-ରବିଶଙ୍କର ପ୍ରସାଦ କେନ୍ଦ୍ର ଆଇନ ଓ ନ୍ୟାୟ, ଇଲୋକ୍ଟ୍ରୋନିକ୍ସ ଓ ଆଇଟି ଏବଂ ସଂଚାର ମନ୍ତ୍ରୀ
୩୦ ମେ, ୨୦୨୦ରେ ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିକୁ ଗୋଟିଏ ବର୍ଷ ପୂରିଛି । ଏ ସରକାର ୩୦ ମେ, ୨୦୧୯ରେ ଦାୟିତ୍ୱଭାର ଗ୍ରହଣ କରିଥିଲା । ଜଣେ ବିଶ୍ୱସ୍ତରୀୟ ଲୋକପ୍ରିୟ ନେତା ଭାବେ ନରେନ୍ଦ୍ର ମୋଦୀଙ୍କ ଉତ୍ଥାନ ଭାରତୀୟ ଗଣତାନ୍ତ୍ରିକ ରାଜନୀତିରେ ଏକ ଉଲ୍ଲେଖନୀୟ ଉପଲବ୍ଧି । ୨୦୧୪ରେ ତାଙ୍କ ନେତୃତ୍ୱରେ ବିଜେପି ଏବଂ ଏନଡିଏ ଦୃଢ଼ ସଂଖ୍ୟାଗରିଷ୍ଠତା ହାସଲ କରି କ୍ଷମତାକୁ ଆସିଥିଲା, ବିଜେପି ଏକାକୀ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିଲା । ୩୦ ବର୍ଷ ପରେ ଏଭଳି ଏକ ବିଜୟ ପ୍ରାପ୍ତ ହୋଇଥିଲା । ଆମର ପ୍ରଥମ ପାଳି ସରକାର ସଂସ୍କାର, ପ୍ରଦର୍ଶନ ଏବଂ ପରବର୍ତନ ଲାଗି କେତେକ ଦୂରଦର୍ଶୀ ପଦକ୍ଷେପ ଗ୍ରହଣ କରିଥିଲେ । ଏହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଥିଲା ସାଧାରଣ ନାଗରିକଙ୍କ ସମାବେଶନ ଏବଂ ସଶକ୍ତିକରଣ । ପ୍ରଯୁକ୍ତିର ଉପଯୋଗ କରି ଡିଜିଟାଲ ଇଣ୍ଡିଆ ଜରିଆରେ ହେଉ, ଜାମ ତ୍ରୟ ମାଧ୍ୟମରେ ଆର୍ଥିକ ଅନ୍ତର୍ଭୂକ୍ତିକରଣ ହେଉ, ସ୍ୱଚ୍ଛତା ଏବଂ ପରିମଳରେ ଉନ୍ନତି ଆଣିବା ଲାଗି ସ୍ୱଚ୍ଛ ଭାରତ ଅଭିଯାନକୁ ଗଣ ଆନ୍ଦୋଳନରେ ପରିଣତ କରିବା ହେଉ କିମ୍ବା ଆୟୁଷ୍ମାନ ଭାରତ ଭଳି କାର୍ଯ୍ୟକ୍ରମ ଜରିଆରେ ସ୍ୱାସ୍ଥସେବା ପ୍ରଦାନରେ ସୁଧାର ହେଉ, ଏସବୁ ପଦକ୍ଷେପ ବିଶେଷ ଉଲ୍ଲେଖନୀୟ ଥିଲା । ଭାରତର ରଣନୈତିକ ଓ ନିରାପତା ହିତକୁ ସୁରକ୍ଷିତ ରଖିବା କ୍ଷେତ୍ରରେ ଆମର ପ୍ରଧାନମନ୍ତ୍ରୀ ଜଣେ ସାହସୀ ତଥା ଦୃଢ଼ବିଶ୍ୱାସୀ ନେତା ଭାବେ ଉଦିତ ହୋଇଥିଲେ ଏବଂ ବିଶ୍ୱସ୍ତରରେ ଭାରତର ସମ୍ମାନ ବୃଦ୍ଧି ପାଇଲା । ଭାରତର ଜନସାଧାରଣ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ସେମାନଙ୍କ ଆସ୍ଥା ପ୍ରକଟ କଲେ ଏବଂ ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କ ନେତୃତ୍ୱକୁ ଆହୁରି ଅଧିକ ସୁଦୃଢ଼ ସଂଖ୍ୟାଗରିଷ୍ଠତା ମିଳିଲା । ପ୍ରଧାନମନ୍ତ୍ରୀଙ୍କୁ ବଦନାମ କରିବା ଲାଗି ବିରୋଧୀଙ୍କ ସମସ୍ତ ପ୍ରକାର ପ୍ରଚେଷ୍ଟା ବିଫଳ ହୋଇଥିଲା । ଗତ ୬ ଦଶନ୍ଧି ମଧ୍ୟରେ ଏଭଳି ପରିସ୍ଥିତି କେବେ ବି ଦେଖିବାକୁ ମିଳନଥିଲା । ପ୍ରଥମ ଥର ଲାଗି ଦେଶର ଜନସାଧାରଣ ଜାତୀୟସ୍ତରରେ ପ୍ରଦର୍ଶନ ଆଧାରରେ କୌଣସି ସରକାର ପୁନଃନିର୍ବାଚିତ କରିଥିଲେ । ଏହି ନୂତନ ତଥା ବିପୁଳ ବିଜୟ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଆହୁରି ସାହସିକ ସଂସ୍କାର ଓ ଲୋକାଭିମୁଖୀ ପଦକ୍ଷେପ ଗ୍ରହଣ କରିଥିଲେ । ପିଏମ କିସାନ ଯୋଜନାରେ ବାର୍ଷିକ ୬୦୦୦ ଟଙ୍କାର ରୋଜଗାର ସହାୟତା ସମସ୍ତ ବର୍ଗର କୃଷକମାନଙ୍କ ପାଇଁ ସମ୍ପ୍ରସାରିତ କରାଗଲା । କୃଷକ, ଶ୍ରମିକ, ବ୍ୟବସାୟୀ ଓ ସ୍ୱାବଲମ୍ବୀ ଲୋକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ପାଇଁ ସମର୍ପିତ ପେନସନ ଯୋଜନା ଆରମ୍ଭ କରାଗଲା । ଦେଶର ସବୁ ଗାଁକୁ ବିଦ୍ୟୁତ ସଂଯୋଗ, ୮ କୋଟି ପରିବାରକୁ ରିହାତି ମୂଲ୍ୟରେ ଏଲପିଜି ସଂଯୋଗ ଏବଂ ଡିଜିଟାଲ ଇଣ୍ଡିଆରେ ସମସ୍ତଙ୍କୁ ଅନ୍ତର୍ଭୂକ୍ତ କରିବା ଆଦି ଆମ ସରକାରଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି । ଜାମ ତ୍ରୟ- ଜନ ଧନ, ଆଧାର, ମୋବାଇଲ ପ୍ଲାଟଫର୍ମ ଗରିବଙ୍କୁ ଲାଭ ହସ୍ତାନ୍ତର କରିବାର ମାର୍ଗକୁ ବଦଳାଇ ଦେଇଛି । ୪୩୫ଟି ସରକାରୀ ଯୋଜନାରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଂଟକୁ ୧୧ ଲକ୍ଷ କୋଟି ଟଙ୍କା ସିଧାସଳଖ ହସ୍ତାନ୍ତର କରାଯାଇଛି । ଫଳରେ ଦଲାଲ ଓ ଜାଲି ହିତାଧିକାରୀ ବାଟମାରଣା କରୁଥିବା ୧.୭୦ ଲକ୍ଷ କୋଟି ଟଙ୍କା ସଂଚୟ କରାଯାଇପାରିଛି ।“ଧାରା ୩୭୦ ଉଚ୍ଛେଦ, ତିନି ତଲାକ ପ୍ରଥା ଉଚ୍ଛେଦକରି ଏହାକୁ ଦଣ୍ଡନୀୟ କରିବା ଏବଂ ପଡ଼ୋଶୀ ଦେଶରେ ନିର୍ଯାତିତ ସଂଖ୍ୟାଲଘୁ ନାଗରିକମାନଙ୍କୁ ନାଗରିକତା ପ୍ରଦାନ କରିବା ଲାଗି ଆଇନ ଅଣାଯିବା ଭଳି ପଦକ୍ଷେପ ବାସ୍ତବରେ ଯୁଗାନ୍ତକାରୀ । ଅର୍ଥନୀତି ଦୃଷ୍ଟିରୁ ଭାରତ ଆଜି ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ପାଇଁ ପସନ୍ଦଯୋଗ୍ୟ ଗନ୍ତବ୍ୟ ହୋଇପାରିଛି । ବ୍ୟବସାୟିକ ସୁଗମତା ର୍ୟାଙ୍କିଙ୍ଗରେ ଦେଶ ୨୦୧୪ରେ ୧୪୨ତମ ସ୍ଥାନରେ ଥିବା ସମୟରେ ୨୦୧୯ରେ ୬୩ତମ ସ୍ଥାନରେ ଆସି ପହଁଚିଛି । ଏଥିସହିତ ବିଶ୍ୱର ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଉତ୍ପାଦ ନିର୍ମାତା ଏବଂ ଦ୍ୱିତୀୟ ସର୍ବବୃହତ ମୋବାଇଲ ଫୋନ ନିର୍ମାତା ହୋଇପାରିଛି । ତେବେ କୋଭିଡ ୧୯ ରୂପରେ ସବୁଠୁ ଅପ୍ରତ୍ୟାଶିତ ଆହ୍ୱାନ ଆସିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଲ୍ଲେଖନୀୟ ସାହସ, ସହାନୁଭୂତି ଓ ପ୍ରତିବଦ୍ଧତାର ପ୍ରଦର୍ଶନ କରିଛନ୍ତି । ଏହି ମହାମାରୀର କୌଣସି ଟିକା ନଥିବାରୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଲକଡାଉନ ହିଁ ଏକମାତ୍ର ଉପାୟ । ତୁଳନାତ୍ମକ ଭାବେ ଦେଖିଲେ ଚୀନକୁ ବାଦ ଦେଇ ଯେଉଁ ୧୫ଟି ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ କୋଭିଡ ୧୯ ଦ୍ୱାରା ପ୍ରଭାବିତ ହୋଇଛନ୍ତସେସବୁ ଦେଶର ମୋଟ ଜନସଂଖ୍ୟା ୧୪୨ କୋଟି ହୋଇଥିବା ବେଳେ କୋଭିଡ ୧୯ କାରଣରୁ ସେଠାରେ ୩.୦୭ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ଅପରପକ୍ଷରେ ୧୩୭ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତରେ ମୃତ୍ୟୁ ସଂଖ୍ୟା ମାତ୍ର ୪୫୩୪ ରହିଛି । ଭାରତରେ ଆରୋଗ୍ୟ ହାର ମଧ୍ୟ ବେଶ ଉଚ୍ଚସ୍ତରରେ ରହିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଦେଶର ଗରିବ ଓ ବଂଚିତ ବର୍ଗର ଲୋକମାନଙ୍କ ପାଇଁ ୧.୭୦ ଲକ୍ଷ କୋଟି ଟଙ୍କାର ବୃହତ ପରିମାଣର କ୍ଷତିପୂରଣ ଘୋଷଣା କରିଥିଲେ । ଏଥିସହିତ ୮୦ କୋଟି ଲୋକଙ୍କୁ ତିନି ମାସ ପାଇଁ ମାଗଣା ଖାଦ୍ୟଶସ୍ୟ ଯୋଗାଣ ଓ ୨୦ କୋଟି ଜନଧନ ଆକାଉଂଟଧାରୀ ମହିଳାଙ୍କୁ ଆର୍ଥିକ ଲାଭ ହସ୍ତାନ୍ତର କରାଯାଇଛି । ଡିବିଟି ଜରିଆରେ ପାଖାପାଖି ୫୨,୬୦୬ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି । ପରବର୍ତୀ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆତ୍ମ ନିର୍ଭର ଭାରତ ଯୋଜନାରେ ବିଶାଳ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଛନ୍ତି । ଏଥିମଧ୍ୟରୁ ପାଖାପାଖି ୫.୯୪ ଲକ୍ଷ କୋଟି ଟଙ୍କା ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ, ରିଅଲ ଇଷ୍ଟେଟ କ୍ଷେତ୍ର ଏବଂ ବିଦ୍ୟୁତ ବିତରଣ କ୍ଷେତ୍ର ପାଇଁ ଆବଂଟନ କରାଯାଇଛି, ଯେଉଁଥିରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଅଧିକ ସଂଖ୍ୟକ ଉଦ୍ୟୋଗକୁ ଲାଭାନ୍ୱିତ କରିବା ଲାଗି ଏମଏସଏମଇଗୁଡ଼ିର ମାନ୍ୟତାରେସଂଶୋଧନ କରାଯାଇଛି । କୃଷକ, ଗ୍ରାମୀଣ ଅର୍ଥବ୍ୟବସ୍ଥା, ପ୍ରବାସୀ, ସହରାଂଚଳ ଗରିବ ଏବଂ ମଧ୍ୟମବର୍ଗର ଗୃହ କ୍ରେତାମାନଙ୍କ ପାଇଁ ୩.୧୬ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ପରବର୍ତୀ ଦୁଇ ମାସ ପାଇଁ ମାଗଣା ଖାଦ୍ୟ ଶସ୍ୟ ଯୋଗାଣ ଏବଂ ଉଠାଦୋକାନୀଙ୍କ ପାଇଁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ସହଜ ଋଣ ବ୍ୟବସ୍ଥା ମଧ୍ୟ କରାଯାଇଛି । ଆହୁରି ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଅତିରିକ୍ତ ୪୦ ହଜାର କୋଟି ଟଙ୍କା ଆବଂଟନ କରାଯାଇଛି, ଯାହାକି ସହର ଓ ଗ୍ରମାଂଚଳ ଗରିବ ବିଶେଷ କରି ପ୍ରବାସୀ ଶ୍ରମିକମାନଙ୍କୁ ସହାୟକ ହୋଇପାରିବ । କୃଷି କ୍ଷେତ୍ର ପାଇଁ ୧.୬୩ ଲକ୍ଷ କୋଟି ଟଙ୍କା ଘୋଷଣା କରାଯାଇଛି । ଫାର୍ମଗେଟ କୃଷି ଭିତିଭୂମି ପାଇଁ ଏତେ ଅଧିକ ପରିମାଣର ଅର୍ଥ ଆବଂଟନ କରାଯିବା ବାସ୍ତବରେ ଯୁଗାନ୍ତକାରୀ ପଦକ୍ଷେପ । ଏହାଛଡ଼ା କୃଷି ଉତ୍ପାଦକୁ ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ବିକ୍ରି ଲାଗି ଅନୁମତି ଦେବା ନିମନ୍ତେ ସଂସ୍କାର ଅଣାଯିବା ଫଳରେ ଚାଷୀମାନେ ସେମାନଙ୍କ ଉତ୍ପାଦର ଶ୍ରେଷ୍ଠ ମୂଲ୍ୟ ପାଇପାରିବେ । କୋଭିଡ-୧୯ ଆହ୍ୱାନକୁ ଏକ ସୁଯୋଗ ଭାବେ ନେଇ ପ୍ରଧାନମନ୍ତ୍ରୀ ଭାରତୀୟମାନଙ୍କ ସୃଜନଶୀଳ ଓ ଉଦ୍ୟମିସାମର୍ଥ୍ୟକୁ ଉନ୍ମୁକ୍ତ କରିବା ଲାଗି ଦୀର୍ଘଦିନରୁ ପଡ଼ି ରହିଥିବା ସଂସ୍କାରକୁ କାର୍ଯ୍ୟକାରୀ କରିଛନ୍ତି । ଆତ୍ମନିର୍ଭର ଭାରତ ଯୋଜନାକୁ ପ୍ରଭାବୀ କରିବା ଲାଗି ଭାରତକୁ ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦୀ କରିବା ଲାଗି ଏହା ସହାୟକ ହୋଇପାରିବ । କୋଇଲା ଓ ଖଣି କ୍ଷେତ୍ରରେ ଦୃଢ଼ ସଂସ୍କାର, ଭାରତକୁ ବିମାନ ମରାମତିର କେନ୍ଦ୍ର ଭାବେ ଗଢ଼ିବା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ସ୍ୱଦେଶୀ ଉତ୍ପାଦନ ଆଦି ଏଥିରେ ସାମିଲ ରହିଛି । ଇଲେକ୍ଟ୍ରୋନିକ୍ସ “ଉତ୍ପାଦନ କ୍ଷେତ୍ରରେ ପୂର୍ବରୁ ଘୋଷଣା ହୋଇଥିବା ୫୦ ହଜାର କୋଟି ଟଙ୍କାର ଯୋଜନାକୁ ମଧ୍ୟ ଏଥିରେ ସାମିଲ କରାଯିବ ଯାହା ଉତ୍ପାଦନ ଏବଂ ନିଯୁକ୍ତି ସୃଷ୍ଟିରେ ସହାୟକ ହୋଇପାରିବ । କୋଭିଡ ୧୯ ସମୟରେ ନବୋନ୍ମେଷର ବ୍ୟାପକ ପ୍ରଗତି ଦେଖିବାକୁ ମିଳିଛି । ସଂକ୍ରମିତ ଓ ସାଧାରଣ ଲୋକଙ୍କୁ ସଚେତନ କରିବା ଲାଗି ଆରୋଗ୍ୟ ସେତୁ ଭଳି ପ୍ଲାଟଫର୍ମ, ଭିଡିଓ କନଫରେନ୍ସିଂ ପାଇଁ ଅଭିନବ ଭାରତୀୟ ଉତ୍ପାଦ, ଘରୁ ଥାଇ କାର୍ଯ୍ୟ କରିବାର ଆନ୍ଦୋଳନ, ଟିଭି ଚ୍ୟାନେଲ ଭଳି ମାଧ୍ୟମ ଜରିଆରେ ଡିଜିଟାଲ ଶିକ୍ଷା ଉପରେ ଗୁରୁତ୍ୱାରୋପ ଆଦି ସାଧାରଣ ଭାରତୀୟଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି । ଆଧାର ଆଧାରିତ ପଇଠ ବ୍ୟବସ୍ଥା ମାଧ୍ୟମରେ ଭାରତୀୟ ଡାକ ୯୨.୮୧ ଲକ୍ଷ କାରବାର ଜରିଆରେ ୧,୬୭୫ କୋଟି ଟଙ୍କା ନଗଦ ଉଠାଣ ସୁବିଧା ପ୍ରଦାନ କରିଛି ଯାହାକି ଏଟିଏମ କିମ୍ବା ବ୍ୟାଙ୍କ ଶାଖାକୁ ଯିବାର ସମସ୍ୟାକୁ ଦୂର କରିଛି । ନିଶ୍ଚିତ ଭାବେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଏବଂ ଏହାକୁ ଦୂର କରିବା ଲାଗି ଆମେ ସମସ୍ତେ ଶ୍ରେଷ୍ଠ ପ୍ରୟାସ କରିବାର ଆବଶ୍ୟକତା ରହିଛି । ଏମଜିଏନଆରଇଜିଏରେ ଅଧିକ ପାଣ୍ଠି ଆବଂଟନ, ସେମାନଙ୍କ ଯାତାୟାତ ପାଇଁ ୩୫୦୦ ଶ୍ରମିକ ସ୍ପେଶାଲ ଟ୍ରେନ ବ୍ୟବସ୍ଥା, ସ୍କ୍ରିନିଂ ପାଇଁ ଲୋକବଳ ଯୋଗାଇ ଦେବା, କ୍ୱାରେଂଟାଇନ ସୁବିଧା ଏବଂ ମାଗଣା ରାସନ ଯୋଗାଣ ପାଇଁ ରାଜ୍ୟ ସରକାରଙ୍କୁ ସହାୟତା ଭଳି ସଂଖ୍ୟାଧିକ ପଦକ୍ଷେପ ଗ୍ରହଣ କରାଯାଇଛି । କୋଭିଡ-୧୯ ସଙ୍କଟ ହିମାଳୟ କ୍ଷେତ୍ରକୁ ମଧ୍ୟ ପ୍ରଭାବିତ କରିଛି, ଯାହା ବିଗତ କିଛି ବର୍ଷ ହେବ ଦେଖାଯାଇନଥିଲା । ତେବେ ଆମ ପ୍ରଧାନମନ୍ତ୍ରୀଙ୍କ ସାହସୀ ଏବଂ ଦୃଢ଼ ନେତୃତ୍ୱ, ରାଜ୍ୟ ସରକାରଙ୍କ ସହିତ ଦଳଗତ ଭାବେ କାର୍ଯ୍ୟ କରାଯିବା ଯୋଗୁ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକ ଅପେକ୍ଷା ଭାରତ ଏହି ସଙ୍କଟକୁ ଖୁବ ଭଲ ଭାବେ ମୁକାବିଲା କରିପାରିଛି । ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ୱାରା ପ୍ରଦର୍ଶିତ ସାହସ ଓ ସହାନୁଭୂତି ବଳରେ ଆମେ ନିଶ୍ଚିତ ଭାବେ ଏ ସଙ୍କଟକୁ ଦୂର କରିବାରେ ସଫଳ ହେବା । ଆମେ ନିଶ୍ଚିତ ଯେ ଏହି ଆହ୍ୱାନ ଆମ ଦେଶ ପାଇଁ ଏକ ବୃହତ ସୁଯୋଗ ସୃଷ୍ଟି କରିବ । ଏବେ ଭାରତର ସମୟ ଆସିଯାଇଛି ।
Comments
Post a Comment