ନିବିଘ୍ନରେ ରଥଯାତ୍ରା ସମ୍ପନ୍ନ ପାଇଁ ବିଶ୍ୱହିନ୍ଦୁ ପରିଷଦର କୃତଜ୍ଞତା



ଭୁବନେଶ୍ୱର,୨୬/ ୬‌: ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ସୂଚାରୁ ରୂପେ ସମ୍ପନ୍ନ ହୋଇଥିବାରୁ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଏକ ପ୍ରେସ୍ ବିବୃତିରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି ଯେ ଗୋବର୍ଦ୍ଧନ ପୀଠାଧୀଶ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀମଦ୍ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଦୃଢ଼ ଶାସ୍ତ୍ରୀୟ ପ୍ରମାଣ, ଗଜପତି ମହାରାଜଙ୍କର ନମ୍ର ନିବେଦନ ସର୍ବୋଚ୍ଚ ଏବଂ ନ୍ୟାୟାଳୟର ଆଇନଜୀବୀଙ୍କ ବଳିଷ୍ଠ ଯୁକ୍ତି ଉପସ୍ଥାପନ ଦ୍ୱାରା ହିଁ ଏହା ସଫଳ ହୋଇପାରିଛି । ସେହିପରି କେନ୍ଦ୍ର ସରକାରଙ୍କ ତରଫରୁ ସବୁଜ ସଙ୍କେତ ତଥା ପୁରୀ ଜନସାଧାରଣ, ଓଡ଼ିଶାର କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ସହିତ ସମଗ୍ର ବିଶ୍ୱର ଅଗଣିତ ଜଗନ୍ନାଥପ୍ରେମୀଙ୍କର ଶ୍ରଦ୍ଧା ଓ ଆସ୍ଥା କାରଣରୁ ଶ୍ରୀଜଗନ୍ନାଥଙ୍କ କୃପାରୁ ପ୍ରଭୁଙ୍କ ଇଚ୍ଛାମତେ ରଥଯାତ୍ରା ପଥର ସମସ୍ତ ଅବରୋଧ ଅପସରି ଯାଇଥିଲା । ତେଣୁ ସମସ୍ତଙ୍କୁ ପରିଷଦ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ସେହିପରି ରଥଯାତ୍ରା ପାଇଁ ସମସ୍ତ ସେବାୟତଙ୍କ ପ୍ରତିବଦ୍ଧତା, ପୁରୀ ସହରସ୍ଥ ଜଗନ୍ନାଥ ଭକ୍ତ ତଥା ସାଧାରଣ ଜନତା ଯେଉଁଭଳି ଭାବରେ ଶୃଙ୍ଖଳା ପ୍ରଦର୍ଶନ କରିଛନ୍ତି, ସେଥିପାଇଁ ପରିଷଦ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି । ଅଳ୍ପ ସମୟ (୨୪ଘଣ୍ଟା)ମଧ୍ୟରେ ସ୍ଥାନୀୟ ପ୍ରଶାସନ ରଥଯାତ୍ରା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିପାରିଥିବାରୁ ଧନ୍ୟବାଦର ପାତ୍ର ବୋଲି ବିଶ୍ୱ ହିନ୍ଦୁ ପରିଷଦର ଶ୍ରୀକ୍ଷେତ୍ର ବିଭାଗ ସଭାପତି ଇଂ ପ୍ରଫୁଲ୍ଲ ମିଶ୍ର, ଭୁବନେଶ୍ୱର ମହାନଗର ଉପ-ସଭାପତି ଅଶୋକ ମିଶ୍ର, ସମ୍ପାଦକ ଶରତ ମହାପାତ୍ର, ସହ-ସମ୍ପାଦକ ଶୁଭ୍ରାଂଶୁ ଶତପଥୀ, ଓଡ଼ିଶା ପୂର୍ବ ପ୍ରାନ୍ତ ବଜରଙ୍ଗ ଦଳ ସଂଯୋଜକ ମାନସ ମହାନ୍ତି, ଓଡ଼ିଶା ପୂର୍ବ ପ୍ରାନ୍ତ ସଂଗଠନ ସମ୍ପାଦକ ଆନନ୍ଦ କୁମାର ପାଣ୍ଡେ ପ୍ରମୁଖ ଜଣାଇଛନ୍ତି ।



Comments