ବଗଲା ଧର୍ମଶାଳା ଜାଗା ବିକ୍ରି ପ୍ରତିବାଦରେ ମହିଳା ମୋର୍ଚ୍ଚା ପକ୍ଷରୁ ଗଣଧାରଣା



ଭୁବନେଶ୍ୱର, : ପୁରୀ ବଗଲା ଧର୍ମଶାଳାକୁ ରାଜ୍ୟସରକାର ଓ ଜିଲ୍ଲାପ୍ରଶାସନ ବେଆଇନ ଭାବେ ପ୍ଲଟିଂ କରି ବିକ୍ରି କରିଛନ୍ତି । ଏହାର ପ୍ରତିବାଦରେ ପୁରୀ ଠାରେ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଧାରଣା ଦେଇ ରାଜ୍ୟସରକାରଙ୍କ ଏଭଳି ବେଆଇନ କାର୍ଯ୍ୟକୁ ତୀବ୍ର ବିରୋଧ କରିଛନ୍ତି । ବେଆଇନ କାର୍ଯ୍ୟକୁ ଆଇନ ବୋଲି ଦର୍ଶାଇ ଲୋକଙ୍କୁ ଭୂଆଁ ବୁଲାଇବାରେ ରାଜ୍ୟସରକାର ପୂରା ମାହିର । କିଛି ବ୍ୟବସାୟୀ ଲୋକଙ୍କୁ ଥଇଥାନ କରିବା ନାଁରେ ବଗଲା ଜମିକୁ ଜିଲ୍ଲା ପ୍ରଶାସନ ବିକ୍ରି କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ବେଆଇନ ଭାବେ ଏଭଳି ଏକ ଐତିହାସିକ ଧର୍ମଶାଳାକୁ ବିକ୍ରି କରିବା ପାଇଁ ଷଡଯନ୍ତ୍ର ରଚାଯାଇଛି ବୋଲି ଶ୍ରୀମତୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ସେହିପରି ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟୀକରଣ କରିବା ପାଇଁ ମେଘନାଦ ପାଚେରୀର ୭୫ ମିଟର ଯାଏଁ ଲୋକଙ୍କୁ ବିସ୍ଥାପିତ କରାଗଲା ଏବଂ ସେମାନଙ୍କୁ ଜମି ଓ କ୍ଷତିପୂରଣ ଦେବା ପାଇଁ ସରକାର ଘୋଷଣା କରିଥିଲେ । ୩୦୦ ଜଣ ଲୋକଙ୍କୁ ବିସ୍ଥାପିତ କରିବା ପରେ କିଛି ଲୋକଙ୍କୁ ବଗଲା ଧର୍ମଶାଳାରେ ପ୍ଲଟିଂ ଦେବା ଏବଂ ଅନ୍ୟ ଲୋକଙ୍କୁ ବାହାରେ ଜମି ଦେବାର ଉଦ୍ଦେଶ୍ୟ କ’ଣ ରହିଛି ? ବଗଲା ଧର୍ମଶାଳା ପୁରୀ ମ୍ୟୁନିସିପାଲିଟି ଅଧୀନରେ ଥିଲା କିନ୍ତୁ ରାତାରାତି ତାକ୍‌ୁ ରାଜସ୍ୱ ବିଭାଗକୁ ଅଣାଯାଇ ତାକୁ ୨୬ଟି ପ୍ଲଟିଂ କରାଯାଇଛି । ଯାହାକି ସଂପୂର୍ଣ୍ଣଭାବେ ବେଆଇନ । ଏଭଳି ବେଆଇନ କାର୍ଯ୍ୟ ପାଇଁ ସଂପୂର୍ଣ୍ଣ ଭାବେ ରାଜ୍ୟସରକାର ଏବଂ ଜିଲ୍ଲା ପ୍ରଶାସନ ଦାୟୀ ବୋଲି ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ ଅଭିଯୋଗ କରିଛନ୍ତି । ହାଇକୋର୍ଟକୁ ଅଣଦେଖା କରି ଜମି ପ୍ଲଟିଂ କରିବା ଏକ ଧର୍ତବ୍ୟ ଅପରାଧ । ବେଆଇନ ଭାବେ ପ୍ଲଟ ବିକ୍ରି କରୁଥିବା ଜମି ଦଲାଲଙ୍କ ବିରୁଦ୍ଧରେ ରାଜ୍ୟସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ତୁରନ୍ତ ରାଜ୍ୟସରକାର ବଗଲା ଧର୍ମଶାଳାରେ ହେଉଥିବା ପ୍ଲଟିଂ କାର୍ଯ୍ୟକୁ ବନ୍ଦ କରି କେନ୍ଦ୍ରସରକାରଙ୍କ ପ୍ରସାଦ ଯୋଜନା ଅନୁଯାୟୀ ତୀର୍ଥଯାତ୍ରୀଙ୍କ ରହିବା ପାଇଁ ଆରମ୍ଭ ହୋଇଥିବା ଜଗନ୍ନାଥ ତୀର୍ଥନିବାସ ନିର୍ମାଣ କରନ୍ତୁ ବୋଲି ଶ୍ରୀମତୀ ପଟ୍ଟନାୟକ ଦାବୀ କରିଛନ୍ତି । ଏହି ପ୍ରତିବାଦ ସଭାରେ ପୁରୀ ମହିଳା ମୋର୍ଚ୍ଚା ସଭାନେତ୍ରୀ ଜ୍ୟୋତି ମହାପାତ୍ର, ଚୌଧୁରୀ ମନସ୍ୱିନୀ ଦାସ,ବାସନ୍ତୀ ବେହେରା, ଜୟନ୍ତୀ ପଟ୍ଟନାୟକ, ସ୍ମିତାଜଂଳୀ ପତିଙ୍କ ସମେତ ପୁରୀ ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ସାମିଲ ଥିଲେ ।

 

Comments