ନୂଆଦିଲ୍ଲୀ,୨୮ା୬ : ନିଜ ଜାଲରେ ଏବେ ଛନ୍ଦି ହେବା ପାଇଁ ଯାଉଛି ଚୀନ୍ । ବିସ୍ତାରବାଦୀ ନୀତିକୁ କାୟମ ରଖି ଅନ୍ୟ ରାଷ୍ଟ୍ରର ଭୂଖଣ୍ଡକୁ ବଳପୂର୍ବକ ଅକ୍ତିଆର କରିବା ଚୀନ୍ର ମୌଳିକ ତତ୍ତ୍ୱ । ତେବେ ଲଦାଖ ଏଲ୍ଏସିରେ ଚୀନ୍ ସ୍ଥିତାବସ୍ଥାକୁ ପରିବର୍ତ୍ତନ କରିବା ପାଇଁ ଯେଉଁ ରଣନୀତି ଆପଣାଇଥିଲା; ଏହା ଶେଷରେ ବେଜିଂ ପାଇଁ ବୁମେରାଂ ହେବାକୁ ଯାଉଛି । ଭାରତର ସାମରିକ ରଣନୀତିକୁ ଦେଖି ଚୀନ୍ ସ୍ତମ୍ବିଭୂତ ହୋଇଛି । ସୀମାରେ ପିଏଲ୍ଏ ପକ୍ଷରୁ ଯେଭଳି ଅସ୍ତ୍ରଶସ୍ତ୍ର, ଟ୍ୟାଙ୍କ ଆଦି ମୁତୟନ କରାଯାଉଛି; ସମାନ ଢଙ୍ଗରେ ଅଧିକ ସଶକ୍ତ ଭାବେ ଭାରତ ପକ୍ଷରୁ ସମରସଜ୍ଜାକୁ ମୁତୟନ କରାଯାଇଛି । ସେହିପରି ଭାରତୀୟ ସେନାକୁ ଶତ୍ରୁଙ୍କୁ ଜବାବ ଦେବା ପାଇଁ ଗୁଳିଗୋଳା, କ୍ଷେପଣାସ୍ତ୍ର ଓ ଅନ୍ୟାନ୍ୟ ସମସ୍ତ ରଣନୀତି ଆପଣାଇବା ପାଇଁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି । ଏହା ଚୀନ୍କୁ ଅଧିକ ବିଚଳିତ କରିଛି । ଗତକାଲି ଲଦାଖ ସୀମାରେ ଏୟାର ଡିଫେନ୍ସ ମିସାଇଲ ମୁତୟନ କରାଯାଇଛି । ଅନ୍ୟପଟେ କରୋନା ଭୂତାଣୁକୁ ନେଇ ସାରା ବିଶ୍ୱବାସୀଙ୍କ ନିକଟରେ ସନ୍ଦେହ ଚକ୍ରରେ ରହିଥିବା ଚୀନ୍ ଏବେ ଅଧିକ ବିପଦରେ ପଡିବାକୁ ଯାଉଛି । ଆମେରିକା, ଅଷ୍ଟ୍ରେଲିଆ, ଜାପାନ ଚୀନ୍କୁ ପାନେ ଦେବା ପାଇଁ ମଧ୍ୟ ଅଣ୍ଟା ଭିଡିଛନ୍ତି । ତେବେ ବିଶ୍ୱ କୂଟନୈତିକ ଦୁନିଆରେ ଭାରତ ସପକ୍ଷରେ ଅଧିକାଂଶ ରାଷ୍ଟ୍ର ଛିଡା ହେବା ସହ ଚୀନ୍କୁ ଖୋଲାଖୋଲି ବିରୋଧ କରିବା ଆରମ୍ଭ କଲେଣି । ନିଜସ୍ୱ ସାମରିକ କ୍ଷମତାର ସଶକ୍ତ ଥିବା ଭାରତ ପ୍ରତି ବିଶ୍ୱର ପ୍ରମୁଖ ରାଷ୍ଟ୍ର ଗୁଡିକର ସହାନୁଭୂତିର ସୁଅ ଛୁଟୁଛି । ତେବେ ଯୁଦ୍ଧ ସ୍ଥିତି ଉପୁଜିଲେ ଏହି ରାଷ୍ଟ୍ର ଗୁଡିକ ଭାରତକୁ କେତେ ସହାୟତା ଦେବେ ତାହା ସମୟ କହିବ । ମାତ୍ର ଭାରତର ଏଭଳି ସଶକ୍ତ ରଣନୀତିକୁ ଦେଖି ଚୀନ୍ ଅଧିକ ବିଚଳିତ ହୋଇପଡିଛି । ନିଜ ଭୁଲ୍କୁ ସଜାଡିବା ସହ ଅନ୍ୟମାନଙ୍କ ଆଖିରେ ସାଧୁ ହେବା ପାଇଁ ଏବେ ଚୀନ୍ ପୁଣି ଶାନ୍ତିର କଥା ଉଠାଇଛି । ଆଜି ଚୀନ୍ର ଶାସକ କମ୍ୟୁନିଷ୍ଟ ପାର୍ଟିର ମୁଖପତ୍ର ତଥା ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଭାରତର ଐତିହ୍ୟ ଓ ସଂସ୍କୃତିକୁ ବେଶ୍ ପ୍ରଶଂସା କରିବା ସହ ବଲିଉଡ୍ର ଗ୍ରହଣୀୟତା ସାରା ବିଶ୍ୱରେ ସଶକ୍ତ ବୋଲି ଲେଖା ପ୍ରକାଶ କରିଛି । ଗୋଟିଏ ଦିନ ପୂର୍ବରୁ ଗ୍ଲୋବାଲ ଟାଇମ୍ସ ନିଜ ଲେଖିରେ ଭାରତକୁ ଧମକ ଦେବା ସହ ଲଦାଖ ସୀମା ପାଇଁ ନୂଆଦିଲ୍ଲୀ ଦାୟୀ ବୋଲି ପ୍ରକାଶ କରିଥିଲା ଏବଂ ଚୀନ୍ ସହିତ ପଙ୍ଗା ନେଲେ ପରିଣତି ଭୟଙ୍କର ହେବ ବୋଲି ମଧ୍ୟ ଧମକ ଦେଇଥିଲା । ତେବେ ଆଜି ଗ୍ଲୋବାଲ୍ ଟାଇମ୍ସ ନିଜ ଲେଖାରେ ପ୍ରକାଶ କରିଛି ଯେ, ଶାନ୍ତିର ରଣନୀତି ଓ ମହାନ ସଂସ୍କୃତିରେ ଭାରତ ଓ ଚୀନ୍ ପରିପୃଷ୍ଠ । ଯୁଦ୍ଧ ନୁହେଁ ବରଂ ବରଂ ସହଯୋଗ ଉଭୟ ରାଷ୍ଟ୍ର ପରସ୍ପର ସହ ହାତ ଦେଇ ଆଗେଇବା ଉଚିତ୍ । ଚୀନ୍ର ଏଭଳି ରଣନୀତିକୁ ସହଜରେ ବିଶ୍ୱାସ କରାଯାଇ ନପାରେ । କାରଣ ଜୁନ୍ ୬ରେ ସୈନ୍ୟ ପ୍ରତ୍ୟାହାର ସହ ଶାନ୍ତିର ବାର୍ତ୍ତା ଦେଇ ଜୁନ୍ ୧୫ରେ ୨୦ ଭାରତୀୟ ସୈନ୍ୟଙ୍କୁ ଅମାନବୀୟ ରୂପେ ହତ୍ୟା କରିଥିଲା ଚୀନ୍ । ତେବେ ବିଶ୍ୱାସଘାତକ ଚୀନ୍ର କଥାକୁ ଭାରତ ଏଣିକି ଆଉ ବିଶ୍ୱାସ କରିବନି । ସୀମାରେ ସୈନ୍ୟ ପ୍ରତ୍ୟାହାର ସହ ସ୍ଥିତାବସ୍ଥା ଜାରି ରହିଥିବା ଭାରତ ଅନୁଭବ କଲେ ଆଲୋଚନା କରିବ ବୋଲି ରୋକଠୋକ୍ ଜଣାଇ ଦେଇଛି । ଅନ୍ୟପଟେ ସୀମାରେ ଶାନ୍ତି ପାଇଁ ଚୀନ୍ ଓ ଭାରତ ମଧ୍ୟରେ କମାଣ୍ଡର ସ୍ତରୀୟ ଆଲୋଚନା ପ୍ରତି ସପ୍ତାହରେ ଜାରି ରହିବ ବୋଲି ଆଜି ଉଭୟ ପକ୍ଷ ମଧ୍ୟରେ ସହମତି ପ୍ରକାଶ ପାଇଛି ।
Comments
Post a Comment