ଗୁଜୁରାଟର ମୋର୍‌ବି ସହରର ପାଖାପାଖି ୧୫୦ ଉତ୍ପାଦକ ଚାଇନାର ଉତ୍ପାଦକୁ ଟକ୍କର ଦେବା ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ: ଲଦାଖ୍‌ରେ ଭାରତ-ଚୀନ୍ ସୀମା ବିବାଦ ଏବଂ ମୋଦୀ ସରକାରଙ୍କ ‘ଆତ୍ମର୍ନିଭରଶୀଳ ଭାରତ’ ସ୍ଲୋଗାନ୍ ପରେ ଚୀନ୍ ଉତ୍ପାଦ ବିରୋଧରେ ଲଢ଼େଇ ଜୋରଦାର ହେଉଛି । ଚାଇନାରୁ ଆମଦାନୀ ହେଉଥିବା ଉତ୍ପାଦକୁ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ନିୟମ କଡାକଡି କରୁଥିବାବେଳେ ଗୁଜୁରାଟର ମୋର୍‌ବି ସହରର ପାଖାପାଖି ୧୫୦ ଉତ୍ପାଦକ ଚାଇନାର ଉତ୍ପାଦକୁ ଟକ୍କର ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଦେଶରେ ଚୀନ୍‌ର ଅନେକ ପ୍ଲାଷ୍ଟିକ ସାମଗ୍ରୀ ବ୍ୟତୀତ ବୈଦ୍ୟୁତିକ ସାମଗ୍ରୀ ଏବଂ ଅନ୍ୟାନ୍ୟ ଅଂଶ ଆମଦାନୀ କରାଯାଇଥାଏ । ପ୍ରକାଶ ଯେ ଦେଶରେ ଗୁଜୁରାଟ ଶିଳ୍ପ ପାଇଁ ବେଶ୍ ଜଣାଶୁଣା । ଏଠାରେ ବସ୍ତ୍ର, ବୈଦ୍ୟୁତିକ ସାମଗ୍ରୀ, ଟେକ୍ସଟାଇଲ୍ ଇତ୍ୟାଦି କ୍ଷେତ୍ରର ଅନେକ ବଡ କମ୍ପାନୀ ରହିଛି । ଗୁଜୁରାଟର ମୋର୍‌ବି ସିରାମିକ୍‌ର ଉତ୍ପାଦନ ପାଇଁ ସାରା ଦେଶରେ ଜଣାଶୁଣା । ଏଠାରେ ଘଣ୍ଟା ସହିତ ପ୍ଲାଷ୍ଟିକ୍ ସାମଗ୍ରୀ ଏବଂ ବୈଦ୍ୟୁତିକ ଦ୍ରବ୍ୟର ୩୦୦ରୁ ଅଧିକ କମ୍ପାନୀ ରହିଛି । ଭାରତରେ ଚାଇନାରୁ କଞ୍ଚାମାଲ ଆମଦାନୀ କରି ଦେଶରେ ଉତ୍ପାଦନ କରାଯାଏ । ହେଲେ ମୋର୍‌ବିର ପ୍ରାୟ ୧୫୦ କମ୍ପାନୀ ବର୍ତ୍ତମାନ ଚାଇନାର ଉତ୍ପାଦ ବିରୋଧରେ ଯୁଦ୍ଧ ଆରମ୍ଭ କରିଛନ୍ତି । ମୋର୍‌ବି ଏହି ର୍ନିମାତାମାନେ ଭିଏତନାମ, କାମ୍ବୋଡିଆ, ତାଇୱାନ ଭଳି ଦେଶରୁ କଞ୍ଚାମାଲ ଆମଦାନୀ କରିବାକୁ ଚିନ୍ତା କରିଛନ୍ତି । ସେମାନେ କହିଛନ୍ତି ଯେ ମୋର୍‌ବିରେ ଧୀରେ ଧୀରେ କଞ୍ଚାମାଲ ତିଆରି କରିବାକୁ ଚେଷ୍ଟା ଚାଲିଛି । ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟକୁ ପ୍ରୋତ୍ସାହନ ଦେଉଥିବା ବିଭାଗ ଡିପିଆଇଆଇଟି ଦ୍ୱାରା ଚୀନ୍‌ରେ ନିର୍ମିତ ନିମ୍ନ ମାନର ଆମଦାନୀ ତାଲିକା ପ୍ରସ୍ତୁତ କରିବା ପରେ ମୋର୍‌ବିର ଏହି ଉତ୍ପାଦକମାନେ ଏଲ୍‌ଜି, ସାମସଙ୍ଗ ଏବଂ ସିମେନ୍ସ ଭଳି ଧଳା ସାମଗ୍ରୀ ତିଆରି କରୁଥିବା କମ୍ପାନୀଗୁଡିକ ସହିତ ବ୍ୟବସାୟିକ କାରବାର ଆରମ୍ଭ କରିଛନ୍ତି । ଚୀନ୍‌ରୁ ଆମଦାନୀ ହେଉଥିବା ଦ୍ରବ୍ୟରେ ସିଗାରେଟ୍‌, ତମାଖୁ, ପେଣ୍ଟ ଏବଂ ବର୍ଣ୍ଣିସ୍‌, ପ୍ରିଣ୍ଟିଂ ଇଙ୍କ, ମେକଅପ୍ ଆଇଟମ୍‌, ସାମ୍ପୋ, କେଶ ରଙ୍ଗ, କାଚ ସାମଗ୍ରୀ, ଘଣ୍ଟା, ଇଞ୍ଜେକ୍ସନ୍ ବୋତଲ ଅନ୍ତର୍ଭୁକ୍ତ । ଡିପିଆଇଆଇଟି ୩୦୦ ସାମଗ୍ରୀର ଏକ ତାଲିକା ପ୍ରସ୍ତୁତ କରିଛି ।

Comments