ଦୁର୍ନିତୀଖୋର ତହସିଲଦାରକୁ ଗିରଫ ଓ ଲଘୁ ଖଣିଜ ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ତିନି ବିଧାୟକଙ୍କ ବୈଶିଙ୍ଗା ଥାନା ସମ୍ମୁଖରେ ଧାରଣା
ବେତନଟୀ, ୩୦ା୭ : ମୟୂରଭଞ୍ଜରେ ଲଘୁ ଖଣିଜ ଅବାଧ ଲୁଟ ଏକ କଳା ଅଧ୍ୟାୟ ସୃଷ୍ଟି କରିଛି । ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି ବେତନଟୀର ପୂର୍ବତନ ତହସିଲଦାର ଅନିଶା ଦାସଙ୍କ ଦୁର୍ନିତୀର ପେଡି । ଲଘୁ ଖଣିଜ ଲୁଟରେ ସାମିଲ ଥିବା ମାଫିଆ, ଅଧିକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଓ ବୈଶିଙ୍ଗା ଥାନା ମାମଲା ୧୫୯/ ୨୦୨୦ରେ ଜଡିତ ବେତନଟୀର ପୂର୍ବତନ ତହସିଲଦାର ଅନିଶା ଦାସଙ୍କୁ ତୁରନ୍ତ ଗିରଫ ଦାବିରେ ଆଜି ବିଜେପି ତରଫରୁ ବୈଶିଙ୍ଗା ଥାନା ସମ୍ମୁଖରେ ଧାରଣା ଦିଆ ଯାଇଛି । ବଡସାହି ଅଞ୍ଚଳରୁ ବାହାର ଜିଲ୍ଲା ଓ ପଶ୍ଚିମବଙ୍ଗକୁ ବେଆଇନ ଭାବେ ଚାଲାଣ ହେଉ ଥିବା ବାଲି ଓ ମୋରମ ଦ୍ୱାରା ସରକାରୀ ରାଜକୋଷକୁ ବିଶାଳ କ୍ଷତି ପହଞ୍ଚିଛି । ଏହାକୁ ସୁରକ୍ଷା ଦେବାକୁ ବଡସାହି ଯୁବ ବିଧାୟକ ସନାତନ ବିଜୁଳି ଅଣ୍ଟା ଭିଡି ଥିବାର ପଡିଛି । ଆଇନ ସମ୍ମୁଖରେ ସମସ୍ତେ ସମାନ ତେଣୁ ଦୁର୍ନିତୀଖୋର ତହସିଲଦାର ଅନିଶା ଦାସଙ୍କୁ ତୁରନ୍ତ ଗିରଫ କରା ଯାଉ । ପ୍ରଶାସନ ତରଫରୁ ତାଙ୍କୁ ବଦଳି କରା ଯବା ସହିତ ନିଲମ୍ବନ କରା ଯାଇଛି । ବଡସାହିର ଶ୍ରୀକାନ୍ତ ଦାସଙ୍କ ଦ୍ୱାରା ଅଭିଯୋଗ ହେବା ପରେ ବୈଶିଙ୍ଗା ଥାନାରେ ସଙ୍ଗୀନ ଦଫାରେ ମାମଲା ରୁଜୁ ହୋଇଛି । ଏଥିରେ ମୋରଡାର ବିଜେଡି ବିଧାୟକ ରାଜକିଶୋର ଦାସଙ୍କ ଭଣଜାଙ୍କ ସମ୍ପୃକ୍ତିର ପୋଲିସ ପର୍ଦ୍ଦାଫାଶ କରିଛି । ଏହି ଜିଲ୍ଲାରୁ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ଭାବେ ସୁଦାମ ମାର୍ଣ୍ଡି ନିୟୋଜିତ ଅଛନ୍ତି । ତଥାପି ଏହି ଜିଲ୍ଲାରେ ଲଘୁ ଖଣିଜର ଅବାଧ ଲୁଟ ହେବା ସହିତ ସରକାରୀ ଅଧିକାରୀ ମାନେ ରାଜସ୍ୱ ବଦଳରେ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି ଏହା ଅତ୍ୟନ୍ତ ଲଜ୍ୟାକର କଥା ବୋଲି ବିଧାୟକ ପ୍ରକାଶ କରିଛନ୍ତି । ଏହି ଧାରଣାରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ସାରସକଣା ବିଧାୟକ ଡା. ବୁଢ଼ାନ ମୁର୍ମୁ ଯୋଗ ଦେଇ ପୋଲିସ ତାର କାର୍ଯ୍ୟାନୁଷ୍ଠାନକୁ ତ୍ୱରାନ୍ୱିତ କରନ୍ତୁ ବୋଲି ଦାବି କରି ଥିଲେ । ଧାରଣାରେ ଯୋଗ ଦେଇ ବିଜେପି ପୂର୍ବଜିଲ୍ଲା ସଭାପତି କାନ୍ଦ୍ରା ସୋରେନ କହିଲେ ଯେ ବେତନଟୀ ତହସିଲରେ ଜମି ସ୍କାଣ୍ଡାଲ, ଜାତୀୟ ରାଜପଥ କ୍ଷତିପୂରଣ ଦେବାରେ ମୋଟା ଅଙ୍କର ବଟି, ଲିଜ ଜମି ଦେବାରେ ବଡ ଘୋଟାଲା, ଦେବତ୍ତୋର ଜମିରୁ ଲଘୁ ଖଣିଜ ଲୁଟ ଭଳି କାର୍ଯ୍ୟ ହୋଇଛି । ସେଗୁଡିକ ତଦନ୍ତ ପାଇଁ ନିରପେକ୍ଷ କମିଟୀ ବସା ଯାଉ ଓ କେତେ ଟଙ୍କାର ରାଜସ୍ୱ, ୱାଟର ଚାର୍ଜ, ସେସ ସରକାର ହାନୀ କରିଛନ୍ତି ତାହା ସଂପୃକ୍ତ ଅଧିକାରୀଙ୍କ ଠାରୁ ରିକୋଭରି କରା ଯାଉ । ଏହା ବ୍ୟତୀତ ବେତନଟୀ ତହସିଲରେ ନିୟୋଜିତ ଦଲାଲ, ମଧ୍ୟସ୍ଥି ମାନଙ୍କର କାର୍ଯକଳାପକୁ ପର୍ଦ୍ଦାଫାଶ କରା ଯାଉ ବୋଲି ଦାବି କରି ଥିଲେ । ଆଜି ଧାରଣାରେ ବସି ଥିବା ସମସ୍ତ ଜନ ପ୍ରତିନିଧି ମାନେ ମୁଣ୍ଡରେ କଳା ପଟି ବାନ୍ଧି, କଳା ମୁଖା ପିନ୍ଧି ଧାରଣା ଦେଇ ଥିଲେ । ଖବର ପାଇ ବେତନଟୀ ଏସଡିପିଓ ଲଳିତ କୁମାର ପଟ୍ଟନାୟକ, ବେତନଟୀ ଭାରପ୍ରାପ୍ତ ତହସିଲଦାର ନମିତା ଧଳ, ବୈଶିଙ୍ଗା ଥାନା ଆଇଆଇସି ଲକ୍ଷ୍ମୀଧର ସ୍ୱାଇଁ, ବେତନଟୀ ଥାନା ଆଇଆଇସି ଅଶୋକ କୁମାର ନାୟକ ପ୍ରମୁଖ ବୈଶିଙ୍ଗାରେ ପହଞ୍ଚି ବିଧାୟକ ଓ ତାଙ୍କର ସମର୍ଥକ ମାନଙ୍କୁ ବୁଝାସୁଝା କରି ଥିଲେ । ହେଲେ ବିଧାୟକ ତହସିଲଦାରଙ୍କୁ ଗିରଫ ଉପରେ ଜିଦ ଧରିବା ସହିତ ଏହି ଧାରଣା ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ରୋକଠୋକ ମନା କରି ଦେଇ ଥିଲେ । ତେବେ ମୟୂରଭଞ୍ଜ ଏସପି ସ୍ମିଥ ଏସ ପାରମାରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ତଦନ୍ତ ଚାଲିଛି, ଫରେନସିକ ରିପୋର୍ଟ ଆଣିବାକୁ ଏକ ସ୍ୱତନ୍ତ୍ର ଦଳ ଭୁବନେଶ୍ୱର ଯାଇଛି । ବାଲେଶ୍ୱରର ଡିଏସପି ମନୋଜ କୁମାର ବିଶ୍ୱାଳ ଓ ଅନ୍ୟ ଅଧିକାରୀ ମାନେ ସହଯୋଗ କରୁଛନ୍ତି । ଆଇନ ମୁତାବକ ଯାହାର ଏହି ମାମଲାରେ ସମ୍ପୃକ୍ତି ଆସିବ ନିଶ୍ଚିତ କାର୍ଯ୍ୟନୁଷ୍ଠାନ ନିଆଯିବ ଓ ଗିରଫ କରା ଯିବ ବୋଲି ବେତନଟୀ ଏସଡିପିଓ ଲଳିତ କୁମାର ପଟ୍ଟନାୟକ ମତ ଦେଇଛନ୍ତି । ଆଜିର ଏହି ଧାରଣାରେ ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଉପସଭାପତି ପରେଶଚନ୍ଦ୍ର ମହାନ୍ତ, ଜିଲ୍ଲା ପରିଷଦ ସଦସ୍ୟ ବ୍ରଜମୋନହ ବେହେରା, ସଦସ୍ୟା ସଂଯୁକ୍ତା ରାଉତ, ଜିଲ୍ଲା ସମ୍ପାଦକ ବୀରେନ୍ଦ୍ର ପ୍ରଧାନ, ବ୍ଲକ ଅଧ୍ୟକ୍ଷ କାଳିଚରଣ ସୋରେନ, ମଣ୍ଡଳ ସଭାପତି ରତିକାନ୍ତ ମହାନ୍ତ, ରାଜକିଶୋର ସାହା, ମାନସ ଗିରି, ସୁବାଶ ଦ୍ୱିବେଦୀ, ସର୍ବେଶ୍ୱର ନାୟକ, ମୟୂରଭଞ୍ଜ ଲୋକ ସଭା ସାଂସଦଙ୍କ ପ୍ରତିନିଧି ପ୍ରଦୀପ ମହାନ୍ତି, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀଙ୍କ ପ୍ରତିନିଧି ପ୍ରଦୀପ ପରିଡା, ବୈଶିଙ୍ଗା ମଣ୍ଡଳ ସମ୍ପାଦକ ସୁଦର୍ଶନ ନାୟକ, ରଘୁପୁର ମଣ୍ଡଳ ସମ୍ପାଦକ ଚନ୍ଦ୍ରହାସ୍ୟ ପାଣିଗ୍ରାହୀ, ଯୁବମୋର୍ଚ୍ଚା ସଭାପତି ପ୍ରଶାନ୍ତ ସାମଲ ଓ ବହୁ ବିଜେପି କର୍ମକର୍ତ୍ତା ଉପସ୍ଥିତ ରହି ଦାବି କରି ଥିଲେ । କରୋନା ପ୍ରତିବନ୍ଧକ ମୁତାବକ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ରକ୍ଷା କରି ଶାନ୍ତି ଶୃଙ୍ଖଳାରେ ଏହି ଦାବି କରା ଯାଇଛି
Comments
Post a Comment