ନୁଆଦିଲ୍ଲୀ,୨୮ା୮: ଶାରୀରିକ ଅକ୍ଷମତା ଓ ପାରିବାରିକ ଆର୍ଥିକ ଅନାଟନକୁ ଅତିକ୍ରମ କରି କ୍ରୀଡା କ୍ଷେତ୍ରରେ ପ୍ରତିଷ୍ଠିତ ହୋଇ ଦେଶର ସର୍ବୋଚ୍ଚ ଜାତୀୟ କ୍ରୀଡା ପୁରସ୍କାର ରାଜୀବ ଗାନ୍ଧୀ ଖେଳ ରତ୍ନ ପାଇବେ ବୋଲି କେବେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ ମେରିୟାପାନା ଥାଙ୍ଗାଭେଲୁ । ମାତ୍ର ନିଜର ଦୃଢ଼ ଇଛା ଶକ୍ତି ଓ କଠିନ ପରିଶ୍ରମ ବଳରେ ଅସମ୍ଭବକୁ ସମ୍ଭବରେ ପରିଣତ କରି ସଫଳତାର ଶିଖରରେ ପହଞ୍ôଚ ପାରିଛନ୍ତି ।କଥାରେ ଅଛି ଭଗବାନଙ୍କର କରୁଣା ହୋଲେ ପଙ୍ଗୁ ମଧ୍ୟ ଗିରି ଲଙ୍ଘି ପାରେ । ମେରିୟାପାନାଙ୍କ ବାସ୍ତବ ଜୀବନରେ ଆଜି ତାହା ହିଁ ହୋଇଛି । ପାଞ୍ଚ ବୟସ ହୋଇ ଥିବା ବେଳେ ଏକ ବସ୍ ଧକ୍କାରେ ତାଙ୍କର ଡାହାଣ ଗୋଡ ଆଣଣ୍ଠୁ ତଳ ହାଡ ଭାଙ୍ଗିଗଲା ।ଜୀବନ ସାରା ପଙ୍ଗୁ ହୋଇ ବେକାର ହୋଇ ଯିବେ ବୋଲି ଭାବିଥିଲେ । ମାତ୍ର ଏହାକୁ ଭ୍ରୁକ୍ଷେପ ନ କରି ଆରମ୍ଭ କରିଥିଲେ ସଂଘର୍ଷପୂର୍ଣ୍ଣ ଜୀବନ । ବଞ୍ôଚ ରହିବା ପାଇଁ ସଂଗ୍ରାମ କଲେ । ସକାଳ ବେଳା ୨/୩ କିଲୋମିଟର ବୁଲି ଖବର କାଗଜ ବିକ୍ରୀ କରିବା କାର୍ଯ୍ୟ ସାରିବା ପରେ ଦିନରେ ଏକ କନଷ୍ଟ୍ରକସନ ସାଇଟରେ ଦିନ ମଜୁରିଆ ଭାବେ କାମ କରି ଦୈନିକ ୨୦୦ ଟଙ୍କା ମଜୁରୀ ପାଉଥିଲେ । ସେତେବେଳେ ମେରିୟାପାନା ଛୋଟ ବୟସର ପିଲା । ନିଜ ଦୁଃଖ ଜୀବନର କାହାଣୀ ବର୍ଣ୍ଣନା କରି କହିଛନ୍ତି ଯେ ବାପା ପରିବାରକୁ ତ୍ୟାଗ କରି ଚାଲିଯିବା ପରେ ମା ଏକ ପରିବା ଦୋକାନ କରିବା ସହ ଦୈନିକ ମଜୁରୀ ଲାଗି ପରିବାର ଭରର ପୋଷଣ କରୁଥିଲେ ।ତେଣୁ ବାଧ୍ୟ ହୋଇ କିଛି କରିବା ପାଇଁ ମନସ୍ଥ କଲି । ଖବର କାଗଜ ବିକିବା ଓ ମଜୁରୀ ଲାଗିବା ବ୍ୟତିତ ଅନ୍ୟ କୌଣସି ଉପାୟ ନ ଥିଲା । ଗୋଡ ଭାଙ୍ଗିଯିବା ସତ୍ତ୍ୱେ ପାଠ ପଢ଼ିବାକୁ ଯାଉଥିଲି । ସେହି ସମୟରେ କ୍ରୀଡା ପ୍ରତି ଆଗ୍ରହ ବଢ଼ାଇଲି । ବର୍ତ୍ତମାନର କୋଚ ଆର ସତ୍ୟ ନାରାୟଣ ମୋ ଉପରେ ଦୃଷ୍ଟି ପକାଇ ପ୍ରତିଭା ଜାଣି ପାରିଲେ । ସୁଯୋଗ କ୍ରମେ ୨୦୧୩ରେ ଅନୁଷ୍ଠିତ ଜାତୀୟ ପାରା ଆଥଲେଟିକ ଚାମ୍ପିଅନଶିପରେ ଭାଗ ନେଲି । ଯେତେବେଳେ ମୋତେ ୧୮ ବର୍ଷ ବୟସ ହୋଇ ଥିଲା ସେତେବେଳେ କୋଚଙ୍କ ସହାୟତାରେ ବେଙ୍ଗାଲୁର ଯିବା ସୁଯୋଗ ପାଇଲି । ଏହା ଠାରୁ ଆରମ୍ଭ ହେଲା ସଫଳତା ଅଧ୍ୟାୟ । ଜୋରଦାର ଅଭ୍ୟାସ କରିବା ସହ ୨୦୧୬ ରିଓ ପାରା ଅଲିମ୍ପିକ୍ସରେ ଅଂଶ ଗ୍ରହଣ ସୁଯୋଗ ପାଇବା ସହ ଭାରତ ପାଇଁ ପୁରୁଷ ହାଇ ଜମ୍ପରେ ଜିଣିଲି ସ୍ୱର୍ଣ୍ଣ ପଦକ । ଏହା ସହିତ ବେଙ୍ଗାଲୁର ସାଇ କେନ୍ଦ୍ରରେ ମଧ୍ୟ ମୋତେ ଗ୍ରୁପ ଏ’ କୋଚ ପଦବୀ ମିଳିଲା । ସେହିପରି ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍ମିମରେ ମଧ୍ୟ ସାମିଲ ହୋଇଛି । ବର୍ତ୍ତମାନ ପୂର୍ବପରି ଆଉ ଆର୍ଥିକ ସମସ୍ୟା ନାହିଁ । ତେବେ ପୂର୍ବଦିନର କଷ୍ଟମୟ ଜୀବନ କଥା ସବୁବେଳେ ମନେ ପଡୁଛି ।ଗତ ବର୍ଷ ଦୁବାଇରେ ଅନୁଷ୍ଠିତ ଆଇପିସି ବିଶ୍ୱଆଥଲେଟିକ ଚାମ୍ପିଅନଶିପର ଟି-୪୨ ହାଇ ଜମ୍ପଇଭେଣ୍ଟରେ ତୃତୀୟ ସ୍ଥାନ ହାସଲ ସହ ଆସନ୍ତା ବର୍ଷ ଅନୁଷ୍ଠିତ ହେବାକ ଯାଉଥିବା ଟୋକିଓ ଅଲିମ୍ପିକ୍ସରେ ଭାଗ ନେବା ସୁଯୋଗ ପାଇଛି । ତେଣୁ ପୁଣି ଅଲିମ୍ପିକ୍ସ ସ୍ୱର୍ଣ୍ଣପଦକ ଜିଣି ରେକର୍ଡ ସୃଷ୍ଟି କରିବା ଲକ୍ଷ୍ୟ ରଖିଛି । ଅବଶ୍ୟ ଏଥିପାଇଁ ମୋତେ ଯଥେଷ୍ଟ ପରିଶ୍ରମ କରିବାକୁ ପଡିବ ।
Comments
Post a Comment