ରବିବାର ୩ରଥର ଦକ୍ଷିଣ ମୋଡ ହେବ


ପୁରୀ, ୨୭ା୬ : ଶନିବାର ପବିତ୍ର ହେରାପଞ୍ଚମୀ ନୀତି ଅନୁଷ୍ଠିତ ହୋଇଯାଇଛି । ମହାଲକ୍ଷ୍ମୀଙ୍କୁ ସାଥିରେ ନନେଇ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଛନ୍ତି । ତେଣୁ ମହାପ୍ରଭୂଙ୍କ ଦର୍ଶନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଛନ୍ତି ମା ମହାଲକ୍ଷ୍ମୀ । କ୍ରୋଧ ଜର୍ଜରିତ ମହାଲକ୍ଷ୍ମୀ ଅଭିମାନରେ ନନ୍ଦିଘୋଷ ରଥ କାଠ ଭାଙ୍ଗିଛନ୍ତି । ଶନିବାର ସଂନ୍ଧ୍ୟା ଧୂପ ପରେ ଏହି ବିଶେଷ ନୀତି ଅନୁଷ୍ଠିତ ହୋଇଛି । ଅନ୍ୟପକ୍ଷରେ ରବିବାରଠାରୁ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହେବ । ରବିବାର ୩ରଥର ଦକ୍ଷିଣ ମୋଡ ହେବ । ଏଥି ପୂର୍ବରୁ ଶନିବାର ୩ରଥକୁ ଯାଞ୍ଚ୍ କରିଛି ବିଶେଷଜ୍ଞ କମିଟି । ରଥକୁ ମୋଡ କରିବାରେ ସୁବିଧା ପାଇଁ ଗୁଣ୍ଡିଚା ମନ୍ଦିରଠାରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ପିଚୁ ରାସ୍ତା ଉପରେ ବାଲି ବିଛାଯାଇଛି । ତେବେ କରୋନା କଟକଣା ଯୋଗୁଁ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି । ରଥଯାତ୍ରା ପରି ବାହୁଡ଼ା ଯାତ୍ରାକୁ ସୁରୁଖୁରୁରେ ସାରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ପୁରୀ ଜିଲ୍ଲାପାଳ ବଲବନ୍ତ୍ ସିଂ ଘୋଷଣା କରିଛନ୍ତି ଯେ, ଚଳିତ ମାସ ୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ପୁରୀରେ କର୍ଫ୍ୟୁ ଜାରି କରାଯିବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସାଧାରଣ ଲୋକେ ଘରେ ରହି ଠାକୁରଙ୍କୁ ଦର୍ଶନ କରିବେ । ଏହି ସମୟରେ ବଡ଼ଦାଣ୍ଡର ଉଭୟ ପାଶ୍ୱର୍ରେ ଥିବା କୋଠାରେ ପରିବାର ସଦସ୍ୟଙ୍କ ବ୍ୟତିତ ବାହାର ଲୋକଙ୍କୁ କେହି ରଖିପାରିବେ ନାହିଁ । ଯେଉଁ କୋଠାରେ ବାହାର ଲୋକ ରହିବେ ସେହି କୋଠାର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବାହୁଡ଼ା ଯାତ୍ରାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ୪ ଦିନ ପାଇଁ ହୋଟେଲ ବା ଲଜ୍‌ରେ ଯାତ୍ରୀମାନଙ୍କୁ ନ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପୁରୀକୁ ସମସ୍ତ ସଂଯୋଗ ରାସ୍ତାକୁ ସିଲ୍ କରାଯିବ ବୋଲି ଶ୍ରୀ ସିଂ କହିଛନ୍ତି ।

Comments