ବିଧାନସଭା ସ୍ତରୀୟ ଜନସମ୍ବାଦ ରାଲି


ଢେଙ୍କାନାଳ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ପରଜଙ୍ଗ ବିଧାନସଭା ସ୍ତରରେ ଏକ ଜନସମ୍ବାଦ ର‌୍ୟାଲି ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ର‌୍ୟାଲିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟବସ୍ଥା କାରଣରୁ ପରଜଙ୍ଗ ଅଞ୍ଚଳର ଲୋକମାନେ ଭାରତ ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନାର ଲାଭାର୍ଥୀ ହୋଇଛନ୍ତି । କ୍ରମୋଇଟ୍ ଅଞ୍ଚଳ କଙ୍କଡାହାଡ ବ୍ଲକ ମଧ୍ୟ ଲାଭବାନ ହୋଇପାରିଛି । ଖଣି ନିଲାମ ଟଙ୍କାକୁ ସ୍ଥାନୀୟ ଏବଂ ରାଜ୍ୟର ବିକାଶ ପାଇଁ ଖର୍ଚ୍ଚ କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ଦୃଢ ନେତୃତ୍ୱ କାରଣରୁ ଓଡିଶା ତଥା ଓଡିଆ ଲୋକମାନେ ନିଜ ହକ୍ ପାଇପାରିଛନ୍ତି ବୋଲି କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ପୂର୍ବରୁ ଖଣି ଖାଦାନ ଅଞ୍ଚଳ ଗୁଡିକରେ ନିଲାମ ଖଣି ଅର୍ଥକୁ ପୁଞ୍ଜିପତିଙ୍କ ହାତରେ ଟେକି ଦିଆଯାଉଥିଲା । ମାତ୍ର ପ୍ରଧାନମନ୍ତ୍ରୀ ମୋଦି କ୍ଷମତା ଗ୍ରହଣ କରିବା ପରେ ଏହି କ୍ଷେତ୍ରରେ ଅନେକ ସଂସ୍କାର ସହ ଅନେକ ନୀତିନିୟମ ଆଣିଛନ୍ତି । ଜିଲ୍ଲା ଖଣିଜ ପାଣ୍ଠି ଓ କାମ୍ପାଫଣ୍ଡର ବ୍ୟବସ୍ଥା ହୋଇଛି, ଯଦ୍ୱାରା ଖଣି ଅଞ୍ଚଳର ସ୍ଥାନୀୟ ବିକାଶ ଓ ଅର୍ଥନୀତି ସମୃଦ୍ଧ ହୋଇପାରୁଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ ଘୋଷଣା କରି ଗରିବ, ମହିଳା, ଚାଷୀ, ଆଦିବାସୀ ଯୁବକ, ଦିବ୍ୟାଙ୍ଗଙ୍କୁ ଆର୍ଥିକ ଆଧାରରେ ସ୍ୱାବଲମ୍ବୀ କରିଛନ୍ତି । କରୋନା ସମୟରେ ପ୍ରବାସୀ ଶ୍ରମିକଙ୍କୁ ସ୍ୱରାଜ୍ୟକୁ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । ଗରିବ ଓ ଦେଶବାସୀଙ୍କ ପାଇଁ କରୋନା ଭଳି କଠିନ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି । ତିନିମାସ ପାଇଁ ମାଗଣାରେ ବ୍ୟକ୍ତି ପିଛା ମାସିକ ୫ କେଜି ଚାଉଳ, ପରିବାର ପିଛା ୧ କେଜି ଡାଲି, ଉଜ୍ଜଳା ଯୋଜନାରେ ଗ୍ୟାସ, ଜନଧନରେ ମହିଳାଙ୍କୁ ଟଙ୍କା, କୃଷକ ସମ୍ମାନ ନିଧିରେ ମାସକୁ ୨ ହଜାର ଟଙ୍କା ସମେତ ନିର୍ମାଣ ଶ୍ରମିକଙ୍କୁ ମଧ୍ୟ ଆର୍ଥିକ ସହାୟତା ଦିଆଯାଇଛି । ଏହି ଅବସରରେ ଶ୍ରୀ ପ୍ରଧାନ ବିଗତ ୬ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗରିବଙ୍କ ପାଇଁ ଆରମ୍ଭ ହୋଇଥିବା ବିଭିନ୍ନ ଜନମଙ୍ଗଳ ଯୋଜନାକୁ କୋଭିଡ୍ ନିୟମ ମାନି ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ୱାନ କରିଥିଲେ । ଏହି ଭର୍ଚୁଆଲ ଜନସମ୍ବାଦ ରାଲିରେ ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଜନ କଲ୍ୟାଣକାରା ଯୋଜନା ଉପରେ ଆଲୋକପାତ କରିଥିଲେ । ପୂର୍ବ ଭାରତ ଏବଂ ଓଡିଶାରେ ଅନେକ ବିକାଶମୂଳକ କାମ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଡେଙ୍କାନାଳ ବିଜେପି ଜିଲ୍ଲା ସଭାପତି ନରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିଲା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୂତି ପ୍ରଧାନ, କୃଷ୍ଣଚନ୍ଦ୍ର ପାତ୍ର, ଶତ୍ରୁଘ୍ନ ଜେନା, ଅଶୋକ ନାଏକଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Comments