ବାଲେଶ୍ୱର: କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିଖୋଜ ହୋଇଯିବା ସମ୍ପର୍କିତ ପୋଷ୍ଟର ସହରର ବିଭିନ୍ନ ସ୍ଥାନରେ ମରାଯିବା ଓ ସେହି ପୋଷ୍ଟରର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଛି ।ଏହା ଗଣତନ୍ତ୍ର ତଥା ଭାରତୀୟ ସମ୍ବିଧାନ ପ୍ରତି ଅବମାନନା ହୋଇଥିବା ବେଳେ ଏନେଇ ବିଜେପି ପକ୍ଷରୁ ଆଦର୍ଶ ସହଦେବଖୁଣ୍ଟା ଥାନାରେ ଆଜି ଏତଲା ଦାୟର କରାଯାଇଛି । ପୋଷ୍ଟରରେ ସାଂସଦଙ୍କ ଫଟୋ ଥିବା ବେଳେ ଏଥିରେ ‘ଆମ ସାଂସଦ ନିଖୋଜ ଅଛନ୍ତି ଓ ତାଙ୍କୁ ଖୋଜିବାରେ ସାହାଯ୍ୟ କରନ୍ତୁ’ ବୋଲି ନିବେଦନ କରାଯାଇଛି । ତେବେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରାଯିବା ସହ ବାଲେଶ୍ୱରର ବିଭିନ୍ନ ରାଜନୈତିକ ଦଳ ସହ ସମ୍ପୃକ୍ତ ଥିବା ବ୍ୟକ୍ତି ସେୟାର କରିଥିବା ନେଇ ବିଜେପି ପକ୍ଷରୁ ଏତଲାରେ ଦର୍ଶାଯାଇଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀଙ୍କ ସମ୍ମାନ ହାନୀ ହେବା ସହ ତାଙ୍କୁ ଭଲ ପାଉଥିବା ଜିଲ୍ଲାର ଲକ୍ଷ ଲକ୍ଷ ଲୋକଙ୍କ ଅବେଗ ପ୍ରତି କୋଠାରାଘାତ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଏଭଳି ସମ୍ବେଦନଶୀଳ ଘଟଣାର ତଦନ୍ତ ସହ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ବିଜେପି ପକ୍ଷରୁ ଦାବି ହୋଇଛି । ଏତଲାକାରୀ ବିଜେପି କର୍ମକର୍ତ୍ତା ସମର ଶଙ୍କର କାନୁନ୍ଗୋ ହୋଇଥିବା ବେଳେ ଥାନାରେ ଏତଲା ଦେବା ବେଳେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଶୋଭନା ମହାନ୍ତି, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଲମ୍ବୋଦର ନାୟକ, ରଣଜିତ୍ ପ୍ରଧାନ, ମହୁଆ ପ୍ରଧାନ, ସିପ୍ରା ବାଜପେୟୀ, ସୁରଝଙ୍କାର ସେଠୀ ପ୍ରମୁଖଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।
Comments
Post a Comment