ବିଜେପି ପକ୍ଷରୁ ବନ୍ୟା ଦୁର୍ଗତଙ୍କୁ ସାହାଯ୍ୟ

ବାଲେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷା ଓ ଉପରମୁଣ୍ଡ ପାଣି ଯୋଗୁଁ ବିପଦ ସଙ୍କେତ ଉପରେ ପ୍ରବାହିତ ବୁଢ଼ାବଳଙ୍ଗ ନଦୀର ଜଳ ପତ୍ତନ ଏବେ ହ୍ରାସ ପାଇଥିଲେ ବି ଅଦ୍ୟାବଧି ସଦର ବ୍ଲକର ବହୁ ଅଞ୍ଚଳ ବଢ଼ିପାଣି ଘେରରୁ ମୁକୁଳି ପାରିନାହିଁ । ଜଳବନ୍ଦୀ ଭାବେ ରହିଥିବା ସଦର ବ୍ଲକର ବିଭିନ୍ନ ପଞ୍ଚାୟତର ଲୋକଙ୍କ ଦୁର୍ଦ୍ଦଶା ଏବେ ବୃଦ୍ଧି ପାଇବାରେ ଲାଗିଛି । ପାଣି ଛାଡ଼ିଆସୁଥିଲେ ବି ଲୋକେ ନିଜ ଘରେ ରୋଷେଇ କରି ଖାଇବା ଭଳି ସ୍ଥିତି ନଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ହଜାର ହଜାର ଏକର ଚାଷଜମି ଏବେ ପାଣିରେ ବୁଡ଼ି ରହିଥିବା ବେଳେ ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଏଭଳି ସ୍ଥିତିରେ ସଦର ବିଜେପିର ଏକ ଟିମ୍ ବନ୍ୟାଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଦିବଂଗତ ସଦର ବିଧାୟକ ମଙ୍ଗୁଭାଇଙ୍କ ସୁପୁତ୍ର ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ବହୁ କର୍ମୀ ସଦର ବ୍ଲକ କୁରାଢ଼ିଆ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କ ସ୍ଥିତି ଅନୁଧ୍ୟାନ କରିଥିଲେ । ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଉଦ୍ଧାର କରିବା ଓ ସେମାନଙ୍କ ରହିବା ବ୍ୟବସ୍ଥା ନେଇ ଶ୍ରୀ ଦତ୍ତ ପ୍ରଶାସନ ସହ ଆଲୋଚନା ମଧ୍ୟ କରିଛନ୍ତି । ବନ୍ୟା ପୀଡ଼ିତ ପରିବାରଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ ବ୍ୟବସ୍ଥା କରିବା ସହ ହୋଇଥିବା କ୍ଷୟକ୍ଷତିର ଏକ ରିପୋର୍ଟ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯିବ ବୋଲି ଶ୍ରୀ ଦତ୍ତ ପ୍ରକାଶ କରିଛନ୍ତି ।

Comments