ସ୍ୱର୍ଗତ ଦେବେନ୍ଦ୍ର ମହାପାତ୍ରଙ୍କ ଏକାଦଶାହ ଦିବସରେ ଏକ ଶ୍ରଦ୍ଧାଞ୍ଜଳି ସଭା

 


ସ୍ୱର୍ଗତ ଦେବେନ୍ଦ୍ର ମହାପାତ୍ରଙ୍କ ଏକାଦଶାହ ଦିବସରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅଗଷ୍ଟ 23 ତାରିଖ ଦିନ ସରସ୍ବତୀ ଶିଶୁବିଦ୍ୟା ମନ୍ଦିର କେନ୍ଦ୍ରାପଡାରେ ଅନୁଷ୍ଠିତ ହୋଇ ଯାଇଛି । ଡ. ହେଡଗେଓ୍ବାର ସେବାଟ୍ରଷ୍ଟ ସମିତି, କେନ୍ଦ୍ରାପଡା ତରଫରୁ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ କେନ୍ଦ୍ରାପଡାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ

ଏହି ଅବସରରେ କେନ୍ଦ୍ରାପଡା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜିଲ୍ଲା ସଙ୍ଘଚାଳକ ମା. ନିହାର ରଞ୍ଜନ ପଣ୍ଡା କହିଲେ ଯେ,-କେନ୍ଦ୍ରାପଡ଼ା ବହୁତ ଶୀଘ୍ର ୧୦୦ ଶାଖା ଅତିକ୍ରମ କରିଥିବା ଜିଲ୍ଲାରେ ପରିଣତ ହୋଇଗଲା। ଅ. ଭା. ଅଧିକାରୀ କେନ୍ଦ୍ରାପଡ଼ା ଆସିବା ପାଇଁ ଆଗ୍ରହ ପ୍ରକାଶ କଲେ। ସେତେବେଳେ କେନ୍ଦ୍ରାପଡ଼ାର ପୁର ପଲ୍ଲୀରେ ଶାଖା ଲାଗିଥିଲା। ମୁଁ ନବମ ଶ୍ରେଣୀରେ ପଢୁଥିଲି। ସର କାର୍ଯ୍ୟବାହ ମାନନୀୟ ରଜ୍ଜୁଭୈୟାଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଗଣବେଶ ଅନିବାର୍ଯ୍ୟ ଥିଲା। ମୋ ପାଖରେ ପଇସା ନ ଥିଲା। ଆମ ଘରେ ବସ୍ତେ ମୁଗ ବିକି ମୋ ପାଇଁ ପୂର୍ଣ୍ଣ ଗଣବେଶ କିଣି ଦେବା ପରେ ମୁଁ ସେହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି। ଏ ୧୦୦ ଶାଖା କରିବା ପଛରେ ଥିଲା ଦେବ ଭାଇଙ୍କ ସାଧନା। ଶାଖା ପାଇଁ ତାଙ୍କର ନିଷ୍ଠା କେମିତି ଥିଲା ଉଲ୍ଲେଖ କରିବାକୁ ଯାଇ ସେ ଢେଙ୍କାନାଳର ଧଳପୁର ଶାଖାର ଉଦାହରଣ ଦେଇଥିଲେ। ସେଇଭଳି ତ୍ୟାଗମୟ ତପସ୍ୟାମୟ ଜୀବନ ଆମେ ଆପଣେଇ ପାରିଲେ ତାହା ହେବ ଦେବ ଭାଇଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର. ସହ ବିଭାଗ ସଙ୍ଘଚାଳକ ଡ. ଗୌତମ ମହାରଣା ଶ୍ରଦ୍ଧାଞ୍ଜଳି ଦେଇ କହିଲେ ଯେ,ଶବଳକଣା ଗାଁରୁ ଯେଉଁ ଦୀପଟି ପ୍ରସ୍ତୁତ ହୋଇ କେନ୍ଦ୍ରାପଡ଼ା ଆସିଥିଲା ସେଇ ଦୀପ ଶିଖାରୁ ଅନେକ ଦୀପ ଶିଖା ସୃଷ୍ଟି ହୋଇଛନ୍ତି। କେନ୍ଦ୍ରାପଡ଼ାର ସଙ୍ଘ ଇତିହାସକୁ ଯଦି ଆମେ ଆକଳନ କରିବା ତେବେ ଦେବ ଭାଇଙ୍କ ସ୍ଥାନ ସର୍ବାଗ୍ରେ ରହିବ। ବାରବାଟୀ ମହାଶିବିରରେ ତାଙ୍କ ସାଙ୍ଗଠନିକ ଦକ୍ଷତା ବହୁତ କାମ କରିଛି। ବନ୍ୟା ବିପନ୍ନ ସହାୟତା ସମିତି ଯାହା ପରେ ଉତ୍କଳ ବିପନ୍ନ ସହାୟତା ସମିତି ହେଲା ସେ ସମିତି ଗଠନରେ ତାଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ। ଡକ୍ଟରଜୀ ଅନ୍ତିମ ଭାଷଣରେ କହିଥିଲେ ଜୀବନରେ ଏପରି ଦୁର୍ଦ୍ଦିନ ନ ଆସୁ ଯେ ଆମକୁ କହିବାକୁ ପଡ଼ିବ ମୁଁ ସଙ୍ଘର ସ୍ୱୟଂସେବକ ଥିଲି। ଅର୍ଥାତ୍ ମୃତ୍ୟୁ ପର୍ଯ୍ୟନ୍ତ ଆମେ ସ୍ୱୟଂସେବକ ରହିବାକୁ ଉଦ୍ୟମ କରିବା। ସେ ଦୃଷ୍ଟିରୁ ଦେବ ଭାଇଙ୍କୁ ଅଧ୍ୟୟନ କଲେ ଆମେ ତାଙ୍କ ଜୀବନର ବହୁବିଧ ରୂପକୁ ଦର୍ଶନ କରିବା। ଉତ୍ତୁଙ୍ଗ ଶିଖରରୁ ଝରି ଆସିଥିବା ଝରଣା ନଦୀରେ ମିଶେ। ନଦୀ ସାଗରରେ ମିଶେ। ଝରଣାକୁ ଭିନ୍ନ ମୋଡ଼ ଦେବାକୁ ଯଦି କିଏ ଚେଷ୍ଟା କରେ ତେବେ ସେ ଟିକେ ଗତି ବଦଳାଇ ଦିଏ ସିନା କିନ୍ତୁ ଅଟକି ଯାଏ ନାହିଁ। ସେ ତା ଲକ୍ଷ୍ୟ ପଥରେ ଆଗେଇଯାଏ। ସେହିପରି ପ୍ରତ୍ୟେକ ସ୍ୱୟଂସେବକର, ପ୍ରତ୍ୟେକ କାର୍ଯ୍ୟକର୍ତ୍ତାର ମଧ୍ୟ ଲକ୍ଷ୍ୟ ଥାଏ ମୁଁ ସାଗରରେ ମିଶିବି ବା ଲକ୍ଷ୍ୟ ସ୍ଥଳରେ ପହଞ୍ଚିବି। ସେ ଦୃଷ୍ଟିରୁ ଦେବ ଭାଇଙ୍କ କଥା ଏଠାରେ ଯେତେ ଆଲୋଚନା ହେଲା ଏହା ସମ୍ପୂର୍ଣ୍ଣ ନୁହେଁ। ସମୟ ସ୍ୱଳ୍ପ। ଆମେ ବି ଅଳ୍ପ ଆଲୋଚନା କଲେ। ଅନେକ ବାକି ରହିଗଲା। ମୁଁ ଚାହୁଁଛି ଯେ, ଯେପରି ଓଡ଼ିଶାରେ ସଙ୍ଘର ଇତିହାସ "ଓଡ଼ିଶାରେ ସଙ୍ଘ" ଶୀର୍ଷକରେ ପ୍ରକାଶିତ ହେଉଛି, ସେହିପରି କେନ୍ଦ୍ରାପଡ଼ାର ସଙ୍ଘ ଇତିହାସକୁ ସଂକଳିତ କରାଯାଉ, ତେବେ ବହୁ ବିଜ୍ଞ, ପ୍ରାଜ୍ଞ ବ୍ୟକ୍ତି ଲେଖା ଦେବେ, ତାକୁ ଅଧିକାରୀମାନେ ସମୀକ୍ଷା କରିବେ। ସେଥିରେ ଦେବ ଭାଇଙ୍କ ଯୋଗଦାନ ନିଶ୍ଚିତ ଭାବେ ସର୍ବାଗ୍ରେ ସ୍ଥାନ ପାଇବ। ତତ୍ସହିତ ଆହୁରି ଅନେକ ନିର୍ବାପିତ ହୋଇଯାଇଥିବା କାର୍ଯ୍ୟକର୍ତ୍ତାଙ୍କ କଥା ସେଥିରେ ଆସିଯିବ।
ଏବେ ଦେଶ ଓ ବିଶ୍ୱର ପରିସ୍ଥିତି କେତେ ଭୟାନକ ତାହା ଆମେ ଅଙ୍ଗେ ନିଭାଉଛନ୍ତି। ଏହାକୁ ସୁଧାରି ନେବାର ଏକ ମାତ୍ର ଉପାୟ ଆମର ନିତ୍ୟ ଶାଖା। ଏଥିପାଇଁ ଯେଉଁମାନେ ସମୟ ଦେଇ ପାରୁ ନାହାନ୍ତି ସେମାନେ ସାପ୍ତାହିକ ମିଳନ ବା ମାସିକ ସଙ୍ଘ ମଣ୍ଡଳୀରେ ଆସନ୍ତୁ। ଆମର ସ୍ୱୟଂସେବକମାନେ ଅନେକ ଆନୁସଙ୍ଗିକ କ୍ଷେତ୍ର ନିର୍ମାଣ କରିଛନ୍ତି। ରୁଚି ଅନୁସାରେ ସେଥିରେ ମଧ୍ୟ ଯୋଡ଼ି ହୋଇ ଆମେ ସେହିସବୁ କାମରେ ସହଯୋଗୀ ହୋଇପାରିବା। ଯଦି ଏତିକି ଆମ ଦ୍ୱାରା ସମ୍ଭବ ନୁହେଁ ତେବେ ଆମର ସ୍ୱୟଂସେବକ ହେବା ବ୍ୟର୍ଥ। ଏଠାରେ ଅର୍ପଣ କରୁଥିବା ଶ୍ରଦ୍ଧାଞ୍ଜଳି ମଧ୍ୟ ବ୍ୟର୍ଥ। ଦେବ ଭାଇଙ୍କୁ ଶ୍ରଦ୍ଧାଞ୍ଜଳି ମାନେ ହେଲା କାର୍ଯ୍ୟାଞ୍ଜଳି। ଦେବ ଭାଇଙ୍କର ଷାଠିଏ ବର୍ଷର ସଙ୍ଘ ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ଆଗାମୀ ପିଢ଼ିକୁ ଏଇ ପ୍ରେରଣା ଦେବା ପାଇଁ ଯଦି କେନ୍ଦ୍ରାପଡ଼ା ଜିଲ୍ଲା ଏକ ପୁସ୍ତକ ସଂକଳନ କରିପାରନ୍ତା ତେବେ ଆସନ୍ତା ବର୍ଷ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ତାକୁ ଉନ୍ମୋଚନ କରାଯାଇ ପାରନ୍ତା। ଦେବ ଭାଇଙ୍କ ପ୍ରତି ଓ ସଙ୍ଘପ୍ରତି ଏହା ଆମର ଶ୍ରେଷ୍ଠ କର୍ତ୍ତବ୍ୟ ହେବ ବୋଲି ମୁଁ ଆଶା କରୁଛି। ଏହା ହେଲେ ପରବର୍ତ୍ତୀ ପିଢ଼ି ଏଥିରୁ ବହୁ ପ୍ରେରଣା ପାଇବେ।
ପ୍ରଭୁ ବଳଦେବ ଜୀଉ ଦେବଭାଇଙ୍କ ଅମର ଆତ୍ମାକୁ ନିଜ ଚରଣରେ ସ୍ଥାନ ଦିଅନ୍ତୁ, ଏତିକି ପ୍ରାର୍ଥନା।



ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କ୍ଷେତ୍ର କାର୍ଯ୍ୟବାହ ମା. ଗୋପାଳ ପ୍ରସାଦ ମହାପାତ୍ର ଶ୍ରଦ୍ଧାଞ୍ଜଳି ଦେଇ କହିଲେ ଯେ ଏଠି ବସିଥିବା କେନ୍ଦ୍ରାପଡ଼ାର ସମସ୍ତ ସ୍ୱୟଂସେବକ ଦେବ ଭାଇଙ୍କ ବିଷୟରେ ଅତି କମ୍ ରେ ଘଣ୍ଟେ ଲେଖାଏଁ କହି ପାରିବେ। କାରଣ ଏତିକି ଓତପ୍ରୋତ ଭାବରେ ସମସ୍ତେ ଦେବଭାଇଙ୍କ ସହ ଜଡ଼ିତ। କିନ୍ତୁ ସଭାର ସମୟ ସ୍ୱଳ୍ପ ଥିବାରୁ ଆମେ ଏଥିରୁ ବଞ୍ଚିତ ହେଲେ।
ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହୋଇଲେ ମରଇ। ଏହା ଧ୍ରୁବ ସତ୍ୟ। ତା ପରେ ମଧ୍ୟ ସମସ୍ତଙ୍କ ଜୀବନର ସ୍ମୃତି ଚାରଣ ହୁଏ ନାହିଁ। ଜୀବନ କିଏ କିପରି ଜୀଇଁଲେ, ସେହି ଅନୁସାରେ ସ୍ମୃତିଚାରଣ ହୁଏ। ଶ୍ରଦ୍ଧାଞ୍ଜଳି ମଧ୍ୟ ଏକ କର୍ମକାଣ୍ଡ ନୁହେଁ। ଏହା ଆବଶ୍ୟକ। କାରଣ ଏହା ଦ୍ୱାରା ବ୍ୟକ୍ତି ଜୀବନର ଅନେକ ଦିଗକୁ ବୁଝିବା ସମ୍ଭବ ହୁଏ। ସେ ଛାଡ଼ି ଯାଇଥିବା କାର୍ଯ୍ୟକୁ ପୂର୍ଣ୍ଣ କରିବା ପାଇଁ ଅନେକ ବ୍ୟକ୍ତି ଆଗେଇ ଆସନ୍ତି। ସେଥିପାଇଁ ଆମେ ଦିବଂଗତ ବ୍ୟକ୍ତିର କାର୍ଯ୍ୟାବଳୀକୁ ଶୁଣୁ। ସେଥିରୁ ପ୍ରେରଣା ପ୍ରାପ୍ତ କରୁ।
ମୋର ବି ଦେବ ଭାଇଙ୍କ ସହ ଅନେକ ସ୍ମୃତି ଜଡ଼ିତ। ମୋ ପ୍ରଚାରକ ଜୀବନର ଆଦ୍ୟ ପାଠଶାଳା ହେଉଛି କେନ୍ଦ୍ରାପଡ଼ା। ମୋ କ୍ଷେତ୍ରରେ ଥିଲା ଦେବ ଭାଇଙ୍କ ଘର। ଏ ପାଠଶାଳାରେ ଥିଲେ ତିନି ଜଣ ଶିକ୍ଷକ। ୧. ଦେବେନ୍ଦ୍ର କୁମାର ମହାପାତ୍ର, ୨. ଦାମୋଦର ଦାସ, ୩. ପ୍ରେମାନନ୍ଦ ପ୍ରଧାନ। ଏ ତିନି ଜଣଙ୍କୁ କେନ୍ଦ୍ରାପଡ଼ାର ତ୍ରିଶକ୍ତି ବୋଲି କୁହନ୍ତି। ପ୍ରଚାରକ ଜୀବନ ପାଇଁ, ସଙ୍ଘ କାର୍ଯ୍ୟପାଇଁ ଏମାନଙ୍କ ଠାରୁ ମୁଁ ବହୁତ କିଛି ଶିକ୍ଷା ଲାଭ କରିଛି। ଯେଉଁଥି ପାଇଁ ଆଜିଯାଏ ମୁଁ ନିରବଚ୍ଛିନ୍ନ ଭାବେ ସଙ୍ଘର କାମ କରିଚାଲିଛି। ସ୍ମୃତି ତ ବହୁତ। ଏଠାରେ ଗୋଟିଏ ଦୁଇଟି ଉଲ୍ଲେଖ କରିବି।
*କୁଶଳୀ ସଂଗଠକ*
ଦେବ ଭାଇ ଥିଲେ ଜଣେ କୁଶଳ ସଂଗଠକ। ଗୋଟିଏ କାମ ସ୍ଥିର ହୋଇଛି ମାନେ ଏହା ସମ୍ପୂର୍ଣ୍ଣ ହେବ। ୧୯୭୯ ରେ ସମ୍ପର୍କ ଅଭିଯାନରୁ ଫେରି ଶାଖାରେ ପହଞ୍ଚିବା ବେଳକୁ ଶାଖା ବନ୍ଦ। ଉଦାସ, ଅବସାଦ ଅବସ୍ଥାରେ ତାଙ୍କ ଘରେ ପହଁଚିଲି। ସେ ମୋ ମୁହଁକୁ ପଢ଼ି ଦେଲେ। ଭାଉଜଙ୍କୁ କହିଲେ ଚା' ଆଣ। ମୋତେ ବୁଝାଇଲେ କ'ଣ ଶାଖା ସବୁ ଆଡ଼େ ଲାଗିଗଲେ ତୁମେ ଘରକୁ ଫେରିଯିବ ? ଶାଖାର ପ୍ରକୃତି କ'ଣ ? ସେ କେମିତି ଚାଲେ ସେ ପାଠ ପଢ଼ାଇଲେ। ମୋ ଅବସାଦ ଦୂର ହୋଇଗଲା। କାର୍ଯ୍ୟକର୍ତ୍ତାକୁ ସମ୍ଭାଳିବା, ତାକୁ ଆଗକୁ ବଢ଼ାଇବାରେ ସେ ଥିଲେ ସିଦ୍ଧହସ୍ତ।
*ପରିବାରକୁ ସଙ୍ଘମୟ କରିଦେଲେ*
କେନ୍ଦ୍ରାପଡ଼ାରେ କେଡ଼େ ଘରଟିଏ ! ନିଜେ ଚଳିବାକୁ ବି ଘର କମ୍ ପଡ଼ିବ। ସେଇଥିରେ ଚାଲିଥିଲା ସବୁ ବୈଠକ। ଶବଳକଣାରେ ନିଜ ଵାସ ଭବନର ଗୋଟେ ବଡ଼ କକ୍ଷ ଛାଡ଼ି ଦେଇଥିଲେ ସଙ୍ଘ କାମ ପାଇଁ। କେବଳ ଘରେ ସଙ୍ଘ ପାଇଁ ଶ୍ରଦ୍ଧା ଏପରି ନୁହଁ ସବୁ ବନ୍ଧୁ ବାନ୍ଧବଙ୍କୁ ମଧ୍ୟ ସେ ସଙ୍ଘ ବିଚାର ବୁଝାଇବାରେ ସକ୍ଷମ ଥିଲେ।
*ସଂଗଠନର ଇଚ୍ଛା ଅନୁସାରେ ନିଜକୁ ପ୍ରସ୍ତୁତ କରିନେବା*
ମୋ ଇଚ୍ଛା ଅନୁସାରେ ସଙ୍ଘ ଚାଲିବ ନାହିଁ। ସଙ୍ଘ ଅନୁସାରେ ମୁଁ ଚାଲିବି। ଏଥିପାଇଁ ତାଙ୍କୁ ଯେତେବେଳେ ବି ଯେଉଁ ଦାୟିତ୍ୱ ଦିଆଯାଇଛି ତାକୁ ସେ କେବଳ ସହର୍ଷେ ସ୍ୱୀକାର କରି ନାହାନ୍ତି, ସେଥିରେ ସେ ସଫଳତାର ଶୀର୍ଷକୁ ଛୁଇଁଛନ୍ତି।
ନେହିଁ ଚାହିଏ ପଦ ଯଶ ଗରିମା
ଭେଟ ପଡ଼େ ମା' କୀ ଚରଣୋ ମେ
ତେରା ବୈଭବ ଅମର ରହେ ମା'
ହମ ଦିନ ଚାର ରହେ ନ ରହେ।
ଏଇ ମାନସିକତାରେ ସେ କାମ କରିଛନ୍ତି। ତାଙ୍କର ଏଇ ମାନସିକତା ଆମ ଭିତରେ ପ୍ରବେଶ କରୁ। ଭଗବାନଙ୍କୁ ପ୍ରାର୍ଥନା ସେ ପୁଣି ଆମ ପାଖକୁ ଦେବ ଭାଇଙ୍କୁ ଫେରେଇ ଦିଅନ୍ତୁ। ତାଙ୍କ ମାର୍ଗଦର୍ଶନରେ ଆମେ ଆମର ଗନ୍ତବ୍ୟ ସ୍ଥାନରେ ପହଞ୍ଚୁ।



ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହ ସର କାର୍ଯ୍ୟବାହ ମା. ରାମଦତ୍ତ ଚକ୍ରଧର ଶ୍ରଦ୍ଧାଞ୍ଜଳି ଦେଇ କହିଲେ ଯେ
ଯେତେ ସ୍ୱୟଂସେବକ ଏଠାରେ ଉପସ୍ଥିତ ଅଛନ୍ତି ଏଥିରୁ ଅଧିକାଂଶ ଦେବ ଭାଇଙ୍କ ସହ କାନ୍ଧରେ କାନ୍ଧ ମିଳାଇ ସଙ୍ଘ କାମ କରିଛନ୍ତି। ତାଙ୍କର ପବିତ୍ର ସ୍ନେହ ସ୍ପର୍ଶ ସମସ୍ତଙ୍କୁ ମିଳିଛି। ତାଙ୍କଠାରୁ ସମସ୍ତେ ପ୍ରେରଣା ପ୍ରାପ୍ତ କରି ନିଜ ଜୀବନକୁ ମଧ୍ୟ ସେହିପରି ଗଢ଼ିଛନ୍ତି। ଏହା ହିଁ ଆପଣମାନେ ଏଠାରେ ବ୍ୟକ୍ତ କଲେ।
ଶ୍ରୀମଦ୍ଭଗବଦ୍ଗୀତାର ଦ୍ଵିତୀୟ ଅଧ୍ୟାୟରେ କୁହାଯାଇଛି -
"ଵାସାଂସି ଜୀର୍ଣାନି ଯଥା ଵିହାୟ
ନଵାନି ଗୃହ୍ଣାତି ନରୋ‌ପରାଣି ।
ତଥା ଶରୀରାଣି ଵିହାୟ ଜୀର୍ଣା
ନ୍ୟନ୍ୟାନି ସଂୟାତି ନଵାନି ଦେହୀ ||"
ଏଥିରେ କୁହାଯାଇଛି ପୁରୁଣା ବସ୍ତ୍ର ଭଳି ପୁରୁଣା ଶରୀର ତ୍ୟାଗ କରି ଆତ୍ମା ନୂତନ ଶରୀର ଧାରଣ କରେ।
ଆଦରଣୀୟ ଦେବ ଭାଇ ଶରୀର ତ୍ୟାଗ କଲେ ସତ କିନ୍ତୁ ତାଙ୍କର ଆତ୍ମା କର୍ତ୍ତୃତ୍ୱ ରୂପେ ଆମ ସମସ୍ତଙ୍କୁ ସଦା ସର୍ବଦା ମାର୍ଗଦର୍ଶନ ଓ ପ୍ରେରଣା ଦେଉଥିବ।
ଏବେର ସ୍ମୃତିଚାରଣ ଦ୍ୱାରା ଆମ ସମସ୍ତଙ୍କର ଅନୁଭବରେ ଆସିଲା ଯେ ଦେବ ଭାଇ ଜଣେ ଆଦର୍ଶ ସ୍ୱୟଂସେବକ ଥିଲେ, ଜଣେ ଆଦର୍ଶ କାର୍ଯ୍ୟକର୍ତ୍ତା ଥିଲେ, ସେ ମଧ୍ୟ ଜଣେ ଆଦର୍ଶ ଅଧିବକ୍ତା ଥିଲେ, ସେ ଜଣେ ଆଦର୍ଶ ଗୃହସ୍ଥ ଥିଲେ। ସବୁଠୁ ବଡ଼ କଥା ହେଲା ସେ ଜଣେ ଆଦର୍ଶ ଓ କୁଶଳ ସଂଗଠକ ଥିଲେ।
ବନ୍ଧୁଗଣ ! ସ୍ୱାତନ୍ତ୍ର୍ୟ ବୀର ବିନାୟକ ଦାମୋଦର ସାବରକର ଆଣ୍ଡାମାନର କାଳ କୋଠରୀରୁ ଘରକୁ ଗୋଟିଏ ଚିଠିରେ ଲେଖିଥିଲେ -
ପୁଷ୍ପ ତ ଅନେକ ଫୁଟେ। ପ୍ରଥମେ ହୁଏ କଢ଼ି ତା ପରେ ପୁଷ୍ପ। କେତେ ପୁଷ୍ପ କଢ଼ିରୁ ଝଡ଼ି ପଡ଼ନ୍ତି, କେତେ ପୁଷ୍ପ ହେଲା ପରେ ମଉଳି ଯାଇ ଝଡ଼ି ପଡ଼ନ୍ତି। କିନ୍ତୁ ସେହି ପୁଷ୍ପର ଜୀବନ ଧନ୍ୟ ହୋଇଯାଏ ଯାହାକୁ ଗଜରାଜ ନିଜ ଶୁଣ୍ଢରେ ତୋଳି ଶ୍ରୀହରିଙ୍କ ଚରଣରେ ସମର୍ପିତ କରେ।
ପୂଜନୀୟ ଡକ୍ଟରଜୀଙ୍କ ବିଚାର ସୂତ୍ର ଯେଉଁ ଜୀବନପୁଷ୍ପ ନିର୍ମାଣ କଲେ; ତା ଭିତରୁ ଅନେକ ପୁଷ୍ପ ଏଇ ଜିଲ୍ଲାରେ ମଧ୍ୟ ସୃଷ୍ଟି ହେଲେ। ଆଦରଣୀୟ ଦେବଭାଇ ସେହି ସୁଗନ୍ଧିତ ପୁଷ୍ପ ମାଳିକାର ଏକ ମହତ୍ତ୍ୱପୂର୍ଣ୍ଣ ପୁଷ୍ପ ଅଟନ୍ତି। ସାରା ଓଡ଼ିଶା ପ୍ରଦେଶକୁ ପ୍ରେରଣା ଦେଲା ଭଳି କେନ୍ଦ୍ରାପଡ଼ା ଶାଖା ଓ ଏ ଶାଖାରୁ ନିର୍ମିତ ଆଦରଣୀୟ ଦେବ ଭାଇଙ୍କ ଜୀବନ ଆମ ସମସ୍ତଙ୍କ ପାଇଁ ପ୍ରେରଣାସ୍ପଦ ହୋଇଯାଇଛି। କାରଣ ତାଙ୍କ ଜୀବନ ସଙ୍ଘ ପାଇଁ ସମର୍ପିତ ଥିଲା। ସେ ନିଜ ଜୀବନରେ ସଙ୍ଘ କାର୍ଯ୍ୟକୁ ପ୍ରଥମ ସ୍ଥାନ ଦେଲେ। ଯେଉଁ କାର୍ଯ୍ୟକର୍ତ୍ତା ସଙ୍ଘ କାର୍ଯ୍ୟକୁ ନିଜ ଜୀବନର କାର୍ଯ୍ୟ ବୋଲି ଗ୍ରହଣ କରି ନିଅନ୍ତି ତାଙ୍କର ପ୍ରତ୍ୟେକ କାର୍ଯ୍ୟକଳାପରେ ସଙ୍ଘ ଅଭିବ୍ୟକ୍ତି ହୁଏ, ସଙ୍ଘ ଦୃଶ୍ୟମାନ ହୁଏ। ତାଙ୍କ ଜୀବନକୁ ଦେଖି ଅନେକ କାର୍ଯ୍ୟକର୍ତ୍ତା ପ୍ରେରଣା ପ୍ରାପ୍ତ କରନ୍ତି। ଏଇଭଳି ପ୍ରେରଣାଦାୟୀ ଜୀବନ ଥିଲା ଦେବଭାଇଙ୍କର। ସେ ଆମ ସମସ୍ତଙ୍କ ପାଇଁ ଦୀପସ୍ତମ୍ଭ ଭଳି ଥିଲେ।
ଆଗାମୀ ଦିନରେ ସଙ୍ଘ ଶହେ ବର୍ଷ ପୂର୍ଣ୍ଣ କରିବ। ଏଠାରେ ଉପସ୍ଥିତ ଥିବା ସମସ୍ତ କାର୍ଯ୍ୟକର୍ତ୍ତା ଆଦରଣୀୟ ଦେବଭାଇଙ୍କ ଠାରୁ ପ୍ରେରଣାପ୍ରାପ୍ତ କରିଛନ୍ତି। ତାଙ୍କ ଜୀବନରୁ ଅନେକ ପ୍ରକାର ଅନୁଭବ ପ୍ରାପ୍ତ କରିଛନ୍ତି। ଏଭଳି ସମସ୍ତ ବନ୍ଧୁଙ୍କୁ ଏକ ଦୈବୀ ସଂକଳ୍ପ ନେବାର ଆଵଶ୍ୟକତା ରହିଛି। ଆମେ ସମସ୍ତେ ମିଶି ଆମ ଜିଲ୍ଲାର କାର୍ଯ୍ୟକୁ ଆଗାମୀ ଦୁଇ ତିନି ବର୍ଷ ଭିତରେ ଏକ ଆଦର୍ଶ ସ୍ଥାନରେ ପହଞ୍ଚାଇବା। ପ୍ରତ୍ୟେକ କ୍ଷେତ୍ରରେ ଆମେ ଆଦର୍ଶ ପ୍ରସ୍ତୁତ କରିବା। ପ୍ରତ୍ୟେକ ମଣ୍ଡଳରେ ଆମ କାମକୁ ପହଞ୍ଚାଇବା। ଯେତେ ପ୍ରକାର କାମ ଆମକୁ ଦିଆଯାଇଛି ସେ ସବୁ କାମରେ ଆମ ଜିଲ୍ଲା ପ୍ରଦେଶରେ ପ୍ରଥମ ସ୍ଥାନ ପ୍ରାପ୍ତ କରୁ। ଏପରି ଏକ ସଂକଳ୍ପ ଆମେ ଏଠାରେ ନେବା। ଏହା ହିଁ ଆଦରଣୀୟ ଦେବ ଭାଇଙ୍କ ପାଇଁ ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।
ଶୁଦ୍ଧ ହୃଦୟ କୀ ପ୍ୟାଲୀ ମେ
ବିଶ୍ୱାସ ଦୀପ ନିଷ୍କମ୍ପ ଜଲାକର
କୋଟି କୋଟି ପଗ ବଢ଼େ ଯା ରହେଁ
ତିଲ ତିଲ ଜୀବନ ଗଲା ଗଲାକର
ଜବ ତକ ଧ୍ୟେୟ ନ ପୂରା ହୋଗା
ତବ ତକ ପଗ କୀ ଗତି ନ ରୁକେଗୀ
ଆଜ କହେ ଚାହେ ଜୋ ଦୁନିଆ
କାଲ କୋ ଝୁକେ ବିନା ନ ରହେଗୀ।
ଭାରତ ମାତା ବିଶ୍ୱଗୁରୁ ହେବେ। ବିଶ୍ୱରେ ସର୍ବତ୍ର ତାଙ୍କର ଜୟ ଜୟକାର ହେବ। ହିନ୍ଦୁ ଧର୍ମର ପତାକା, ହିନ୍ଦୁ ସଂସ୍କୃତିର ପତାକା ସାରା ବିଶ୍ୱରେ ଉଡ଼ିବ। ଏଇ ଦିଗରେ ଆମେ ଗତି କରୁଛୁ। ଧୀରେ ଧୀରେ ତମସା ହଟି ଯାଉଛି। ଦିଗ୍ ବଳୟ ସ୍ପଷ୍ଟ ଦେଖା ଯାଉଛି। ଆମେ ଏକ ଶ୍ରେଷ୍ଠ ସଂକଳ୍ପ ନେଇ ଆଗେଇ ଯିବା। ଦେବ ଭାଇ ମଧ୍ୟ ଏଇ ସୁଦିନର ସଂକଳ୍ପ କରି ଆମକୁ ପ୍ରେରଣା ଦେଉଥିଲେ। ତାକୁ ଆମ ଜୀବଦ୍ଦଶାରେ ଆମେ ସାକାର କରିବା। ଏହା ହିଁ ହେବ ଦେବ ଭାଇଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ମୁଁ ନିଜକୁ ଅତି ସୌଭାଗ୍ୟଶାଳୀ ମନେ କରୁଛି ଯେ ଓଡ଼ିଶା ପ୍ରବାସ ସମୟରେ ଏଭଳି ଏକ ତପସ୍ୱୀ କାର୍ଯ୍ୟକର୍ତ୍ତାଙ୍କ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇପାରିଲି। ମୁଁ ତାଙ୍କ ଶ୍ରୀଚରଣରେ ଅତ୍ୟନ୍ତ ଵିନମ୍ରତା ପୂର୍ବକ ପ୍ରଣାମ କରୁଛି ଏବଂ ତାଙ୍କ ପରିବାରକୁ ଏ ସଂକଟମୟ ଘଡ଼ିରେ ସବୁ ପ୍ରକାର ଧର୍ଯ୍ୟ ଓ ସାହସ ପ୍ରଦାନ କରିବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରି ମୋର ଦୁଇ ଶବ୍ଦ ସମାପ୍ତ କରୁଛି।

Comments