ନୁଆଦିଲ୍ଲୀ : ଦେଶରେ ମାରାତ୍ମକ ଭୂତାଣୁ କରୋନା ତାଣ୍ଡବ ରଚାଇ ଥିବାବେଳେ, ଦେଶରେ କାର୍ଯ୍ୟକାରୀ ହୋଇଛି ଏକ ବଡ଼ ଯୋଜନା । ଦେଶରେ ଗରିବୀ ମୂଳ ଉତ୍ପାଟନ୍ କରିବା ପାଇଁ କେନ୍ଦ୍ରସରକାର ବଦ୍ଧପରିକର ହୋଇଛନ୍ତି । ତେଣୁ ଭାରତ ସରକାର ‘ଗୋଟିଏ ଦେଶ, ଗୋଟିଏ ରାସନ୍ କାର୍ଡ’ ବା ‘ୱାନ୍ ନେସନ୍, ୱାନ୍ ରାସନ୍ କାର୍ଡ’ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି । କରୋନା ସଙ୍କଟ କାରଣରୁ ଦେଶର ଅର୍ଥ ବ୍ୟବସ୍ଥା ପ୍ରଭାବିତ ହୋଇଛି । ଏହି ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ଭାରତ ସରକାର ପ୍ରାୟ ୨୧ ଲକ୍ଷ କୋଟି ଟଙ୍କାର ଆର୍ଥିକ ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହି ଆର୍ଥିକ ପ୍ୟାକେଜ୍ ଘୋଷଣା ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ, ସମଗ୍ର ଦେଶରେ ‘ୱାନ୍ ନେସନ୍, ୱାନ୍ ରାସନ୍ କାର୍ଡ’ ଯୋଜନାକୁ ଚଳିତ ବର୍ଷ ଜୁନ୍ ପହିଲାରୁ କାର୍ଯ୍ୟକାରୀ ହେବ । ଅର୍ଥାତ୍ ଜୁନ୍ ମାସ ୧ ତାରିଖ ଦିନଠୁ କାର୍ଯ୍ୟକାରୀ ହେବ । କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ କହିବା ଅନୁଯାୟୀ, ଦେଶରେ ଜୁନ୍ ୧ ରୁ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି । ଏହି ଯୋଜନା କ’ଣ ଓ ଏହା କିପରି କାର୍ଯ୍ୟକାରୀ ହେବ ସେ ବିଷୟରେ ନିମ୍ନରେ ଦର୍ଶାଯାଇଛି । ବାସ୍ତବରେ ଏହି ଯୋଜନାଟି ମୋବାଇଲ୍ ନମ୍ବରର ପୋଟାବିଲିଟି ଭଳି । ମୋବାଇଲ୍ ପୋର୍ଟରେ ଆପଣଙ୍କ ନମ୍ବର ପରିବର୍ତ୍ତନ ହୁଏ ନାହିଁ ଏବଂ ଆପଣ ସମଗ୍ର ଦେଶରେ ସମାନ ନମ୍ବରରେ କଥା ହୁଅନ୍ତି । ଠିକ୍ ସେହିପରି ରାସନ୍ କାର୍ଡ ପୋଟାବିଲିଟିରେ ଆପଣଙ୍କ ରାସନ୍ କାର୍ଡ ବଦଳିବ ନାହିଁ । ସହଜ ଭାଷାରେ କହିଲେ, ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯଦି ଆପଣ ସ୍ଥାନାନ୍ତରଣ ହେଉଛନ୍ତି ତେବେ ମଧ୍ୟ ଆପଣ ଏହି ଯୋଜନାର ଫାଇଦା ଉଠାଇ ପାରିବେ । ଏହି କାର୍ଡର ଏମ ମୁଖ୍ୟ ବୈଶିଷ୍ଠ୍ୟତା ହେଉଛି ଆପଣ ଯେକୌଣସି ରାଜ୍ୟକୁ ସ୍ଥାନାନ୍ତରଣ ହେଲେ ମଧ୍ୟ ସେହି ରାଜ୍ୟରୁ ନିଜର ସରକାରୀ ରାସନ୍ ନେଇପାରିବେ । ସୂଚନା ଥାଉ ଯେ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ, ଅଗଷ୍ଟ ୨୦୨୦ ସୁଦ୍ଧା ଦେଶର ୨୩ ରାଜ୍ୟ ଏବଂ ୬୭ କୋଟି ରାସନ୍ କାର୍ଡ ଧାରୀ ଏହି ଯୋଜନା ମଧ୍ୟରେ ଆସିଯାଇଥିବେ । ସେହିପରି ମାର୍ଚ୍ଚ ୨୦୨୧ ମସିହା ସୁଦ୍ଧା ଭାରତର ସମସ୍ତ ଶତ ପ୍ରତିଶତ କାର୍ଡ ଧାରୀ ଏହି ଯୋଜନାରେ ଅର୍ନ୍ତଭୁକ୍ତ ହୋଇସାରିଥିବେ । ଏହି ଯୋଜନା କାର୍ଯ୍ୟକାରୀ ହେବା ଦ୍ୱାରା ଦେଶରେ ଭ୍ରଷ୍ଠଚାର କମିବ ବୋଲି ସରକାର ଦାବି ଉପସ୍ଥାପନା କରିଛନ୍ତି । ଦେଶରେ ‘ୱାନ୍ ନେସନ୍, ୱାନ୍ ରାସନ୍ କାର୍ଡ’ ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ, ଏହି ଯୋଜନାର ଫାଇଦା ଉଠାଇବା ପାଇଁ ହେଲେ ଆପଣଙ୍କ ପାଖରେ ଦୁଇଟି ପ୍ରମାଣ ପତ୍ର ରହିବା ଅତ୍ୟନ୍ତ ଜରୁରୀ । ଗୋଟିଏ ହେଲା ସ୍ୱୟଂ ରାସନ୍ କାର୍ଡ ଅନ୍ୟଟି ଆପଣଙ୍କ ଆଧାରକାର୍ଡ । ଏହି ଯୋଜନା କାର୍ଯ୍ୟକାରୀ ହେବା ଦ୍ୱାରା ବିଭିନ୍ନ ସରକାରୀ ରାସନ୍ ଶସ୍ତା ଦରରେ ମିଳିବ । ଖାଦ୍ୟ ସୁରକ୍ଷା ଅଧିନିୟମ, ୨୦୧୩ ଅନୁଯାୟୀ, ଦେଶର ପ୍ରାୟ ୮୫ କୋଟି ଲୋକ ଏହି ଯୋଜନା କାର୍ଯ୍ୟକାରୀ ହେବା ଦ୍ୱାରା ଉପକୃତ ହେବେ । ଖାଦ୍ୟ ସୁରକ୍ଷା ଅଧିନିୟମ, ୨୦୧୩ ଅନୁଯାୟୀ, ଉଚିତ ମୂଲ୍ୟରେ ଓ ଦୋକନ ଦର ଠାରୁ କମ୍ ମୂଲ୍ୟରେ ରାସନ୍କାର୍ଡ ଧାରୀଙ୍କୁ ଯୋଗାଇ ଦିଆଯିବ । ଚାଉଳ କିଲୋ ପ୍ରତି ୩ ଟଙ୍କା ଦରରେ ସରକାରଙ୍କ ତରଫରୁ ଯୋଗାଇ ଦିଆଯିବ । ଏହା ସହିତ ଗହମ ୨ଟଙ୍କା ପ୍ରତି କିଲୋ ଗ୍ରାମ ପିଛା ଏବଂ ମୋଟା ଶସ୍ୟ ୧ ଟଙ୍କା ଦରରେ ରାସନକାର୍ଡ ଧାରୀଙ୍କୁ ଦିଆଯିବ । ଏହି ଯୋଜନା କାର୍ଯ୍ୟକାରୀ ହେବା ଫଳରେ ପ୍ରବାସୀ ଶ୍ରମିକ ମାନେ ଉପକୃତ ହେବେ । ଏହି ଯୋଜନା ଅଧିନରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ୧୦ ଅଙ୍କ ବିଶିଷ୍ଟ ରାସନ୍କାର୍ଡ ନମ୍ବର ପ୍ରଦାନ କରିବେ । ଯେଉଁଥିରେ ପ୍ରଥମ ଦୁଇଟି ଅଙ୍କ ରାଜ୍ୟର କୋର୍ଡ ସଂଖ୍ୟା ରଖାଯିବ ଏବଂ ତୃତୀୟ ଏବଂ ଚତୁର୍ଥ ଅଙ୍କରେ ରାସନ୍କାର୍ଡର ଅଙ୍କ ରହିବ । ଅତିରିକ୍ତ ରାସନ୍କାର୍ଡ ନମ୍ବର ସହିତ ଗୋଟିଏ ଏବଂ ଦୁଇଟି ଅଙ୍କର ଏକ ସେଟ୍ ଯୋଡ଼ା ଯିବ । ଏହାକୁ ସମଗ୍ର ଦେଶରେ କାର୍ଯ୍ୟକାରୀ କରିବା ପାଇଁ ରାସନ୍କାର୍ଡର ପୋଟାବିଲିଟି ସୁବିଧା ରହିବ ।
Comments
Post a Comment