ରାଷ୍ଟ୍ରସେବିକା ସମିତିର ରାଜ୍ୟସ୍ତରୀୟ ପ୍ରବେଶ ବର୍ଗ ସମାରୋପ ଉତ୍ସବ

ରାଷ୍ଟ୍ରସେବିକା ସମିତିର ରାଜ୍ୟସ୍ତରୀୟ ପ୍ରବେଶ ବର୍ଗ ସମାରୋପ ଉତ୍ସବ







ଭୁବନେଶ୍ୱର,୨୭/୫: ନାରୀ ପୁରଷମାନଙ୍କ ତୁଳନାରେ କୌଣସି ଗୁଣରେ କମ୍ ନୁହେଁ । ରାଷ୍ଟ୍ରଗଠନରେ ମହିଳାମାନଙ୍କ ବଳିଷ୍ଠ ଭୂମିକା ନିର୍ବାହ କରିବା ଦିଗରେ ପ୍ରେରଣା ଓ ପ୍ରଶିକ୍ଷଣ ଦେଉଥିବା  ଅଖିଳ ଭାରତୀୟ ମହିଳା ସଂଗଠନ ରାଷ୍ଟ୍ର ସେବିକା ସମିତି ୧୯୩୬ ମସିହା ବିଜୟା ଦଶମୀରୁ ଆରମ୍ଭ ହୋଇ ସାରା ଭାରତ ସହିତ ବିଦେଶରେ ମଧ୍ୟ କାର୍ଯ୍ୟରତ । ନାରୀ ଭିତରେ ଥିବା ସୁପ୍ତ ଶକ୍ତିର ଜାଗରଣ କରିବା ପାଇଁ ରାଷ୍ଟ୍ରସେବିକା ସମିତି, ଓଡିଶା ତରଫରୁ ୧୫ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ୧୫ ଦିନିଆ ରାଜ୍ୟସ୍ତରୀୟ ପ୍ରବେଶ ବର୍ଗ ତୁଳସୀପୁର ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ଠାରେ ଗତ ୧୩ ତାରିଖ ଦିନ ଆରମ୍ଭ ହୋଇ ୨୮ ତାରିଖ ଦିନ ଶେଷ ହୋଇଛି ।
ଏହି ରାଜ୍ୟସ୍ତରୀୟ ପ୍ରବେଶ ବର୍ଗର ସମାରୋପ ଉତ୍ସବ କଟକ ସହର,ବିଡାନାସୀ ଅଂଚଳରେ ଥିବା ବସୁନ୍ଧରା ପଡିଆରେ ଅନୁଷ୍ଠିତ ହୋଇଥିଲା । ଶିକ୍ଷାଥିନୀମାନେ ବିଭିନ୍ନ ପ୍ରକାର କଳାକୌଶଳ ସହିତ ନାନା ପ୍ରକାର ଯୋଗ, ଆସନ,ଶାରୀରିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । ସେବିକା ଭଉଣୀମାନଙ୍କର ସାମୂହିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ବିସ୍ମିତ କରିଦେଇଥିଲା ।
ଏହି ପ୍ରଶିକ୍ଷଣ ଶିବିରର ସମାରୋପ ଉତ୍ସବରେ ମୁଖ୍ୟ ଅତିଥି ରୂପେ କଟକର ରଘୁନାଥଜୀଉ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ଅଧ୍ୟାପିକ ଶ୍ରୀମତୀ ଅନିମା ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ସେବିକା ଭଉଣୀମାନଙ୍କ ଦ୍ୱାରା ପ୍ରଦର୍ଶିତ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ସେ କହିଲେ ଯେ, ଖୁବ୍ କମ୍ ଦିନ ମଧ୍ୟରେ ସେବିକା ଭଉଣୀମାନେ ଯାହା ସବୁ ଶିଖିଛନ୍ତି ତାହା ଖୁବ୍ ଉଚ୍ଚ କୋଟିର । ଏହି ସେବିକା ଭଉଣୀମାନଙ୍କ ମଧ୍ୟରେ କିଏ ମା, କିଏ, ଭଉଣୀ ଓ କିଏ ଝିଅ, ସମସ୍ତଙ୍କର ପରିବାର ମଧ୍ୟରେ କିଛି ଦାୟିତ୍ୱ ରହିଛି କିନ୍ତୁ ତାହା ସତ୍ୱେମଧ୍ୟ ସେମାନେ ସମୟ ବାହାର କରି ଦେଶ,ଜାତି ଓ ଭାରତ ମାଆ ପାଇଁ ଚିନ୍ତା କରି କାର୍ଯ୍ୟ କରିବା ପାଇଁ ସମୟ ଦେଉଛନ୍ତି ତେଣୁ ତାଙ୍କ ପାଖରେ ଆମ ସମସ୍ତେ ଋଣି । ମାଆ ମାନେ ହିଁ ପରିବାର ଠାରୁ ଆରମ୍ଭ କରି ସମାଜକୁ ସଂସ୍କାର ଦେଇ ପାରିବେ । ଘୋଡା ଦୌଡପରି ଦୌଡରେ ସାମିଲ ହୋଇଥିବା ଆଜିର ପିଲାମାନଙ୍କ ପାଖରେ ଦେଶ ବିଷୟରେ ୫ ମିନିଟ୍ ଚିନ୍ତା କରିବାକୁ ସମୟ ନାହିଁ । ସେମାନଙ୍କୁ ସମୟ ବାହାର କରିବାକୁ ପଡିବ । ଏହି ସେବିକା ଭଉଣୀମାନଙ୍କ ପରି ସମୟ ଦେଲେ ଆମ ଦେଶ ବିକାଶ ଦିଗରେ ଅଗ୍ରଗତି କରି ପାରିବ ବୋଲି ଶ୍ରୀମତୀ ମହାପାତ୍ର ପ୍ରକାଶ କରିଥିଲେ ।
ସଂଗଠନର ଅଖିଳ ଭାରତୀୟ ବୌଦ୍ଧିକ ପ୍ରମୁଖ ଡଃ.ଶରଦ ରେଣୁଜୀ ମୁଖ୍ୟବକ୍ତା ରୂପେ ଯୋଗଦେଇ ରାଷ୍ଟ୍ର କଣ, ଏହି ରାଷ୍ଟ୍ର ପାଇଁ ଆମର କର୍ତବ୍ୟ ବିଷୟରେ ପ୍ରକାଶ କରିଥିଲେ । ସେ କହିଲେ ଯେ ଆମକୁ ଆମ ପାଇଁ ନୁହେଁ, ବିଶ୍ୱ ପାଇଁ ବଂଚିବାକୁ ହେବ । ଭାରତ ବର୍ଷ ଏକ ସାଂସ୍କୃତିକ ରାଷ୍ଟ୍ର  ଅଟେ । ଋଷିମୁନୀ ଏବଂ ପୂର୍ବଜଙ୍କ ଦ୍ୱାରା  ପ୍ରଦତ ଏକ ଶ୍ରେଷ୍ଠ ବିଚାରଧାରା  ଆଧାରିତ ଏକ ସଂସ୍କୃତି, ପରମ୍ପରା ଏବଂ ଏହାର ଗୌରବଶାଳୀ ଇତିହାସ । ଇଶ୍ୱର ସବୁଠି ବିଦ୍ୟାମାନ ଏହା ହେଉଛି ଭାରତର ବିଚାର । ଇଶ୍ୱର ହିଁ ସର୍ବଶ୍ରେଷ୍ଠ । ଇଶ୍ୱର ହିଁ ଏ ବିଶ୍ୱର ନିର୍ମାତା । ସବୁ ପ୍ରାଣୀଙ୍କ ହିତ ପାଇଁ ଆମେ କାମ କରିବା ହେଉଛି ଭାରତୀୟ ଜୀବନ ବିଚାର । ତେଣୁ ସାପକୁ ଦୁଧ ପିଆଉ , ତୁଳସୀକୁ ପୂଜା କରୁ  ଓ ମହାନଦୀକୁ ମାଆ, ଗାଈକୁ ମାଆ, ମାଟିକୁ ମାଆ ବୋଲି ମାନୁ । ତେଣୁ ଏହି ମାତୃଭୂମିକୁ ରକ୍ଷା କରିବା ଆମର କର୍ତବ୍ୟ । ଏହି ଭାବନା ଯୋଗୁଁ ଏହି ମାଟିରେ ରହୁଥିବା ଅଧିବାସୀମାନଙ୍କର ସ୍ୱାଭିମାନ ଥିଲା । ଆମର ମାନବୀୟ ଜୀବନମୂଲ୍ୟ ଓ ଜ୍ଞାନ କାରଣରୁ ଆମେ ବିଶ୍ୱଗରୁ ପଦରେ ଅଧିଷ୍ଠିତ ଥିଲୁ ।  ଏ ଦେଶରେ ରହୁଥିବା ଅପାଠୁଆ,ବଣ ଜଙ୍ଗଲ,ପାହାଡରେ ରହୁଥିବା ଲୋକଙ୍କର ସେବା କରିବା ହେଉଛି ଆମର ଧର୍ମ । ଦେଶର ବିକାଶ ପାଇଁ ଆବଶ୍ୟକ ସ୍ୱାସ୍ଥ୍ୟ,ଶିକ୍ଷା ପାଇଁ କାମ କରିବା ଏକାନ୍ତ କାମ୍ୟ । ବିଶ୍ୱର ମଙ୍ଗଳ ପାଇଁ କାମ କରିବା ହେଉଛି ଆଜିର ସମାଜ ପାଇଁ ଆହ୍ୱାନ ବୋଲି ଡଃ. ରେଣୁଜୀ ପ୍ରକାଶ କରିଥିଲେ ।
ଏହି ପ୍ରଶିକ୍ଷଣ ଶିବିରରେ ୧୬ଟି ଜିଲ୍ଲାରୁ ୧୧୧ ଜଣ ଶିକ୍ଷାଥିନୀ,୯ ଜଣ ଶିକ୍ଷତ୍ରୀ ଓ ୧୫ଜଣ ପ୍ରବନ୍ଧିକା ସମେତ ୧୩୪ ଜଣ ଯୋଗ ଦେଇଥିଲେ । ଏହି ଶିକ୍ଷାଥିନୀମାନଙ୍କ ମଧ୍ୟରେ ୨୦ ଜଣ ଗୃହିଣୀ ମଧ୍ୟ ଥିଲେ । ଅଖିଳ ଭାରତୀୟ ଅଧିକାରୀ  ସୁନୀତା ଦିଦି,ଚନ୍ଦା ଦିଦି, ଦିପାଳୀ ଦିଦି,ଶରତ ରେଣୁ ଦିଦି ବିଭିନ୍ନ ସମୟରେ ଉପସ୍ଥିତ ରହି ଶାରିରୀକ, ବୌଦ୍ଧିକ, ତଥା ଦେଶ ପ୍ରେମ ମୂଳକ ଶିକ୍ଷା  ଆଦି ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ସମିତିର ପ୍ରାନ୍ତ ପ୍ରଚାରିକା ସୁଶ୍ରୀ ଲତିକା ପାଢୀ, ପ୍ରାନ୍ତ କାର୍ଯ୍ୟବାହିକା ଶ୍ରୀମତୀ ଆରତୀ ବୈଶାଖ,  ପ୍ରାନ୍ତ ବୌଦ୍ଧିକ ପ୍ରମୁଖ ଶ୍ରୀମତୀ ବୈଜୟନ୍ତୀ ମହାରଣା, ରାଉରକେଲା ବିଭାଗ କାର୍ଯ୍ୟବାହିକା ଶ୍ରୀମତୀ ସବିତା ତନ୍ତ୍ରୀ, ବ୍ୟବସ୍ଥା ପ୍ରମୁଖ ସୁଶ୍ରୀ ବବିତା ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିବା ସହ ସମସ୍ତ କାର୍ଯ୍ୟ ତଦାରଖ କରୁଥିଲେ ।  ଏଥି ସହିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କ୍ଷେତ୍ରକାର୍ଯ୍ୟବାହ ଶ୍ରୀ ଗୋପାଳ ପ୍ରସାଦ ମହାପାତ୍ର, ପ୍ରାନ୍ତ ସଂଘଚାଳକ ଶ୍ରୀ ସମୀର କୁମାର ମହାନ୍ତି, କଟକ ବିଭାଗ କାର୍ଯ୍ୟବାହ ଶ୍ରୀ ବିଶ୍ୱମ୍ବରନାଥ ପାଣି ପ୍ରମୁଖ ଉପସ୍ଥିତ ରହି ମାର୍ଗ ଦର୍ଶନ କରିଥିଲେ ।  ଭଉଣୀମାନେ ପ୍ରିତିଦିନ ପ୍ରାତଃ ୪ ଘଟିକାରୁ ଉଠି ନିତ୍ୟକ୍ରମ ସାରି ଶାରିରୀକ,ଯୋଗ, ବ୍ୟାୟ୍ୟାମ,ଦଣ୍ଡ, ନିୟୁଦ୍ଧ, ଯୋଗଚାପ ,ଘୋଷ ଆଦି ଶିକ୍ଷା ଗ୍ରହଣ କରିବା ସହିତ ଅଭ୍ୟାସ କରୁଥିଲେ । ମାନସିକ ବିକାଶ ନିମନ୍ତେ ଶ୍ଲୋକ, ସୁଭାଷିତ, ଅମୃତବଚନ, ଦେଶାତ୍ମବୋଧକ ସଂଗୀତ, ବୌଦ୍ଧିକ ଆଦି ବିଭିନ୍ନ ବିଷୟରେ ଶିକ୍ଷା ଗ୍ରହଣ କରିବା ସହିତ ଚର୍ଚ୍ଚାରେ ମଧ୍ୟ ଭାଗ ନେଉଥିଲେ । ରାତ୍ରୀ ସମୟରେ ବିଭିନ୍ନ ପ୍ରକାର ପ୍ରତିଯୋଗୀତା ଓ ପ୍ରଶ୍ନମଂଚୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ଗତ ୨୫ ତାରିଖ ଦିନ ସେବିକା ଭଉଣୀମାନେ ପୂର୍ଣ୍ଣ ଗଣବେଷରେ ଘୋଷବାଦ୍ୟ ସହ ନଗର ପରିକ୍ରମା କରିଥିଲେ । ଏହି ସମୟରେ ପଥ ମଧ୍ୟରେ ବିଭିନ୍ନ ସ୍ଥାନରେ ମା,ମାଉସୀ ଓ ଭଉଣୀମାନେ ସେମାନଙ୍କ ଉପରେ ପୁଷ୍ପ ବୃଷ୍ଟି କରି ସ୍ୱାଗତ କରୁଥିଲେ । ଅନେକ ସ୍ଥାନରେ ଗୁରୁ ଭଗବାଧ୍ୱଜକୁ ମଧ୍ୟ  ଫୁଲ,ଚନ୍ଦନ, ଧୂପ, ଦୀପ ନୈବେଦ୍ୟ ଦେଇ ବନ୍ଧାପନା କରିଥିଲେ ।  ଏହି ପଥ ସଂଚଳନ ମଧୁସୁଦନ ନଗର ପଡିଆରୁ ବାହାରି ବିଜୁ ପଟ୍ଟନାୟକ ଛକ, ଦେଉଳ ସାହି, ମଠ ସାହି ହୋଇ ତୁଳସୀପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପହଂଚିଥିଲା ।

Comments

  1. Real women empowerment driven towards patriotism

    ReplyDelete

Post a Comment