ବନ୍ୟାଞ୍ଚଳରେ ବିଜେପି ପ୍ରତିନିଧି ଦଳ

ଢେଙ୍କାନାଳ,୩୧ା୮: ବିଜେପିର ଏକ ପ୍ରତିନିଧି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ବନ୍ୟା ଅଞ୍ଚଳକୁ ଯିବା ସହ ୩ଟି ପର୍ଯ୍ୟାୟରେ ବିପନ୍ନମାନଙ୍କୁ ଭେଟିଛନ୍ତି । ଅଗଷ୍ଟ ୨୮ତାରିଖରେ ପ୍ରାକ୍ତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କରମୁଳ ପଞ୍ଚାୟତର ବନ୍ୟାଞ୍ଚଳ ଗସ୍ତ କରିଥିବା ବେଳେ ୩୦ ତାରିଖରେ କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ରାମଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବାଇଁଶିଆ ପଞ୍ଚାୟତ ଗସ୍ତ କରିଥିଲେ । ସୋମବାର ପ୍ରାକ୍ତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି ଓ କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ରାମଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଦିଗମ୍ବରପୁର ଓ କାଶିପୁର ପଞ୍ଚାୟତର ବନ୍ୟା କ୍ଷତିଗ୍ରସ୍ତ ଗ୍ରାମ ପରିଦର୍ଶନ କରାଯାଇଥିଲା । ଏହି ଅବସରରେ ଶ୍ରୀ ପାଣି ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ସ୍ଥାନୀୟ ଅଂଚଳବାସୀଙ୍କୁ ସହାୟତା ପ୍ରଦାନ କରିବା ସହ ଏହାର ସ୍ଥାୟୀ ପ୍ରତିକାର ପାଇଁ କହିଥିଲେ । ଗୋରୋଡାପାଳ, ପର୍ବତକଣି ଓ ତଳକାଶିପୁର ପ୍ରଭୃତି ଗ୍ରାମର ନଦୀତଟ ବନ୍ଧ ନିର୍ମାଣ ପାଇଁ ଦଳ ପକ୍ଷରୁ ଦାବି କରାଯାଇଥିବା ବେଳେ କଙ୍କା ଗ୍ରାମକୁ ସଂଯୋଗ କରୁଥିବା ପୋଲର ସ୍ଥାୟୀ ନିର୍ମାଣ ପାଇଁ ଦୃଢ ଦାବି କରାଯାଇଥିଲା । ନଦୀକୂଳବର୍ତ୍ତୀ ୬ଟି ପଞ୍ଚାୟତର ପ୍ରାୟ ୨ହଜାର ଏକର ଚାଷଜମି ଜଳମଗ୍ନ ହୋଇଯାଇଥିବାରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ପ୍ରତିନିଧିମଣ୍ଡଳୀଙ୍କ ପକ୍ଷରୁ ଦାବି କରାଯାଇଥିଲା । ଏହି ଗସ୍ତ ସମୟରେ ଜିଲ୍ଲା ପରିଷଦ ସଦସ୍ୟା ମମତା ସ୍ୱାଇଁ, ଦଳୀୟ ନେତା ଦିଗାମ୍ବର ସାହୁ, ଅମ୍ବିକା ମିଶ୍ର, ଭ୍ରମର ରାଉତ, ଚିତ୍ତରଞ୍ଜନ ମହାନ୍ତି ଓ ସଞ୍ଜୟ ପୃଷ୍ଟି ପ୍ରମୁଖ ସାମିଲ ଥିଲେ ।

Comments