ୍ କରିଥିଲେ ।

Comments