ଭୁବନେଶ୍ୱର, ୩୦/୫ : ବର୍ତ୍ତମାନ ସାରା ଦେଶରେ ମହାମାରୀ କରୋନା ବିରୁଦ୍ଧରେ ଲଢ଼େଇ କରୁଛି । ଏହି ମହାମାରୀ ସମୟରେ ଆମେ ସମସ୍ତେ ନିଜ ନିଜ ଘରେ ତାଲାବନ୍ଦ ରହିଥିବାବେଳେ ଆମ ସମସ୍ତଙ୍କ ପାଇଁ ଏ ଯୁଦ୍ଧରେ ବିଜୟ ଲାଭ କରିବାକୁ ନିଃସ୍ୱାର୍ଥପର ଭାବେ ଅହରହ ପ୍ରଚେଷ୍ଟା ଜାରି ରଖିଥିବା କରୋନା ଯୋଦ୍ଧାଙ୍କୁ ବିଶ୍ୱର ସର୍ବ ବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଆଜି ରାଜ୍ୟବ୍ୟାପୀ ସମ୍ବର୍ଦ୍ଧିତ କରାଯାଇଛି । ସ୍ଥାନ ବିଶେଷରେ ପ୍ରଶାସନିକ ଅଧିକାରୀ, ମିଡିଆ ବନ୍ଧୁ, ସଫେଇ କର୍ମଚାରୀ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଅଗ୍ନିଶମ ବାହିନୀ, ପୋଲିସ କର୍ମଚାରୀ, ମେଡ଼ିକାଲ କର୍ମଚାରୀ, ସଂଗରୋଧ କେନ୍ଦ୍ର କର୍ମଚାରୀ, ମୁନିସିପାଲିଟି ସଭାପତି, ସରପଂଚ, ୱାର୍ଡ଼ ମେମ୍ବରଙ୍କ ସମେତ ସମସ୍ତ କରୋନା ଯେ।।ଦ୍ଧାଙ୍କୁ ଉତରୀୟ, ପୁଷ୍ପ, ମାନପତ୍ର ଓ ମିଠା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସାରା ଓଡ଼ିଶାରେ ଆଜି ଗୋଟିଏ ଦିନରେ ୩୦ଟି ଜିଲ୍ଲାରେ ୪୦,୦୦୦ରୁ ଉର୍ଦ୍ଧ୍ୱ କରୋନା ଯୋଦ୍ଧାଙ୍କୁ ୧୫,୦୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସମ୍ମାନୀତ କରିଥିଲେ । ଏବିଭିପି ଓଡ଼ିଶା ପ୍ରଦେଶର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର କହିଛନ୍ତି, କରୋନା ଯୋଦ୍ଧାମାନଙ୍କ ଭୂମିକା ଦେଶ ଭିତରର ସୈନିକ ଭଳି, ଆଗକୁ ମଧ୍ୟ ଏହିଭଳି ସମ୍ମାନ ପ୍ରଦର୍ଶନ ପୂର୍ବକ କାର୍ଯ୍ୟକ୍ରମମାନ ଚାଲୁରହିବ । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏବିଭିପିର କାର୍ଯ୍ୟକର୍ତାମାନେ ବହୁ ସଂଖ୍ୟାରେ ଆଜି ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଏବିଭିପିର ପ୍ରାନ୍ତ କାର୍ଯ୍ୟାଳୟ ମଧ୍ୟ ବରମୁଣ୍ଡା ଅଂଚଳରେ କାମ କରୁଥିବା ସମସ୍ତ ସଫେଇ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସନ୍ଧ୍ୟା ୫.୩୦ ସମୟରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଏଥିରେ କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଗୋବିନ୍ଦ ନାୟକ, ପ୍ରାନ୍ତ ସଂଗଠନ ସମ୍ପାଦକ ଅଭିଳାଷ ପଣ୍ଡା, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ମଲ୍ଲିକ, ଭୁବନେଶ୍ୱର ମହାନଗର ସମ୍ପାଦକ ସମ୍ବିତ ରାଉତ, ସୁଧାଂଶୁ ସାହୁ, ପିଂଟୁ ପ୍ରତୀକ ନାୟକ, ଦେବରାଜ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାର୍ଥୀ ପରିଷଦ କାର୍ଯ୍ୟକର୍ତାଙ୍କ ଦ୍ୱାରା ସମସ୍ତ କରୋନା ଯୋଦ୍ଧାଙ୍କୁ ଦେଶପାଇଁ ଏହିପରି ନିଃସ୍ୱାର୍ଥପର ଭାବେ ସେବା କରିଚାଲିଥିବା କାରଣରୁ ଧନ୍ୟବାଦ ଜ୍ଞାପନ ସହ କୃତଜ୍ଞତା ପ୍ରକଟ କରାଯାଇଥିଲା ।

Comments
Post a Comment