କଟକ ଭାରତୀୟ ମଜଦୁର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

କଟକ ଭାରତୀୟ ମଜଦୁର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

କଟକ,  : ଭାରତୀୟ ମଜଦୁର ସଂଘ ସର୍ବଭାରତୀୟ ସ୍ତରରେ ଚଳିତ ମାସ ୨୪ରୁ ୩୦ ପର୍ଯ୍ୟନ୍ତ \"ସରକାର ଜଗାଓ\'\' ସପ୍ତାହ ପାଳନ କାର୍ଯ୍ୟକ୍ରମ କରୁଅଛି । ଅନୁରୂପଭାବେ  ଭାରତୀୟ ମଜଦୁର ସଂଘଦ୍ୱାରା ପରିଚାଳିତ ଅଖିଳ ଭାରତୀୟ କନ୍‌ଷ୍ଟ୍ରକ୍‌ସନ୍ ମଜଦୁର ମହାସଂଘ ଓ ଅଖିଳ ଭାରତୀୟ କୃଷି ଏବଂ ଗ୍ରାମୀଣ ମଜଦୁର ମହାସଂଘର ଆହ୍ୱାନକ୍ରମେ ରାଜ୍ୟର ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘ ଓ ଓଡ଼ିଆ କୃଷି ଏବଂ ଗ୍ରାମୀଣ ମଜଦୁର ସଂଘ ତରଫରୁ କରୋନା ମହାମାରୀକୁ ରୋକିବାପାଇଁ ସରକାରଙ୍କ ସମସ୍ତ ପଦକ୍ଷେପକୁ ସ୍ୱାଗତ କରୁଅଛି । ଗତ ମାର୍ଚ୍ଚ ୨୪ ତାରିଖ ଠାରୁ ସାରା ଦେଶ ତଥା ରାଜ୍ୟରେ ଲାଗୁ ହୋଇଥିବା ତାଲା ବନ୍ଦ ଯୋଗୁ ରାଜ୍ୟରେ କୋଟି କୋଟି ସଂଖ୍ୟାରେ ଶ୍ରମିକମାନେ କର୍ମ ସଂସ୍ଥାନ ହରାଇ ନିଜର ଜୀବନ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି । ବର୍ତମାନ ତାଲା ବନ୍ଦ ଆଂଶିକ କୋହଳ ହୋଇଥିଲେ ମଧ୍ୟ ଶ୍ରମିକମାନେ ଯଥାପୂର୍ବ ତଥା ପରଂ ଅବସ୍ଥାରେ ଅଛନ୍ତି । ୩୦ ତାରିଖ ଦିନ କଟକ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୬ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀଗୁଡ଼ିକ ମଧ୍ୟରେ - ରାଜ୍ୟରେ ସମସ୍ତ ପଂଜିକୃତ ଅଣସଂଗଠିତ ଶ୍ରମିକମାନଙ୍କୁ ଆର୍ଥିକ ସହାୟତା, ପଂଜିକୃତ ନିମନ୍ତେ ଶ୍ରମ କାର୍ଯ୍ୟାଳୟରେ ଦାଖଲ ହୋଇଥିବା ସମସ୍ତ ଦରଖାସ୍ତକୁ ବିଚାରକୁ ନେଇ ହିତାଧିକାରୀଙ୍କୁ ପରିଚୟ ପତ୍ର ପ୍ରଦାନ, ରାଜ୍ୟରେ କାର୍ଯ୍ୟରତ ନିର୍ମାଣ ଶ୍ରମିକ ବ୍ୟତିରେକ ଅନ୍ୟ ସମସ୍ତ ଶ୍ରମିକମାନଙ୍କୁ ଅଣସଂଗଠିତ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧିନରେ ପଂଜିକୃତ କରାଇ ସେମାନଙ୍କର ସାମାଜିକ ସୁରକ୍ଷା ଦୁରୂସ୍ତ କରାଯିବା, ସମସ୍ତ ପଂଜିକୃତ ନିର୍ମାଣ ଶ୍ରମିକଙ୍କୁ ସରକାରଙ୍କ ଦ୍ୱାରା ଘୋଷିତ କରୋନା ମହାମାରୀ ଆର୍ଥିକ ସହାୟତା ଯୋଗାଇବା, ନିର୍ମାଣ ଶ୍ରମିକ ନୂତନ ପଂଜିକରଣ ଦରଖାସ୍ତ, ବିବାହ, ମୃତ୍ୟୁ, ସାଇକେଲ, ଯନ୍ତ୍ରପାତି, ଶିକ୍ଷା ଇତ୍ୟାଦି ସହାୟତା ନିମନ୍ତେ ପଡ଼ି ରହିଥିବା ଦରଖାସ୍ତଗୁଡ଼ିକୁ ବିଚାରକୁ ନେଇ ପରିଚୟପତ୍ର ପ୍ରଦାନ ଓ ସହାୟତା ରାଶି ପ୍ରଦାନ କରାଯିବା, ନିର୍ମାଣ ଶ୍ରମିକମାନଙ୍କ ନିମନ୍ତେ ମଞ୍ଜୁର ହୋଇଥିବା ନିର୍ମାଣ ଶ୍ରମିକ ପକ୍କା ଗୃହ ତୁରନ୍ତ ହିତାଧିକାରୀମାନଙ୍କୁ ଯୋଗାଇ ଦିଆଯିବା, ରାଜ୍ୟରେ ଥିବା ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ପିକୃତ କରିବା ସହିତ ଦକ୍ଷତା ଭିତିରେ କର୍ମ ନିଯୁକ୍ତି ଦିଆଯିବା ଅର୍ନ୍ତଭୁକ୍ତ ଅଟେ । ଉକ୍ତ କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ କନ୍‌ଷ୍ଟ୍ରକ୍‌ସନ୍ ମଜଦୁର ମହାସଂଘ, ଅଖିଳ ଭାରତୀୟ କୃଷି ଏବଂ ଗ୍ରାମୀଣ ମଜଦୁର ମହାସଂଘର ସର୍ବଭାରତୀୟ ସଂଗଠନ ସମ୍ପାଦକ ତଥା ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘର ସାଧାରଣ ସମ୍ପାଦକ ବସନ୍ତ କୁମାର ସାହୁ, ଭାରତୀୟ ମଜଦୁର ସଂଘ, କଟକ ଜିଲ୍ଲା ସମ୍ପାଦକ ଭାଗୀରଥି ବେହେରା ନେତୃତ୍ୱ ନେଇଥିଲେ ।

Comments