ଆମେରିକାରେ ପ୍ରଭୁ ଶ୍ରୀରାମ


ନ୍ୟୁୟର୍କ, ୩୦/୭  : ଅଯୋଧ୍ୟାରେ ଅଗଷ୍ଟ ୫ ତାରିଖ ଦିନ ଶ୍ରୀରାମ ମନ୍ଦିର ଲାଗି ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହେବ । ଏହି ଐତିହାସିକ କ୍ଷଣରେ ଆମେରିକା ନ୍ୟୁୟର୍କର ପ୍ରସିଦ୍ଧ ଟାଇମସ୍କୋୟାର ବିଲବୋର୍ଡରେ ମର୍ଯ୍ୟଦା ପୁରୁଷୋତମ ଶ୍ରୀରାମ ଚନ୍ଦ୍ର ଓ ଅଯୋଧ୍ୟାରେ ପ୍ରସ୍ତାବିତ ଶ୍ରୀରାମ ମନ୍ଦିରର ବିଶାଳ ଥ୍ରୀ-ଡି ଚିତ୍ର ପ୍ରଦର୍ଶିତ ହେବ । ଆମେରିକାରେ ଭାରତ ପବ୍ଲିକ ଆଫାୟାର କମିଟି ଅଧ୍ୟକ୍ଷ ଜଗଦୀଶ ସେହ୍‌ୱାନୀ ଗୁରୁବାର ଏହି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାର ଭୂମି ପୂଜନ ପୂର୍ବକ ମନ୍ଦିର ଲାଗି ଆଧାରଶିଳା ରଖିବେ । ଏହି ଐତିହାସିକ କ୍ଷଣକୁ ସ୍ମରଣୀୟ କରିବା ଲାଗି ଆମେରିକାରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ସେହ୍‌ୱାନୀ କହିଛନ୍ତି ଯେ, ଏଥିଲାଗି ବିଶାଳ ନାସଡାକ୍ ସ୍କ୍ରିନ୍ ସମେତ ୧୭ ହଜାର ବର୍ଗଫୁଟ ଏଲଇଡି ସ୍କ୍ରିନ୍ର ବ୍ୟବସ୍ଥା କରାଯାଇଛି । ସେହିଦିନ ସ୍ଥାନୀୟ ସମୟ ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଇଂରାଜୀ ଓ ହିନ୍ଦୀରେ ‘ଜୟ ଶ୍ରୀରାମ\' ପ୍ରଦର୍ଶିତ ହେବ । ଭଗବାନ ଶ୍ରୀରାମଙ୍କ ଚିତ୍ର ସମେତ ଭିଡିଓ, ମନ୍ଦିରର ସଂରଚନାର ଥ୍ରୀ-ଡି ଛବି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଶିଳାନ୍ୟାସର ଛବି ମଧ୍ୟ ବିଲବୋର୍ଡ ମାଧ୍ୟମରେ ପ୍ରଦର୍ଶିତ ହେବ ।  ଟାଇମ୍ ସ୍କୋୟାରରେ ଲାଗିଥିବା ବିଲବୋର୍ଡ ବିଶ୍ୱର ସବୁଠୁ ବଡ ଓ ଆକର୍ଷକ ବିଲବୋର୍ଡ ମଧ୍ୟରେ ଅନ୍ୟତମ ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ ଲୋକପ୍ରୀୟ । କେବଳ ଏତିକି ନୁହେଁ ସେଦିନ ଆମେରିକାରେ ଅବସ୍ଥାନ କରୁଥିବା ଭାରତୀୟମାନେ ଟାଇମ ସ୍କୋୟାରରେ ମିଳିତ ହୋଇ ଉତ୍ସବ ପାଳନ କରିବା ସହ ମିଠେଇ ମଧ୍ୟ ବାଂଟିବେ ବୋଲି ସେହ୍‌ୱାନୀ କହିଛନ୍ତି । ଏହା ହୁଏତ ଜୀବନକାଳରେ ଅଥବା କେତେଶହ ବର୍ଷରେ ହେବାକୁ ଯାଉଥିବା ପ୍ରଥମ ତଥା ଅନନ୍ୟ ଘଟଣାୟ ଏଣୁ ଏହାକୁ ଆମେ ଉତ୍ସବ ଭାବେ ପାଳନ କରିବାକୁ ଯୋଜନା କରିଛୁ ବୋଲି ସେହ୍‌ୱାନୀ କହିଛନ୍ତି । ଏଣୁ ଏଭଳି ଉତ୍ସବ ଆୟୋଜନ ଲାଗି ଟାଇମ ସ୍କୋୟାର ହିଁ ଏକମାତ୍ର ସ୍ଥାନ ବୋଲି ସେ କହିଛନ୍ତିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅଯୋଧ୍ୟା ଶ୍ରୀରାମ ମନ୍ଦିର ଶିଳାନ୍ୟାସ ବିଶ୍ୱବ୍ୟାପି ହିନ୍ଦୁଙ୍କ ଲାଗି ଏକ ସ୍ୱପ୍ନ ଭଳି ଯାହା ସତ୍ୟ ହେବାକୁ ଯାଉଛି । ୬ ବର୍ଷ ପୂର୍ବେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ହେବ ତାହା କେହି କଳ୍ପନା ବି କରିନଥିଲେ । ହେଲେ ମୋଦିଙ୍କ ନେତୃତ୍ୱରେ ସେହି ଦିନ ଆସିଛି ଓ ଆମେ ଏହାକୁ ଉପଯୁକ୍ତ ପାଳନ କରିବୁ ବୋଲି ସେହ୍‌ୱାନୀ କହିଛନ୍ତି । 

Comments