-ଅରୁଣ ଆନନ୍ଦ
ସମଗ୍ର ଭାରତରେ ମୋଗଲ ଶାସନ କାୟା ବିସ୍ତାର କରିଥିବା ବେଳେ ଛତ୍ରପତି ଶିବାଜୀଙ୍କ ଦ୍ୱାରା ମହାରାଷ୍ଟ୍ରରେ ହିନ୍ଦୁ ସାମାଜ୍ୟର ସ୍ଥାପନା କରିବା ସଂପୂର୍ଣ୍ଣ ଦେଶର ରାଜନୀତିକ ପୃଷ୍ଠଭୂମିକୁ ଏକ ନୂତନ ମୋଡ଼ ଦେଇଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । ଶିବାଜୀଙ୍କ ବୀରତ୍ୱ, ଶାସନ ପ୍ରଣାଳୀ, ବିଜୟଗାଥା ଆଦି ଯଦିଓ ବାମପନ୍ଥୀ ଓ ବ୍ରିଟିଶ ଇତିହାସକାରଙ୍କ ପୁସ୍ତକରେ ସ୍ଥାନ ପାଇପାରିନି,ବା ନୂତନ ପିଢିଙ୍କ ନିମନ୍ତେ ଏସବୁର ଚିହ୍ନବର୍ଣ୍ଣ ସୁଦ୍ଧା ନାହିଁ, ତଥାପି ମହାରାଷ୍ଟ୍ରର ଧୂଳି, ବାଲି, ପାଣି ପବନରେ ଛତ୍ରପତି ଶିବାଜୀଙ୍କର ବୀରଗାଥା ଆଜି ବି ଗୁଞ୍ଜରିତ ହୁଏ । ତାଙ୍କର ଜୀବନାଦର୍ଶକୁ ସ୍ମରଣ କରି ସମଗ୍ର ଦେଶରେ ଶିବାଜୀଙ୍କ ସିଂହାସନ ଆରୋହଣ ଦିବସକୁ ହିଁ ‘ହିନ୍ଦୁ ସାମ୍ରାଜ୍ୟ ଦିବସ’ ରୂପେ ପାଳନ କରାଯାଉଛି । ଛତ୍ରପତି ଶିବାଜୀଙ୍କର ରାଜ୍ୟାଭିଷେକ ୧୬୭୪ ମସିହା ମେ ମାସ ୧୯ ତାରିଖ, ଜ୍ୟେଷ୍ଠ ଶୁକ୍ଳ ତ୍ରୟଦଶୀ ତିଥି ଦିନ ହୋଇଥିଲା । ସେହିଦିନ ଶିବାଜୀ ମହାରାଜ ନିଜ ସାମ୍ରାଜ୍ୟକୁ ‘ହିନ୍ଦୁ ସାମ୍ରାଜ୍ୟ’ ବୋଲି ଘୋଷଣା କରିବା ସହ ତାହା ଈଶ୍ୱରଙ୍କର ଅଭିପ୍ରେତ କାର୍ଯ୍ୟ ବୋଲି କହିଥିଲେ । ବୀର ସାବରକର ତାଙ୍କ ପୁସ୍ତକ ‘ହିନ୍ଦୁ ପଦ ପାଦଶାହୀ’ରେ ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମକୁ ଏକ ନୂତନ ଯୁଗର ଶୁଭାରମ୍ଭ ବୋଲି କହିଛନ୍ତି । ଶିବାଜୀଙ୍କ ପୂର୍ବରୁ ଅଗଣିତ ବୀରପୁତ୍ରମାନେ ଶତ୍ରୁ ଆକ୍ରମଣକୁ ରୋକିବାକୁ ଆତ୍ମ ବଳିଦାନ ମଧ୍ୟ ଦେଇଛନ୍ତି । ହେଲେ ଶିବାଜୀ ମହାରାଜ ତାଙ୍କ ବିଚକ୍ଷଣ ନୀତି, ସୁସଙ୍ଗଠିତ ଯୋଜନା, ଏକନିଷ୍ଠ ସାଧନା ଓ ବୀରତ୍ୱ ବଳରେ ବିଜୟ ପରେ ବିଜୟ ଲାଭ କରି ଚାଲିଥିଲେ; ଯାହାକି ପ୍ରତିଟି ହିନ୍ଦୁଙ୍କ ପ୍ରାଣରେ ଅପୂର୍ବ ଶକ୍ତି ସଂଚାର କରିବ ସହ ଆଗାମୀ ଅନେକ କାଳ ପର୍ଯ୍ୟନ୍ତ ତାଙ୍କୁ ବିଦେଶୀ ଶତ୍ରୁର ମୁକାବଲା କରିବାକୁ ଅଦମ୍ୟ ସାହସ ଯୋଗାଇ ପାରିଥିଲା । ଆକ୍ରାନ୍ତା ମାମୁଦ ଗଜନୀ ଠାରୁ ଆରମ୍ଭ କରି ଯବନମାନଙ୍କର ଘନ ଘନ ଆକ୍ରମଣ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବା ବେଳେ ଛତ୍ରପତି ଶିବାଜୀଙ୍କର ତାଙ୍କ ରାସ୍ତାରେ ପ୍ରାଚୀର ଭଳି ଦଣ୍ଡାୟମାନ ହେବା ବାସ୍ତବରେ କେବଳ ଶିବାଜୀଙ୍କର ନୁହେଁ, ବରଂ ସମଗ୍ର ହିନ୍ଦୁ ଜାତିର ବିଜୟ ସ୍ୱରୂପ ଥିଲା । କେବଳ ମହାରାଷ୍ଟ୍ର ନୁହେଁ ଭାରତବର୍ଷର ହିନ୍ଦୁ ରାଜାମାନଙ୍କୁ ସଙ୍ଗଠିତ କରି ତାଙ୍କୁ ସ୍ୱାଭିମାନର ସହ ବଞ୍ଚିବାର ଶିକ୍ଷା ଦେଇଥିଲେ ସେ ।
ଓବକର ନାମକ ଜଣେ ଫ୍ରାନ୍ସର ପର୍ଯ୍ୟଟକ ୧୬୭୦ରେ ଭାରତ ଭ୍ରମଣରେ ଆସି ଏକ ଭ୍ରମଣ ବୃତ୍ତାନ୍ତ ଲେଖିଥିଲେ । ଯାହାକି ‘Voice Indies Oriental’ ପୁସ୍ତକ ନାମରେ ୧୬୯୯ରେ ପ୍ୟାରିସରେ ପ୍ରକାଶିତ ହୋଇଥିଲା । ସେଥିରେ ସେ ଲେଖିଥିଲେ-ଶିବାଜୀ ସିକନ୍ଦର ଠାରୁ କମ୍ କୁଶଳୀ ନଥିଲେ, ତାଙ୍କର ଗତି ଏଭଳି ଦ୍ରୁତ ଥିଲା ଯେ ମନେହୁଏ ତାଙ୍କ ସେନାର ଡେଣା ଥିଲା, ଜୟସିଂହକୁ ଦିଆ ଯାଇଥିବା ଦୁର୍ଗକୁ ସେ ମାତ୍ର ୮ ମାସ ମଧ୍ୟରେ ତା ଠାରୁ ଛଡ଼ାଇ ଆଣିଥିଲେ ଆଦି । ବାର୍ଥଲେମୀ କୈର ମଧ୍ୟ ତାଙ୍କର ‘‘Voice the Indi Oriental’’ର ଦୁଇଟି ଖଣ୍ଡରେ କହିଛନ୍ତି- “ମରାଠାଙ୍କ ଅଧିନାୟକ ଶିବାଜୀ କେବଳ ତାଙ୍କ ପ୍ରଜା ବା ଅଧିକାରୀଙ୍କ ପାଇଁ ଆଦରଣୀୟ ଓ ପ୍ରଶଂସନୀୟ ନଥିଲେ ବରଂ ତାଙ୍କ ବିରୋଧୀମାନେ ମଧ୍ୟ ତାଙ୍କୁ ପ୍ରଶଂସା କରୁଥିଲେ ।’’
ସେ ୧୬୭୨ରେ ପୁନଃ ଭାରତ ଆସିଥିଲେ କେବଳ ‘ଶିବାଜୀଙ୍କ ଇତିହାସ’ ଗ୍ରନ୍ଥର ଅବଶିଷ୍ଟାଂଶ ଲେଖିବା ଉଦ୍ଦେଶ୍ୟରେ । ସେ ଲେଖିଛନ୍ତି- “ଶିବାଜୀ ଦୁର୍ଗ ଶାସ୍ତ୍ର ଓ ବିଜ୍ଞାନର ମଧ୍ୟ ଗଭୀର ଅଧ୍ୟୟନ କରିଥିଲେ । ତାଙ୍କର ଜ୍ଞାନ ଗାରିମା ଯେ କୌଣସି ଜ୍ଞାନୀ ଗୁଣିଠାରୁ କୌଣସି ଗୁଣରେ କମ୍ ନଥିଲା । ଭୂଗୋଳ ଓ ନକ୍ସା ଆଦିରେ ସେ ଏତେ ସତର୍କ ଥିଲେ ଯେ ଖାଲି ଗାଁ ବା ସହରର ନକ୍ସା ନୁହେଁ ବଣ, ଜଙ୍ଗଲ, ଦୁର୍ଗମ ପଥର ମଧ୍ୟ ନକ୍ସା ତିଆରି କରି ରଖିଥିଲେ । (ସନ୍ଦର୍ଭ- ଶିବାଜୀ ମହାରାଜ, ଦ ଗ୍ରେଟେଷ୍ଟ’ । ଡ. ହେମନ୍ତରାଜେ ଗାୟକୱାଡ଼, ପ୍ରଭାତ ପ୍ରକାଶନ, ପୃଷ୍ଠା-୨୧୦-୨୧୨) ବାର୍ଥଲେମୀ କୈରେ ଲେଖିଛନ୍ତି- ସାହସୀଙ୍କୁ ତାଙ୍କ ସାହସିକତାର ଫଳତ ନିଶ୍ଚିତ ମିଳିଥାଏ । ମହାନ ବ୍ୟକ୍ତିଙ୍କ ପାଇଁ ତାଙ୍କ ଶତ୍ରୁଙ୍କ ଓଠରୁ ବି ପ୍ରଶଂସାର ସୁଅ ଛୁଟେ । ଏହା ଶିବାଜୀଙ୍କ କ୍ଷେତ୍ରରେ ସଂପୂର୍ଣ୍ଣ ସତ୍ୟ ।
ତାଙ୍କ ସିଂହାସନ ଆରୋହଣ ତିଥି ଚଳିତ ବର୍ଷ ଜୁନ୍ ୩ ତାରିଖକୁ ‘ହିନ୍ଦୁ ସାମ୍ରାଜ୍ୟ’ ଦିବସ’ ରୂପେ ପାଳନ କରାଯିବା ସହ ଦେଶର କୋଟି କୋଟି ହିନ୍ଦୁଙ୍କ ପ୍ରାଣରେ ଏକ ନବ ଉନ୍ମାଦନା ସଞ୍ଚରିତ ହେଉଛି । ମୋଗଲମାନଙ୍କର କ୍ରୂର ପଞ୍ଝାରୁ ହିନ୍ଦୁମାନଙ୍କୁ ରକ୍ଷା କରି ତାଙ୍କ ମଧ୍ୟରେ ଆତ୍ମବିଶ୍ୱାସର ବୀଜ ବପନ ସହ ଗୋଟିଏ ଧ୍ୱଜ ତଳେ ଏକତ୍ର କରି ସୁସଙ୍ଗଠିତ କରିବା କିଛି କମ୍ କଥା ନଥିଲା; ଏହା ମାଧ୍ୟମରେ ହିନ୍ଦୁମାନଙ୍କ ପ୍ରାଣରେ ପୁନଃ ଆତ୍ମସମ୍ମାନର ଭାବନା ଜାଗ୍ରତ ହେଲା । ଏଣୁ ଏହି ହିନ୍ଦୁ ସାମ୍ରାଜ୍ୟ ଦିବସରେ ରାଷ୍ଟ୍ର ନିର୍ମାଣ ପଥରେ ଅଗ୍ରସର ହେଉଥିବା ପ୍ରତିଟି ଭାରତୀୟଙ୍କୁ ଛତ୍ରପତି ଶିବାଜୀଙ୍କୁ ସ୍ମରଣ କରିବା ଓ ତାଙ୍କ ପ୍ରତିଷ୍ଠିତ ହିନ୍ଦୁ ସାମ୍ରାଜ୍ୟର ଆଦର୍ଶକୁ ଅନୁକରଣ କରିବା । (ବରିଷ୍ଠ ପତ୍ରକାର)
Comments
Post a Comment