ମୁଁ ମହାରାଷ୍ଟ୍ର ପ୍ରଦେଶର ରାୟଗଡ ଦୁର୍ଗ କିଛି କଥା କହିବାକୁ ଯାଉଛି । ପ୍ରତିବର୍ଷ ଭଳି ଏହି ବର୍ଷର ଜ୍ୟେଷ୍ଠ ଶୁକ୍ଲ ତ୍ରୟୋଦଶ ଦିବସ ଆସୁଛି, ଅତୀତର ଅନେକ ରୋମାଞ୍ଚଭରା ସ୍ମୃତିକୁ ନେଇ । ଆଉ ସେହି ସ୍ମୃତିଚାରଣ କରି ମୁଁ ଆତ୍ମହରା ହୋଇ ଉଠୁଛି । ୧୬୭୪ ମସିହାର ଏହି ତିଥିଟି ଥିଲା,ସମସ୍ତ ଭାରତୀୟ ମାନଙ୍କ ପାଇଁ ଏକ ଗୌରବର ଦିନ । ଆଉ ବିଦେଶୀ ଆକ୍ରମଣକାରୀ ମାନଙ୍କ ପାଇଁ ତାହା ଥିଲା ସତର୍କର ଘଣ୍ଟି । ଏହିଦିନ ମୁଁ ଛତ୍ରପତି ଶିବାଜୀ ମହାରାଜାଙ୍କୁ ମୋ ବକ୍ଷରେ ଜାଗା ଦେଇଥିଲି ସିଂହାସନରେ ବସିବା ପାଇଁ ଓ ସ୍ୱରାଜ୍ୟର ପ୍ରଥମ ହୁକୁମ ନାମା ଜାରି କରିବା ପାଇଁ,ଏହା ସହିତ ଅଂହକାରୀ ଆଉରଙ୍ଗଜେବର ସମସ୍ତ ଦର୍ପ ଚୁନାହୋଇଗଲା ଏବଂ ସେ ବାଧ୍ୟ ହୋଇ ଶିବାଜୀ ମହାରାଜାଙ୍କୁ ସ୍ୱାଧୀନରାଜା ବୋଲି ସ୍ୱୀକାର କଲା । ଏଥିପାଇଁ ମହାରାଜାଙ୍କୁ କେତେ ଲଢେଇ କରିବାକୁ ପଡିଛି ତାର କଥା ଆଉ ଗାଥା ମୁଁ ଆପଣ ମାନଙ୍କୁ କହୁଛି ।
ବିଜାତୀୟ ବିଦେଶୀ ଆକ୍ରମଣକାରୀମାନେ ଭାରତକୁ ଶାସନ କରିବା ସହ ଭାରତୀୟ ସଂସ୍କୃତିକୁ ନଷ୍ଟ କରିବା ପାଇଁ ବଦ୍ଧ ପରିକର ଥିଲେ । ସେମାନଙ୍କ ଦାଉରୁ ଦେଶକୁ ରକ୍ଷା କରିବା ପାଇଁ ଶିବାଜୀ ପାହାଡି ଅଞ୍ଚଳର ମାଓଳା ଯୁବକମାନଙ୍କୁ ନେଇ ତାଙ୍କର ପ୍ରଥମ ସୈନ୍ୟବାହୀନି ତିଆରି କଲେ, ଯାହାର ନେତୃତ୍ୱ ନେଲେ କାଓଜୀ । ଏମାନେ ଆଦିଲଶାହା ଅଧିନରେ ଥିବା ସୁଭାନମଙ୍ଗଳ ଦୁର୍ଗକୁ ଦଖଲକଲେ । କାଓଜୀଙ୍କ ଖଣ୍ଡା ଚୋଟରେ ଦୁର୍ଗ ରକ୍ଷକ ବାଲାଜୀ ପ୍ରାଣତ୍ୟାଗ କଲା ଓ ଆଦିଲ ଶାହାର ସୈନ୍ୟମାନେ ଛତ୍ରଭଙ୍ଗ ଦେଲେ । ଏହାର ପ୍ରତିଶୋଧ ନେବାପାଇଁ ଆଦିଲ ଶାହାର ଜଣେ ସେନାପତି ଆଫଜଲ ଖାଁ ଏକ ଲକ୍ଷ ସୈନ୍ୟଧରି ଆସି ପ୍ରତାପଗଡରେ ପହଁଚିଲେ । ଯୁଦ୍ଧ ପୂର୍ବରୁ ଦୁହେଁ ସନ୍ଧି ନିମିତ୍ତ କଥା ବାର୍ତ୍ତା ହେବାପାଇଁ ଗୋଟିଏ ନିରୋଳା ଯାଗାରେ ଏକାଠି ହେଲେ । ଆଫଜଲ ଖାଁ ପ୍ରତାରଣାକରି ସେହି ସୁଯୋଗରେ ଶିବାଜୀଙ୍କ ତଣ୍ଟି ଚିପି ଧରିଲା । ଗୁପ୍ତଚର ଠାରୁ ଖବର ପାଇ ଶିବାଜୀ ଆଗରୁ ଏଥିପାଇଁ ପ୍ରସ୍ତୁତ ଥିଲେ । ସେ ତତ୍କ୍ଷଣାତ ଅଣ୍ଟାରୁ ବାଘ ନଖ ଅସ୍ତ୍ରଟି କାଢି ଆଫଜଲ ଖାଁର ପେଟ ଚିରି ଦେଲେ । ଆଫଜଲ ଖାଁର ମୃତ୍ୟୁ ହେବା ସହିତ ତାର ସମସ୍ତ ସୈନ୍ୟ ଛତ୍ରଭଙ୍ଗ ଦେଇ ପଳାଇଗଲେ ।
ଏହାପରେ ପୂର୍ନବାର ପ୍ରତିଶୋଧ ନେବାପାଇଁ ଆଫଜଲ ଖାଁର ପୁତ୍ର ଫାଇଜଲ ଖାଁ ସୈନ୍ୟସାମନ୍ତ ଧରି ଶିବାଜୀଙ୍କୁ ଆକ୍ରମଣ କଲା । ଶିବାଜୀଙ୍କ ପାଇଁ ଏହା ଥିଲା ପ୍ରଥମ ଖୋଲା ପଡିଆରେ ଲଢେଇ । ଏଥିରେ ଫାଇଜଲ ଖାଁ ପରାସ୍ତ ହୋଇ ପ୍ରାଣ ବିକଳରେ ପଳାଇଗଲା । ଏହି ଯୁଦ୍ଧପରେ ଶିବାଜୀ ପହ୍ନାଲ ଗଡରେ ଆସ ରହିଲେ । ଏହି ଗଡରେ କମ୍ ସୈନ୍ୟ ଥାଆନ୍ତି ଓ କମ୍ ଖାଦ୍ୟ ଶସ୍ୟ ଗଛିତ ଥାଏ । ଏହି ସୁଯୋଗରେ ଆଦିଲଶାହା (ବିଜାପୁରର ସୁଲତାନ) ତାର ସେନାପତି ସିଦ୍ଧି ଜୋହରକୁ ପଇଁତିରିଶ ହଜାର ସୈନ୍ୟ ଦେଇ ପହ୍ନାଲଗଡକୁ ଘେରାଉ କରିଦେଲା । ଶିବାଜୀ ନିରାପତ୍ତା ଦୃଷ୍ଟିରୁ ପହ୍ନାଲଗଡ ଛାଡି ବିଶାଳଗଡ ଦୁର୍ଗକୁ ଯିବାକୁ ଚାହିଁଲେ । କିନ୍ତୁ ଯିବେ କେମିତି ? ଦୁର୍ଗ ଚାରିପଟେ ତ ଆଦିଲଶାହା ସୈନ୍ୟମାନଙ୍କର ଘେରାବନ୍ଦି ହୋଇଥାଏ । କିନ୍ତୁ ଯୋଗକୁ ଗୋଟିଏ ଦିନ ଅନ୍ଧକାର ରାତ୍ରୀରେ ମୁଷଳଧାରାରେ ବର୍ଷାହେଲା । ଏହି ରାତ୍ରୀରେ ପହ୍ନାଲଗଡରୁ ଏକ ନକଲି ଶିବାଜୀଙ୍କୁ ପାଲିଙ୍କିରେ ବସାଇ ତିରିଶ ଜଣ ସୈନ୍ୟଙ୍କ ସହ ତଳକୁ ପଠାଇ ଦିଆଗଲା । ଆଦିଲ ଶାହାର ସୈନ୍ୟମାନେ ତାକୁ ଅସଲି ଶିବାଜୀ ଭାବି ଗିରଫକରି ସିଦ୍ଧି ଜୋହର ପାଖକୁ ନେଇଗଲେ ଓ ଆନନ୍ଦରେ ମତୁଆଲ ହୋଇ ଉଠିଲେ । ଏହି ମଉକାରେ ଶିବାଜୀ ତାଙ୍କର ଛଅଶହ ସୈନ୍ୟଧରି ପହ୍ଲାଲ ଗଡ ଛାଡି ବିଶାଳଗଡ ଅଭିମୁଖେ ଚାଲିଲେ । ଅନ୍ଧାର ରାତି ଓ ମୁଷଳ ବର୍ଷା ତାଙ୍କୁ ଏଥିରେ ସାହାଯ୍ୟ କଲା । ଏପଟେ ନକଲି ଶିବାଜୀଙ୍କୁ ଜେରାପରେ ସିଦ୍ଧି ଜୋହର ଜାଣିଲା ଯେ, ସେ ଧୋକା ଖାଇ ଯାଇଛି । ତେଣୁ ସେ ସୈନ୍ୟମାନଙ୍କୁ ଶିବାଜୀଙ୍କୁ ଅନୁଧାବନ କରିବା ପାଇଁ ଆଦେଶ ଦେଲା । ବିଶାଳଗଡ ଦୁର୍ଗତଳେ ଏମାନେ ଶିବାଜୀଙ୍କ ସୈନ୍ୟମାନଙ୍କୁ ଆକ୍ରମଣ କଲେ । ଏହି ସମୟରେ ଶିବାଜୀ କିଛି ସୈନ୍ୟଧରି ଉପରକୁ ଉଠିଗଲେ । ତଳେ ତାଙ୍କର ସେନାପତି ବାଜୀପ୍ରଭୂ ଦେଶପାଣ୍ଡେ କିଛି ସୈନ୍ୟଧରି ସିଦ୍ଧି ଜୋହର ସୈନ୍ୟମାନଙ୍କୁ ଅବରୋଧ କଲେ । ଏକ ଅଣ ଓସାରିଆ ରାସ୍ତାରେ ଭୀଷଣ ଲଢେଇ ହେଲା । ବାଜିପ୍ରଭୂ ଦେଶପାଣ୍ଡେ ବୀରବିକ୍ରମରେ ଲଢେଇ କରି ଧରାଶାୟୀ ହେଲେ । ଏହା ପୂର୍ବରୁ ସିଦ୍ଧିଜୋହରର ସୈନ୍ୟମାନେ ବହୁତ କ୍ଷତ ବିକ୍ଷତ ହେଲେ । ଗଡ ଉପରେ ଶିବାଜୀଙ୍କ ସୈନ୍ୟମାନେ ବଡ ବଡ ପଥର ଗଡେଇ ଶତୃ ସୈନ୍ୟମାନଙ୍କୁ ଘାଇଲା କରିଦେଲେ । ଶେଷରେ ଶିବାଜୀ ଦୂର୍ଗ ଉପରେ ଯାଇ ତୋପ ଫୁଟାଇଲେ । ସେ ନିରାପଦରେ ପହଁଚିବା ଜାଣି ବାଜିପ୍ରଭୂ ଦେଶପାଣ୍ଡେ ଆନନ୍ଦରେ ଶେଷ ନିଶ୍ୱାସ ତ୍ୟାଗକଲେ । ଆଉ ସିଦ୍ଧିଜୋହରର କ୍ଷତାକ୍ତ ସୈନ୍ୟମାନେ ମୁହଁ ଲୁଚାଇ ଅପମାନରେ ଫେରିଗଲେ ।
ଏସବୁ ଦେଖି ଆଦିଲଶାହା ବ୍ୟତିବ୍ୟସ୍ତ ହୋଇପଡିଲା । ସେ ଆଉରଙ୍ଗଜେବଙ୍କୁ ଚିଠି ଲେଖିଲା “ ଶିବାଜୀ ନେତୃତ୍ୱରେ ଦାକ୍ଷିଣାତ୍ୟରେ କାଫେର ରାଜ୍ୟ ପ୍ରତିଷ୍ଠା ହେବାକୁ ଯାଉଛି । ଆପଣ ଗୋଟେ କିଛି କରନ୍ତୁ ।” ଏହି ଚିଠି ପାଇ ଆଉରଙ୍ଗଜେବ ଶାୟସ୍ତଖାଁ କୁ ଏକ ଲକ୍ଷ ସୈନ୍ୟଦେଇ ପୁନା ପଠାଇଲେ ଓ ଶିବାଜୀଙ୍କ ଦୁର୍ଗସବୁକୁ ମାଟିରେ ମିଶାଇ ଦେବାପାଇଁ ଆଦେଶ ଦେଲେ । ଶାୟସ୍ତ ଖାଁ ପୁନାର ଲାଲମହଲ ଦୁର୍ଗରେ ଅବସ୍ଥାନ କଲା । ସେ କାରତଲବ ଖାଁକୁ ୩୦ ହଜରା ସୈନ୍ୟ ଦେଇ ଶିବାଜୀଙ୍କୁ କୌଣସିମତେ ଧରିବା ପାଇଁ ପଠାଇଲା । ବାଟରେ ପଡିଲା ଅଗନା ଅଗନି ବନସ୍ତ ତୁଙ୍ଗାରଣ୍ୟ । ସେହି ଜଙ୍ଗଲରେ ଚାଲିଚାଲି ହାଲିଆ ହୋଇ ତାହାର ସୈନ୍ୟମାନେ ବିଶ୍ରାମ ନେଉଥିଲେ । ଏହି ଘଞ୍ଚ ଜଙ୍ଗଲରେ ଦିନରେ ମଧ୍ୟ ଆଲୁଅ ପଡେ ନାହିଁ । ଏହି ସୁଯୋଗରେ ଶିବାଜୀଙ୍କ ସୈନ୍ୟମାନ ଗରିଲା କୌଶଳରେ ଖାଁ ର ସୈନ୍ୟମାନଙ୍କୁ ଘେରି ଗଲେ । ଆସନ୍ନ ମୃତ୍ୟୁ ଭୟରେ କାରତଲବ ଖାଁ ଶିବାଜୀଙ୍କ ଶରଣ ପଶିଲା ଓ ତା ସୈନ୍ୟମାନଙ୍କୁ ଧରି ପଳାୟନ କଲା । ଏହାପରେ ଶିବାଜୀ ତାଙ୍କର ୧୫/୧୬ ଜଣ ବଛା ବଛା ସୈନ୍ୟଧରି ପୁନାର ଉପକଣ୍ଠରେ ପହଁଚିଲେ । ସେମାନେ ଶାୟସ୍ତଖାଁର ସୈନ୍ୟମାନଙ୍କର ପହରାଦାର ବେଶରେ ପୁନା ଭିତରେ ପ୍ରବେଶକରି ଲାଲମହଲ ଦୁର୍ଗଆଡେ ଚାଲିଲେ । ସେମାନେ ଦୁର୍ଗର ରୋଷେଇଶାଳା ଦେଇ ଭିତରେ ପସିଲେ । ଓ ଶାୟସ୍ତ ଖାଁକୁ ଅଚାନକ ଆକ୍ରମଣ କଲେ । ଶାୟସ୍ତ ଖାଁକୁ ରକ୍ଷା କରିବାକୁ ଯାଇ ତାର ସ୍ତ୍ରୀ ଓ ପୁତ୍ର ମଲେ । ଶାୟସ୍ତ ଖାଁର ମଧ୍ୟ କେତୋଟି ଆଙ୍ଗୁଳି କଟିଗଲା । କିନ୍ତୁ ସେ ଖସି ପଳାଇଗଲା । ଏହାପରେ ଶିବାଜୀଙ୍କ ସୈନ୍ୟମାନେ ବାହାରକୁ ଆସି ନିଜକୁ ଶାୟସ୍ତ ଖାଁ ର ସୈନ୍ୟଭାବେ ପରିଚୟ ଦେଇ “ପକଡୋ ପକଡୋ -କାଟୋକାଟୋ” କହି ହୋ ହାଲ୍ଲା କରି ଖସି ପଳାଇ ଆସିଲେ । ଶାୟସ୍ତ ଖାଁର ସୈନ୍ୟମାନେ ଅପଦସ୍ତ ହୋଇ ଦିଲ୍ଲୀ ଫେରିଗଲେ । ଏସବୁ କଥା ଶୁଣି ଆଉରଙ୍ଗଜେବ ହତବାକ୍ ହୋଇଗଲେ ସତ, କିନ୍ତୁ ଶିବାଜୀଙ୍କୁ ଜବତ କରିବା ନିଶା ଛାଡିଲେ ନାହିଁ । ସେ ପୁଣି ତାଙ୍କର ରାଜପୁତ ସେନାପତି ଜୟସିଂହ କୁ ଏକ ଲକ୍ଷ ସୈନ୍ୟ ଦେଇ ଶିବାଜୀଙ୍କୁ ଧରିବା ପାଇଁ ଦାକ୍ଷିଣାତ୍ୟ ପଠାଇଲୋ ଜୟସିଂହଙ୍କ ସହିତ ତାଙ୍କର ବିଶ୍ୱସ୍ତ ସେନାପତି ଦିଲେର ଖାଁ କୁ ମଧ୍ୟ ପଠାଇଲେ । ସେ ଦୁଇ ଜଣ ଆସି ନର୍ମଦା ନଦୀ କୂଳରେ ଡେରା ପକାଇଲେ । ସମସ୍ତେ ଖାଇ ପିଇ ରାତିରେ ଶୋଇଲେ । ଏହି ରାତ୍ରୀଟି କିନ୍ତୁ ଦିଲ୍ଲେର ଖାଁ ପାଇଁ କାଳରାତ୍ରୀ ଥିଲା । ହଠାତ୍ ରାତି ଅଧରେ କିଛି ଯୁବକ ଦିଲ୍ଲେର ଖାଁ ଶିବିରରେ ପଶି ଆକ୍ରମଣ କରି ଛିନ୍ଛତ୍ର କରିଦେଇ ଘୋଡାରେ ଝପଟି କୁଆଡେ ପଳାଇଗଲେ । ତ୍ରିପଣ୍ଡ କଳା ଲୋକ ଗୁଡାକ କଳା ଘୋଡାରେ ଆସି ରାତ୍ରୀର ଅମା ଅନ୍ଧକାରରେ ଏପରି ଲୁଚି ଚାଲିଗଲେ ଯେ,ସେମାନଙ୍କୁ କେହି ଧରିପାରିଲେ ନାହିଁ । ଦିଲ୍ଲେର ଖାଁର ହଂସା ଉଡିଗଲା । ସେ ଯାଇ ଜୟସିଂହଙ୍କୁ ସବୁ କହିଲା । ସେମାନେ ଜାଣିଲେ ଏହା ଶିବାଜୀଙ୍କର କାମା ରାତି ପାହିଲା ସିନା ଶଙ୍କା ଗଲା ନାହିଁ । ସେମାନେ ଶଙ୍କାଗସ୍ତ ମନରେ ଆକ୍ରମଣ ଆରମ୍ଭ କଲୋ ଏହି ସୁଯୋଗରେ ଶିବାଜୀ ସନ୍ଧି ପ୍ରସ୍ତାବ ଦେଲେ । ଜୟସିଂ ସନ୍ଧି ପ୍ରସ୍ତାବ ଆଉରଙ୍ଗଜେବଙ୍କୁ ଦେବାରୁ ସେ ତୁରନ୍ତ ରାଜି ହୋଇ ଶିବାଜୀଙ୍କୁ କଥାବାର୍ତ୍ତା ପାଇଁ ଆଗ୍ରା ଡକାଇଲେ । ଶିବାଜୀ ଓ ତାଙ୍କ ପୁଅ ଆଗ୍ରା ପହଁଚିବା ପରେ ଆଉରଙ୍ଗଜେବ ଛଳନାକରି ଉଭୟଙ୍କୁ ଗିରଫକରି ଆଗ୍ରା ଜେଲରେ ରଖିଲେ ।
ଶିବାଜୀ ଛଳନାର ଚକ୍ରବ୍ୟୁହରେ ପଶିଗଲେ ସତ କିନ୍ତୁ ଏତେ ସହଜରେ ହାର ମାନିବା ଲୋକ ନୁହଁନ୍ତି । ସେ ମଧ୍ୟ କିଛି ଦିନପରେ ରୋଗାକ୍ରାନ୍ତ ହୋଇ ଶଯ୍ୟାଶାୟୀ ହେବାର ଛଳନା କଲେ । ଏବଂ ଶେଷ ଅବସ୍ଥାରେ ପୂଣ୍ୟ କରିବା ପାଇଁ ଗରିବ ମାନଙ୍କୁ ମିଠା ବାଣ୍ଟିବା ଚାହାଁନ୍ତି ବୋଲି ଆଉରଙ୍ଗଜେବଙ୍କୁ ପ୍ରସ୍ତାବ ଦେଲେ । ଆଉରଙ୍ଗଜେବ ଏହି ପ୍ରସ୍ତାବରେ ରାଜି ହୋଇଗଲେ । କିଛି ଦିନ ମିଠାଇ ବଣ୍ଟାହେବାପରେ ଦିନେ ମିଠାଇ ଟୋକେଇରେ ଶିବାଜୀ ଓ ତାଙ୍କ ପୁଅ ଖସି ପଳାଇଗଲେ । ସେଠାରୁ ଆସିବାପରେ ସେମାନେ ଆଗ୍ରା ସହର ଉପକଣ୍ଠରେ ଥିବା ତାଙ୍କର ବିଶ୍ୱସ୍ତ ବନ୍ଧୁ ନୀରୋଜୀ ପନ୍ଥ ଓ ଦତ୍ତୋଜୀ ପନ୍ଥଙ୍କ ଘରେ ପହଁଚିଲେ । ସେଠି ବେଶ ବଦଳାଇ ରାତ୍ରୀର ଘନ ଅନ୍ଧକାରରେ ଘୋଡାରେ ବସି ମଥୁରା ପଳାଇଗଲେ । ସେଠାରେ ତାଙ୍କର ଅନ୍ୟତମ ବିଶ୍ୱସ୍ତ ବନ୍ଧୁ କୃଷ୍ଣାଜୀଙ୍କ ଘରେ ପୁଅ ଶମ୍ଭୁଜୀଙ୍କୁ ନିରାପଦରେ ଛାଡି ସନ୍ୟାସୀ ବେଶରେ ତାଙ୍କ ସାଥିମାନଙ୍କ ସହ ଭଜନ କରି କରି ଯାଇ ନିଜ ଜାଗା ରାଜଗଡରେ ପହଁଚିଲେ । କିଛି ଦିନର ହୋ ହାଲ୍ଲା ବନ୍ଦ ହେବାପରେ ସେ ପୁଅ ଶମ୍ଭୁଜୀଙ୍କୁ ମଧ୍ୟ ନେଇ ଯିବାର ବନ୍ଦୋବସ୍ତ କଲେ । ଏହି ଘଟଣାପରେ ସମଗ୍ର ଦାକ୍ଷିଣାତ୍ୟରେ ଶିବାଜୀଙ୍କର ସମ୍ମାନ ଓ ପ୍ରତିପତି ବଢିଗଲା । ଶିବାଜୀ ଆଉ କାଳ ବିଳମ୍ବ ନକରି ନିଜକୁ ସ୍ୱାଧୀନରାଜା ବୋଲି ଘୋଷଣାକରି ରାଜ୍ୟାଭିଷେକ ପାଇଁ ପ୍ରସ୍ତୁତ ହେଲେ । କାଶୀର ବିଶିଷ୍ଟ ପଣ୍ଡିତ ଗାଗା ଭଟ୍ଟଙ୍କ ପରାମର୍ଶ ଅନୁଯାୟୀ ୧୬୭୪ ମସିହା ଜ୍ୟେଷ୍ଠମାସ ଶୁକ୍ଲ ପକ୍ଷ ତ୍ରୟୋଦଶୀ ଦିନ ମୋ ବକ୍ଷରେ ଏହି ଉତ୍ସବ ଅନୁଷ୍ଠିତ ହେଲା । ମୋ ନାଁ ରାୟଗଡ ଦୁର୍ଗ ବୋଲି ଆଗରୁ କହିଛି । ମାତା ଜିଜାବାଇ ଆଶୀର୍ବାଦ ଦେବାପାଇଁ ସୁବର୍ଣ୍ଣ ପାଲିଙ୍କିରେ ଆସି ପହଁଚିଲେ । ସମସ୍ତ ନଦୀ ଓ ତୀର୍ଥର ଜଳ ସିଞ୍ଚନ କରାଗଲା । ମୋରପନ୍ଥ ପେଶୱା ଓ ଅଷ୍ଟପ୍ରଧାନ ଘୃତପୂର୍ଣ୍ଣ କଳସ ଓ ଅଭିଷେକ ବସ୍ତୁଧରି ଠିଆ ହୋଇ ଥାଆନ୍ତି । ଶଙ୍ଖ, ଘଣ୍ଟ, ବାଦ୍ୟ, ତୁରୀ ଓ ତୋପଧ୍ୱନି ସହିତ ମହାରାଜା ସିଂହାସନ ଆରୋହଣ କଲେ । ସମସ୍ତ ରାଜା, ମହାରାଜା, ବାଦ୍ଶାହା, ଶିବାଜୀଙ୍କୁ ସ୍ୱାଧୀନ ରାଜା ଭାବେ ସ୍ୱୀକାର କରି ସେମାନଙ୍କର ଦୁତ ମାଧ୍ୟମରେ ଉପହାରମାନ ପଠାଇଥାନ୍ତି । ଶେଷକୁ ଆଉରଙ୍ଗଜେବ ବାଧ୍ୟ ହୋଇ ତାଙ୍କୁ ସ୍ୱାଧୀନ ରାଜା ଭାବେ ସ୍ୱୀକାର କଲେ । ଏପରିକି ଇଂଲଣ୍ଡର ରାଜା ମଧ୍ୟ ଶିବାଜୀଙ୍କ ପାଖକୁ ତାଙ୍କ ଦୁତ ହେନେରୀ ଆକ୍ସିଡେନ ମାଧ୍ୟମରେ ଏକ ହିରାମୁଦି ଭେଟି ଦେବାପାଇଁ ପଠାଇଥିଲେ । ଏହି ଦିନଠାରୁ ମହାରାଜାଙ୍କ ଆଦେଶରେ ତାଙ୍କ ରାଜ୍ୟରେ ସଂସ୍କୃତ ରାଜଭାଷା ରୂପେ ସ୍ୱୀକୃତ ହେଲା ।
ମୁଁ ରାୟଗଡ ମୋକଥାଟିକୁ ଶେଷ କଲି । ଏହି ବର୍ଷ ମହାରାଜାଙ୍କର ଏହି ରାଜ୍ୟାଭିଷେକ ତିଥିଟି ଜୁନ୍ ମାସ ୪ ତାରିଖରେ ପଡୁଛି । ମୁଁ ଆପଣମାନଙ୍କୁ ଏହି ଅବସରରେ ମୋ ପାଖକୁ ଆସି ମୋର ଏହି ଐତିହାସିକ ଭୂମିକୁ ସ୍ପର୍ଶ କରିବା ପାଇଁ ନିମନ୍ତ୍ରଣ କରୁଛି । ଆଶା ମୋ ନିମନ୍ତ୍ରଣ ନିଶ୍ଚୟ ରକ୍ଷା କରିବେ ।
Comments
Post a Comment