ବୈଶିଙ୍ଗା ;ଶନିବାର ମୟୂରଭଞ୍ଜ ସାଂସଦ ତଥା ନବନିଯୁକ୍ତ ରାଜ୍ୟ ଆଦିବାସୀ ମୋର୍ଚ୍ଚା ସଭାପତି ବିଶ୍ୱେଶ୍ୱର ଟୁଡୁ ବେତନଟୀଗସ୍ତରେ ଆସିଥିବା ସମୟରେ ଜାତୀୟରାଜପଥ ଡାକବଙ୍ଗଳା ପରିସରରେ ତାଙ୍କୁ ବିଜେପି ପକ୍ଷରୁ ଉଛସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ୩୫ନଂ ଜୋନ ବିଜେପି ମଣ୍ଡଳ ସଭାପତି ରାଜକିଶୋର ଶାହାଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟଅତିଥି ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ, ସମ୍ମାନିତ ଅତିଥି ବାଲେଶ୍ୱର ସାଂସଦଙ୍କ ମୟୂରଭଞ୍ଜଜିଲା ପ୍ରତିନିଧି ପ୍ରଦୀପ କୁମାର ପରିଡା ଯୋଗଦାନ କରିଥିଲେ । ସାଂସଦ ଶ୍ରୀ ଟୁଡୁଙ୍କୁ ବିଜେପିର ଆଦିବାସୀମୋର୍ଚ୍ଚା ରାଜ୍ୟ ସଭାପତି ଭାବେ ନିଯୁକ୍ତି ମିଳିଥିବାରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଉତ୍ତରୀୟ ପ୍ରଦାନ ପୂର୍ବକ ମଣ୍ଡଳ ସଭାପତି ଶ୍ରୀ ଶାହା ରାଜ୍ୟ ସଭାପତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ରାଜ୍ୟ ସଭାପତି ହିସାବରେ କେବଳ ମୟୂରଭଞ୍ଜ ନୁହେଁ ସମଗ୍ର ରାଜ୍ୟର ଆଦିବାସୀ ମାନଙ୍କ ଉନ୍ନତି କଳ୍ପେ ସେ ନିଜକୁ ଉତ୍ସର୍ଗୀକୃତ କରିବେ ବୋଲି ପ୍ରକାଶ କରିଥିଲେ । ଦେଶର ଉନ୍ନତି ପଥରେ ଆଗେଇଥିବାବେଳେ ମୟୂରଭଞ୍ଜଜିଲାର ସେଭଳି ଉନ୍ନତି ହୋଇନଥିବା ଯୋଗୁ ଜିଲାରେ ବସବାସ କରୁଥିବା ଆଦିବାସୀଙ୍କ ଆର୍ଥିକସ୍ଥିତିରେ ଉନ୍ନତି ହୋଇନଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା । ବିଶେଷଭାବେ ଜିଲାର ଉନ୍ନତି ନିମନ୍ତେ ସରକାରୀ ସ୍ୱୀକୃତି ପ୍ରାପ୍ତ ଡ୍ରାଇଭିଂ ତାଲିମକେନ୍ଦ୍ର, ଜାତୀୟ ଗ୍ରାମାଞ୍ଚଳ କୃଷି ଓ ଉଦ୍ୟାନ ବୈଷୟିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ବଡଯୋଡବନ୍ଧର ଉନ୍ନତି କରଣ କରିବା ସହିତ ସେଠାରେ ହରିଣ ଅଭୟାରଣ୍ୟ, ସାଧାରଣ ଲୋକଙ୍କ ନିମନ୍ତେ ବାମ୍ବୋ ଓ ସବାଇଘାସ ପ୍ରକଳ୍ପ, ଶିମିଳିପାଳର ଉନ୍ନତି କରିବା ସହିତ ସେଠାରେ ବସବାସ କରୁଥିବା ସାଧାରଣଜନତାଙ୍କ ନିମନ୍ତେ ଡାକ୍ତରଖାନା, ସ୍କୁଲ, ପାନୀୟଜଳ, ବିଦ୍ୟୁତ ଯୋଗାଣ ଉପରେ ଗୁରୁତ୍ୱ, ସମସ୍ତ ବ୍ଲକରେ ମତ୍ସ୍ୟଚାଷ ଉପରେ ଗୁରୁତ୍ୱ, ଛେଳି ଓ ଗୋପାଳନ ସହିତ ଦୁଗ୍ଧ ଉତ୍ପାଦନ ଉପରେ ଗୁରୁତ୍ୱ ପ୍ରଦାନ, ଶିଳ୍ପର ପୁନଃଉଦ୍ଧାର କରିବା ସହିତ କାଠପାଳ ସ୍ପିନିଂମିଲ, ନିକୋ କାର୍ଯ୍ୟକ୍ଷମ, ସର୍ବବୃହତ ଜଳସେଚନ ପ୍ରକଳ୍ପ ସୁବର୍ଣ୍ଣରେଖା କେନାଲ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକାରୀ କରିବା, ଏମଏସଏମଇ ଜରିଆରେ କ୍ଷୁଦ୍ର ଓ ମଧ୍ୟମ କୁଟୀରଶିଳ୍ପ ପ୍ରତିଷ୍ଠା, ଲଘୁବନଜାତ ଦ୍ରବ୍ୟର ଉଚିତ ମୁଲ୍ୟାୟନ ନିମନ୍ତେ କ୍ରୟ ଓ ବିକ୍ରୟକେନ୍ଦ୍ର ପ୍ରତିଷ୍ଠା, ପର୍ଯ୍ୟଟନସ୍ଥଳୀର ବିକାଶ ଉପରେ ଗୁରୁତ୍ୱ, ପୁରିନ୍ଦାଗ୍ରାମରେ ଡାକ୍ତରଖାନା ପ୍ରତିଷ୍ଠା ସମ୍ପର୍କରେ ଆଲୋଚନା କରିଥିଲେ । ବିକାଶମଞ୍ଚର ସଂଯୋଜକ ଅରୁଣ କୁମାର ଓତାଙ୍କ ସହ ଆଲୋଚନାକରି ମଞ୍ଚ ପକ୍ଷରୁ ଦିଆଯାଇଥିବା ସମସ୍ତ ଦାବିକୁ ଅନୁଧ୍ୟାନ କରିବା ସହିତ ସମୀକ୍ଷା କରିଥିଲେ । ଦାବି ଯୁକ୍ତିଯୁକ୍ତ ବୋଲି କହିବା ସହ ଏଥି ନିମନ୍ତେ ବିକାଶମଞ୍ଚକୁ ସହଯୋଗର ହାତ ବଢାଇବେ ବୋଲି ପ୍ରକାଶ କରିଥିଲେ । ଶ୍ରୀ ପରିଡା ମଞ୍ଚର ପ୍ରମୁଖ ଦାବି ବେତନଟୀକୁ ସବଡିଭିଜନରେ ପରିଣତ କରିବା, ରାସଗୋବିନ୍ଦପୁର ଏୟାରଷ୍ଟ୍ରିପର ପୁନଃଉଦ୍ଧାର, ବୈଶିଙ୍ଗାରେ କୃଷିବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା, ବଡସାହି ବିଧାନସଭାକ୍ଷେତ୍ରରେ କେନ୍ଦ୍ରୀୟ ପଶୁ ଓ ମତ୍ସ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ବଡସାହିରେ ଉପ ନିବନ୍ଧକ ଓ ଉପ- କୋଷାଗାର ପ୍ରତିଷ୍ଠା, ସାନକେରକୋ ଓ ହରିପୁର(ଅଁଳା) ଠାରେ ପୁଲିସ ଫାଣ୍ଡି ପ୍ରତିଷ୍ଠା, ମୋରଡାରେ ଉପ-ନିବନ୍ଧକ କାର୍ଯ୍ୟାଳୟ ପ୍ରତିଷ୍ଠା, ବେତନଟୀ, ବଡସାହି ଓ ବୈଶିଙ୍ଗାରେ ବସଷ୍ଟାଣ୍ଡ ନିର୍ମାଣ, ବେତନଟୀରେ ଶବବ୍ୟବଛେଦ ଗୃହ ପ୍ରତିଷ୍ଠା ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିକାଶମଞ୍ଚର ଉକ୍ତ ଦାବି ଯଥାର୍ଥ ବୋଲି ଶ୍ରୀ ପରିଡା ସାଂସଦ ଶ୍ରୀ ଡୁଡୁଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ଶ୍ରୀ ଟୁଡୁ ଏହାକୁ ସହୃଦୟତାର ସହ ବିଚାରକୁ ନେବେ ବୋଲି ପ୍ରକାଶ କରିଥିଲେ । ଏହି ବୈଠକରେ ଜିଲା କୃଷକମୋର୍ଚ୍ଚା ଉପସଭାପତି ତପନ କୁମାର ନାୟକ, ଖଗେନ୍ଦ୍ର ସାହୁ, ସଞ୍ଜୟ ବେହେରା, ଅଜୟ ବେହେରା, ଶିଶିର ବେହେରା, ପପୁ ଖଣ୍ଡେଲୱାଲ ପ୍ରମୁଖ ଉପସ୍ଥିତଥିଲେ ।
Comments
Post a Comment