ଚୀନ୍ ସେନା ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରି ବିଫଳ

ଭାରତ-ଚୀନ୍ ସେନା ପୁଣି ମୁହାଁମୁହ ଲଦାଖ, ୩୧ା୮: ଲଦାଖ ସୀମାରେ ୭୫ ଦିନ ପରେ ପୁଣି ଉତ୍ତେଜନା ପ୍ରକାଶ ପାଇଛି । ଚୀନ୍ ସେନା ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି । ଭାରତୀୟ ସେନା ପାଙ୍ଗୋଙ୍ଗ ସୋ ହ୍ରଦ ନିକଟରେ ଚୀନ୍ ସେନାର ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦେଇଛନ୍ତି । ଗତ ଜୁନ୍ ୧୫ରେ ଲଦାଖର ଗଲୱାନ ଉପତ୍ୟକାରେ ଚୀନ୍‌-ଭାରତ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ଏଥିରେ ଭାରତର ୨୦ ଯବାନ ସହିଦ ହୋଇଥିଲେ । ଭାରତୀୟ ସେନାର ଲୋକସମ୍ପର୍କ ଅଧିକାରୀ କର୍ଣ୍ଣେଲ ଏ ଆନନ୍ଦ କହିଛନ୍ତି ଯେ ଗତ ୨୯ ଓ ୩୦ ତାରିଖ ରାତିରେ ଚୀନ୍ ସୈନିକମାନେ ଅନୁପ୍ରବେଶ ଉଦ୍ୟମ କରିଥିଲେ । ଏହାକୁ ନେଇ ଦୁଇଦେଶର ସେନା ମଧ୍ୟରେ ପୁଣି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଭାରତୀୟ ଯବାନମାନେ କଡା ମୁକାବିଲା କରି ଚୀନ୍ ସୈନିକଙ୍କ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିଦେଇଥିଲେ । ପୂର୍ବ ଲଦାଖରେ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ଦୁଇଦେଶ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରୁଥିଲା ବେଳେ ଚୀନ୍ ସେନା ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଯବାନମାନେ ସାମରିକ ଓ କୂଟନୈତିକ ଆଲୋଚନାକୁ ଉଲ୍ଲଘଂନ କରି ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିଲେ ବେଳେ କର୍ଣ୍ଣେଲ ଆନନ୍ଦ କହିଛନ୍ତି । ସେ ଆହୁରି କହିଛନ୍ତି, ପାଙ୍ଗୋଙ୍ଗ ସୋ ହ୍ରଦର ଦକ୍ଷିଣ କୂଳର ପିଏଲଏର ଏହି କାର୍ଯ୍ୟକୁ ଭାରତୀୟ ସେନା ବିଫଳ କରିଦେବାରୁ ଏହି କ୍ଷେତ୍ରରେ ଆମର ସ୍ଥିତି ସୁଦୃଢ ରହିଛି । ଭାରତୀୟ ସେନା କଥାବର୍ତ୍ତା ମାଧ୍ୟମରେ ଶାନ୍ତି ବଜାୟ ରଖିବାକୁ ପ୍ରତିଶ୍ରୁତିବଦ୍ଧ । କିନ୍ତୁ ନିଜର ଅଖଣ୍ଡତା ବଜାୟ ରଖିବାକୁ ଦୃଢ ପ୍ରତିଜ୍ଞ । ସୀମା ସମସ୍ୟାର ସମାଧାନ ପାଇଁ ଚୁସୁଲ୍‌ରେ ବ୍ରିଗେଡ୍ କମାଣ୍ଡର ସ୍ତରରେ ବୈଠକ ଚାଲୁଛି । ଅଥଚ ଚୀନ ସେନା ନିଜକୁ ନିୟନ୍ତ୍ରଣରେ ରଖିପାରୁନାହିଁ । ଗତ ସାଢେ ୩ ମାସ ଧରି ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଭାରତ ଓ ଚୀନ୍ ସେନା ମଧ୍ୟରେ ବାରମ୍ବାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି । ଫିଙ୍ଗର-୪ ରୁ ୮ ମଧ୍ୟରେ ଥିବା ଅଞ୍ଚଳରୁ ଚୀନ୍ ନିଜର ସୈନ୍ୟ ପ୍ରତ୍ୟାହାର କରିନେବା ପାଇଁ ଭାରତ ଜୋର ଦେଇଆସୁଛି ।

Comments