ସେନା ଗୁଳିରେ ଟଳିଲେ ୨ ଆତଙ୍କୀ



ଶ୍ରୀନଗର: ଜମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ଶନିବାର ଏକ ଗୁଳିବିନିମୟରେ ସୁରକ୍ଷାକର୍ମୀ ଦୁଇ ଆତଙ୍କୀଙ୍କୁ ନିହତ କରିଛନ୍ତି । ଗୁଳିବିନିମୟ ସମୟରେ ଆତଙ୍କୀଙ୍କ ମାତା-ପିତାଙ୍କୁ ଘଟଣାସ୍ଥଳକୁ ଅଣାଯାଇଥିଲା ଏବଂ ସେମାନଙ୍କୁ ସରେଣ୍ଡର କରିବାକୁ କୁହାଯାଇଥିଲା । କିନ୍ତୁ ଆତଙ୍କୀମାନେ ମାତା-ପିତାଙ୍କ ଗୁହାରୀ ମଧ୍ୟ ଶୁଣିନଥିଲେ ଯାହାପରେ ସେନା ସେମାନଙ୍କୁ ନିହତ କରିଥିଲା । ଆତଙ୍କବାଦୀ ଲସ୍କର-ଏ-ତୋଏବା ସହ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଥିଲା କିନ୍ତୁ ଅଧିକାରୀ କହିଛନ୍ତି ଯେ ସେମାନେ ହିଜିବୁଲ ମୁଜାହିଦ୍ଦୀନର ସଦସ୍ୟ ଥିଲେ । ଗୁଇନ୍ଦା ଏଜନ୍ସିକୁ ସୂଚନା ମିଳିଥିଲା ଯେ, ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାର ବାନପୋରା ଅଞ୍ଚଳରେ ଆତଙ୍କୀ ଲୁଚିଛନ୍ତି । ଯାହାପରେ ଭାରତୀୟ ସେନା, ଏସଓଜି ଏବଂ ସିଆରପିଏଫ୍‌ର ମିଳିତ ଟିମ୍ ଅଞ୍ଚଳକୁ ଘେରି ନେଇଥିଲା । ସୁରକ୍ଷାକର୍ମୀ ଗୁଳିବିନିମୟ ସ୍ଥଳକୁ ଆତଙ୍କୀଙ୍କ ପରିବାରକୁ ଡକାଇଥିଲେ । ଘରଲୋକେ ସେମାନଙ୍କୁ ସରେଣ୍ଡର କରିବାକୁ ଅପିଲ କରିଥିଲେ । ଘରଲୋକଙ୍କ ଅନୁରୋଧ ପରେ ବି ସେମାନେ ସରେଣ୍ଡର କରିବାକୁ ମନା କରିଦେଇଥିଲେ ଏବଂ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ କରିଥିଲେ । ସୁରକ୍ଷାକର୍ମୀ ପାଲଟା ଯବାବରେ ଦୁଇ ଆତଙ୍କୀଙ୍କୁ ନିହତ କରିଛନ୍ତି । ସେନା ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରି ଯାଞ୍ଚ ଅଭିଯାନ ଆରମ୍ଭ କରିଛି । ଏହା ପୂର୍ବରୁ ଗୁରୁବାର ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗାଡି ଉପରେ ଜୈଶ-ଇ-ମହମ୍ମଦ ଓ ହିଜିବୁଲ ମୁଜାହିଦ୍ଦୀନର ଆତ୍ମଘାତୀ ଆକ୍ରମଣ ଯୋଜନାକୁ ସୁରକ୍ଷାକର୍ମୀମାନେ ବିଫଳ କରିଦେଇଥିଲେ ।

Comments