ଗାଈ ଆମର ସୃଷ୍ଟିର ଆଧାର : ଅଜିତ ପ୍ରସାଦ ମହାପାତ୍ର

ମୁଜାଫରନଗର: ଗାଈ ଆମର ସୃଷ୍ଟିର ଆଧାର ।  ପ୍ରକୃତିର ପଂଚତତ୍ୱ ଉପଚାର ଗୋମୂତ୍ର ଦ୍ୱାରା ସମ୍ଭବ । ବିଦେଶୀ ଷଡଯନ୍ତ୍ର କାରଣରୁ ଆମେ ଆମ ସଂସ୍କୃତିକୁ ଭୁଲିବା ସହିତ ଗୋ ସମ୍ବର୍ଦ୍ଧନ ଏବଂ  କ୍ଷେତରେ ଗାଈର ଗୋବର ଏବଂ ଗୋମୂତ୍ରର ଉପଯୋଗ କରୁନାହୁଁ । ଯଦି ଏପରି  କାର୍ଯ୍ୟକୁ ବନ୍ଦ ନକରାଯାଏ ତେବେ ଭାରତୀୟ ସଂରଚନା ବିଗିଡି ଯିବ । ତେଣୁ ଆମକୁ କୃଷି କ୍ଷେତ୍ରରେ  ଗାଈର ଗୋବର ଏବଂ ଗୋମୂତ୍ରର ଉପଯୋଗ କରିବାକୁ ହେବ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ଗୋ ସେବା ସହ ପ୍ରମୁଖ ଶ୍ରୀ ଅଜିତ ପ୍ରସାଦ ମହାପାତ୍ର  ପ୍ରକାଶ କରିଛନ୍ତି ।
ସ୍ଥାନୀୟ ବୃନ୍ଦାବନ ଗାର୍ଡେନରେ ଆୟୋଜିତ ଗୋ ସେବା ସଂଗମ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ରୂପେ ଯୋଗଦେଇ ଏହା ପ୍ରକାଶ କରିବା ସହିତ କହିଲେ ଯେ, ବିଦେଶୀମାନେ ନିଜର ଲାଭ ପାଇଁ ବିଭିନ୍ନ ପ୍ରକାର ଷଡଯନ୍ତ୍ର ମାଧ୍ୟମରେ ଭାରତର ଭୂମି, ପର୍ଯ୍ୟାବରଣ ଏବଂ ପ୍ରକୃତିକୁ ବିଶାକ୍ତ କରିଦେଇଛନ୍ତି । ଏହି ଷଡଯନ୍ତ୍ର ମାଧ୍ୟମରେ ଦେଶର ଉର୍ବର ଭୂମିରେ ୟୁରିଆ ଆଦି ବିଭିନ୍ନ ପ୍ରକାର ସାର, କିଟନାଶକ ଦ୍ରବ୍ୟ ଏବଂ ବିଶାକ୍ତ କେମିକାଲ  କ୍ଷେତରେ ପ୍ରୟୋଗ କରାଯାଉଛି । ଯାହା ଫଳରେ ଆମକୁ ବିଶାକ୍ତ ଅନ୍ନ ଏବଂ ଭୋଜନ ମିଳୁଛି । ଏହି କାରଣରୁ  ଗମ୍ଭୀର ବେମାରୀ ବୃଦ୍ଧି ପାଉଛି । ଏହାକୁ ରୋକିବା ପାଇଁ ଗୋ ସମ୍ବର୍ଦ୍ଧନ  ଏବଂ କ୍ଷେତରେ ଗାଈର ଗୋବର ଓ ଗୋମୂତ୍ରର ପ୍ରୟୋଗକୁ ବୃଦ୍ଧିକରିବା ଆବଶ୍ୟକ ।
ସେ କହିଲେ ଯେ ପ୍ରାଚୀନ ଯୁଗରେ ସାଧାରଣ ଜନତା ଏବଂ କୃଷକ  ଗୋମୂତ୍ର ଓ ଗୋବରର ଉପଯୋଗ ବିଷୟରେ ଭଲଭାବରେ ପରିଚିତ ଥିଲେ । ପେଷ୍ଟିସାଇଡ୍ସ ଆଧାରିତ କୃଷି ଅପେକ୍ଷା ଗୋ ଆଧାରିତ କୃଷି ଦଶଗୁଣା କମ୍ ଖର୍ଚ୍ଚ ହେବ ବୋଲି ଶ୍ରା ମହାପାତ୍ର ପ୍ରକାଶ କରିଥିଲେ ।
ଶୁକ୍ରତୀର୍ଥ ସ୍ଥିତ ଗୌଡିୟ ମଠର ସ୍ୱାମୀ ଭକ୍ତି ଭୂଷଣ  ଗୋବିନ୍ଦ ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯକ୍ରମରେ  ମହର୍ଷି ପତଞ୍ଜଳୀ ଅନ୍ତରାଷ୍ଟ୍ରୀୟ ଯୋଗ ବିଦ୍ୟାପୀଠର ସ୍ୱାମୀ କର୍ମବୀର ମହାରାଜ ମୁଖ୍ୟ ଅତିଥିରୂପେ ଯୋଗ ଦେଇଥିଲେ । 

Comments