ନାକଚଣା ଦ୍ୱାରରେ ୩ ରଥ


ପୁରୀ, ୨୮ ।୬: ହେରାପଞ୍ଚମୀରେ ମା’ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କୁ ଫେରାଇ ନେବାକୁ ଆସି ରାଗି ଚାଲିଯିବା ପରେ ଶ୍ରୀମନ୍ଦିରକୁ ଫେରିବାଲାଗିଦାରୁଦୁିଅଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।ଆସନ୍ତା ୧ତାରିଖରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ମହାବାହୁ । ଏଥିଲାଗି ପରମ୍ପରା ଅନୁଯାୟୀ ରଥର ଦକ୍ଷିଣ ମୋଡ କରାଯାଇଛି । ରବିବାର ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ,ବଡ ଠାକୁରଙ୍କ ତାଳଧ୍ୱଜ ରଥ ଦକ୍ଷିଣମୋଡ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ପହଞ୍ଚିଥିଲା । ପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷଙ୍କୁ ପୁଲିସ କର୍ମଚାରୀମାନେ ଦକ୍ଷିଣ ମୋଡ଼ କରାଇ ନାକଚଣା ଦ୍ୱାର ସମ୍ମୁଖକୁ ଆଣିଥିଲେ । ୩୦ରେ ସନ୍ଧ୍ୟାଦର୍ଶନ ନୀତି ସମ୍ପନ୍ନ ହେବ । ଆଡପ ମଣ୍ଡପ ବା ଜନ୍ମବେଦୀରେ ଅବସ୍ଥାନ କରୁଛନ୍ତି ଚତୁର୍ଦ୍ଧାବିଗ୍ରହ । ରବିବାର ଭୋର ୬ଟା ୦୫ରେ ଦ୍ୱାରଫିଟା ଯାଇଥିଲା । ୬ଟା ୩୦ରେ ଭିତର ଶୋଧ କରାଯାଇ ୬ଟା୩୫ରେ ମଙ୍ଗଳଆଳତୀ ହୋଇଥିଲା । ପରେ ମହାପ୍ରଭୁଙ୍କ ତଡ଼ପଲାଗି ଓ ମଇଲମ ନୀତି ୬ଟା ୪୦ରେ ସମ୍ପନ୍ନ ହୋଇଥିଲା । ଅବକାଶ ପୂଜା ଶେଷ ୭ଟା ୩୦, ମଇଲମ/ରୋଷହୋମ ୭ଟା ୪୦, ବେଶ ଶେଷ ୮ଟା ୧୫,ସୂର୍ଯ୍ୟପୁଜା ୮ଟା ୨୦,ଦ୍ୱାରପାଳ ପୂଜା ୮ଟା ୨୫,ବେଶ ଶେଷ/ଗୋପାଳ ବଲ୍ଲଭ ପୂଜା ୮ଟା ୩୫, ସକାଳ ଧୂପ ଡାକି ଯିବା ୯ଟା ସକାଳ ଧୂପ ଛେକ ଆସିବା ୯ଟା ୩୦, ସକାଳ ଧୂପ ପୂଜା ବସିବା ୯ଟା ୩୫,ଭୋଗମଣ୍ଡପ ପୂଜା ଉଠିବା ୯ଟା୩୫, ଭୋଗ ମଣ୍ଡପ ଶେଷ ୧୦ଟା ୧୫,ପାଣି ପଡିବା ନୀତି ୧୦ଟା ୪୫ ରେ ଶେଷ ହୋଇଥିଲା । ପରେ ୧୧ଟା ୧୫ରେ ଆଜ୍ଞାମାଳ ବିଜେ ହୋଇଥିଲା । ତିନି ଠାକୁରଙ୍କ ଆଜ୍ଞାମାଳ ନେଇ ୩ ବାଡର ପୂଜାପଣ୍ଡା ସାମନ୍ତ ରଥ ପାଖକୁ ଆସିଥିଲେ । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ତିନି ରଥକୁ ବାହୁଡା ବିଜେ ଲାଗି ମହାପ୍ରଭୁଙ୍କ ଆଜ୍ଞାମାଳ ପ୍ରଦାନ କରିଥିଲେ । ବିଜେ କାହାଳି ଓ ଘଣ୍ଟ ବାଜିବା ପରେ ପୂର୍ବାହ୍ନ ୧୧.୩୦ରେ ପ୍ରଥମେ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ କରାଯାଇଥିଲା । ପୋଲିସ କର୍ମଚାରୀମାନେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖଠାରୁ ବଡଶଙ୍ଖ ପର୍ଯ୍ୟନ୍ତ ଦର୍ପଦଳନ ରଥକୁ ଟାଣି ନେଇଥିଲେ । ସେଠାରେ ରଥକୁ ବୁଲାଯାଇ ନାକଚଣା ଦ୍ୱାରକୁ ଟାଣି ନିଆଯାଇଥିଲା । ପ୍ରଥମେ ନାକଚଣା ଦ୍ୱାରରେ ଦର୍ପଦଳନ ପହଞ୍ଚିଥିଲା । ପରେ ଅନୁରୂପ ଭାବେ ତାଳଧ୍ୱଜ ରଥ ଟଣା ହୋଇ ନାକଚଣା ଦ୍ୱାରରେ ପହଞ୍ଚିଥିଲାଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟଣା ହୋଇ ନାକଚଣା ଦ୍ୱାର ସମ୍ମୁଖରେ ପହଞ୍ଚିଥିଲେ । ଏହି କାର୍ଯ୍ୟ ଅପରାହ୍ଣ ୫.୫୫ମି.ରେ ଶେଷ ହୋଇଥିଲା । ଆଜିର ଏହି ତିନି ରଥ ଦକ୍ଷିଣମୋଡ ନୀତିକୁ ବାହୁଡା ଯାତ୍ରାର ଆରମ୍ଭ ବୋଲି କୁହାଯାଇଥାଏ । ପ୍ରକାଶ ଯେ, ଆଜି ରଥ ଦକ୍ଷିଣମୋଡ଼ ହେବାବେଳେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ଜିଲ୍ଲାପାଳ ବଲବନ୍ତ ସିଂ, ଏଡିଏମ୍ ପ୍ରଦୀପ କୁମାର ସାହୁ, ସବ୍‌କଲେକ୍ଟର ଭବତାରଣ ସାହୁ, ଏସ୍‌ପି ଉମାଶଙ୍କର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Comments