ଅ ।ନନ୍ଦପୁର/ଘଷିପୁରା : ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରମୁଖ ସମସ୍ୟାକୁ ନେଇ ଆଜି ବିଜେପି ତରଫରୁ ଆନନ୍ଦପୁର ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁଙ୍କୁ ୫ ଦଫା ସମ୍ବଳିତ ଦାବିପତ୍ର ଆନନ୍ଦପୁର କଚେରିଠାରେ ବିଜେପି କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ କୁମାର ସେଠୀ, ବିଜେପି ନଗର ମଣ୍ଡଳ ସଭାପତି ପ୍ରଶାନ୍ତ କୁମାର ମହାପାତ୍ର, ବିଜେପି ମିଡିଆ ପ୍ରମୁଖ ନିରାକାର ଦଳେଇ, ନିର୍ମଳ ଚନ୍ଦ୍ର ରାଉଳ, ରାହାସ ବିହାରୀ ସାହୁ ପ୍ରମୁଖ ନେତୃବୃନ୍ଦ ଉପଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ, ଆନନ୍ଦପୁର ବିଧାନସଭା ଅନ୍ତର୍ଗତ ହାଟଡିହି ବ୍ଲକ, ଆନନ୍ଦପୁର ବ୍ଲକ ଓ ଆନନ୍ଦପୁର ମ୍ୟୁନିସିପାଲିଟିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ କୁଟୀର ଯୋଜନାରେ ବ୍ୟାପକ ଦୁର୍ନୀତି ହେବା ସହିତ ଶାସକ ଦଳର ବଡପଣ୍ଡାମାନଙ୍କ ଦ୍ୱାରା ଦଳୀୟ ଭିତ୍ତିରେ ଯେଉଁ ମାନଙ୍କର କୋଠାଘର ଅଛି ସେହି ଭଳି ଲୋକମାନଙ୍କୁ ଦିଆଯାଉଛି । ସ୍ୱଚ୍ଛ ଭାରତ ଯୋଜନାରେ ଗରିବ ଲୋକମାନଙ୍କ ପାଇଁ ଆସିଥିବା ପାଇଖାନାରେ ବ୍ୟାପକ ଦୁର୍ନୀତି ଓ ହରିଲୁଟ ହେଇଛି । ଏହାର ତୁରନ୍ତ ତଦନ୍ତ କରାଯାଇ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି କରାଯାଇଛି । କେନ୍ଦ୍ର ସରକାର ଗରିବ ଶ୍ରେଣୀର ଲୋକ ଓ ଶ୍ରମିକମାନଙ୍କୁ ରୋଜଗାର ସୁଯୋଗ ଯୋଗାଇ ଦିଅ ।ଯିବ ପାଇଁ ଆସିଥିବା ଟଙ୍କାକୁ ମେସିନ ସାହାଯ୍ୟରେ ଠିକାଦାରମାନେ କାମକରି ହରିଲୁଟ୍ କରୁଛନ୍ତି । ଏହାକୁ ଯଥାଶୀଘ୍ର ବନ୍ଦ କରାଯାଇ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଲୋକମାନଙ୍କୁ କାମ ଯୋଗାଇ ଦିଆଯାଉ ବୋଲି ବିଜେପି ନେତୃବୃନ୍ଦ ଦାବି କରିଛନ୍ତି । କରୋନା ମହାମାରୀ ସମୟରେ ରାଜ୍ୟ ସରକାରଙ୍କ ନିୟମକୁ ଉଲଂଘନ କରି ଆନନ୍ଦପୁର ଉପଖଣ୍ଡରେ କୋଠାଘର ନିର୍ମାଣ କରିବା ପାଇଁ ରାଜମିସ୍ତ୍ରୀ ଓ ଶ୍ରମିକମାନଙ୍କୁ ଠିକାଦାରମାନେ କାମରେ ନିୟୋଜିତ କରିଛନ୍ତି । ଏହି ଶ୍ରମିକମାନେ ସାମାଜିକ ଦୂରତା, ନିୟମ ଉଲ୍ଲଂଘନ କରିବା ସହିତ ମାସ୍କ ନପିନ୍ଧିବା ଦେଖିବାକୁ ମିଳିଛି । ଏହାସହିତ ବାହାର ରାଜ୍ୟରୁ ଆସିଥିବାରୁ ସଂଗରୋଧ କେନ୍ଦ୍ରରେ୧୪ ଦିନ ରହିବାର ବ୍ୟବସ୍ଥା ଥିଲେ ମଧ୍ୟ ଏହି ନିୟମ ଖାତିର ନକରି ପଶ୍ଚିମବଙ୍ଗ ଲୋକମାନେ ଖୋଲା ବଜାରରେ ଘୁରି ବୁଲୁଥିବା ଦେଖିବାକୁ ମିଳୁଛି । ଏହାଦ୍ୱାରା ଆନନ୍ଦପୁର ଉପଖଣ୍ଡରେ ଆଗାମୀ ଦିନରେ କରୋନା ଭୟଙ୍କର ପରିସ୍ଥିତି ଦେଖାଦେବ ବୋଲି ବିଜେପି ପ୍ରତିନିଧି ଦଳ କହିଛି । ଏଣୁ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଆନନ୍ଦପୁର ବିଜେପିର ନେତୃବୃନ୍ଦ ଦାବି କରିଛନ୍ତି ।
Comments
Post a Comment