ପ୍ରବାସୀ ଶ୍ରମିକଙ୍କ ସେବାରେ ୟୁବିଏସ୍‌ଏସ୍‌



ଭୁବନେଶ୍ୱର,୧୭ / ୫ : କେନ୍ଦ୍ର ସରକାର ଅନେକ ଆର୍ଥିକ ପ୍ୟାକେଜ ଘୋଷଣା କରିବା ସତ୍ୱେ ପ୍ରବାସୀ ମାନେ ନିଜ ରାଜ୍ୟକୁ ଯେନତେନ ପ୍ରକାରେଣ ଜିବା ପାଇଁ ପଣ କରିଛନ୍ତି । କାରଣ କଳକାରଖାନା କେବେ ଖୋଲିବ ସେଥିନେଇ ସେମାନଙ୍କ ମନରେ ଅନିଶ୍ଚିତତା ଲାଗି ରହିଛି । ଏଥିରେ ଅନେକ ବିପଦ ଅଛି ଜାଣି ସୁଦ୍ଧା ସରକାରଙ୍କ ସ୍ୱତନ୍ତ୍ର ଟ୍ରେନକୁ ଅପେକ୍ଷା ନକରି ସେମାନେ ନିଜ ବ୍ୟବସ୍ଥାରେ ବିଭିନ୍ନ ପ୍ରକାର ଗାଡିରେ ବିପଦଜନକ ଭାବେ ଯାଉଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଚାଲି ଚାଲି ଶହ ଶହ କିଲୋମିଟର ମଧ୍ୟ ଯାଉଛନ୍ତି ।  ସେହି ପ୍ରବାସୀ ଶ୍ରମିକଙ୍କ ଦୁଃଖଦ ଯାତ୍ରାରେ ସେମାନଙ୍କୁ ସହାୟତା କରିବା ପାଇଁ ଆଗେଇ ଆସିଛି ଉତ୍କଳ ବିପନ୍ନ ସହାୟତା ସମିତି ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତତ୍ୱାବଧାନରେ ଉତ୍କଳ ବିପନ୍ନ ସହାୟତା ସମିତି ସହଯୋଗରେ ଭୁବନେଶ୍ୱରର ତିନୋଟି   ସ୍ଥାନ ନଖରା, ହଂସପାଳ ଓ ବରମୁଣ୍ଡା ଠାରେ ସହାୟତା ଶିବିର କାମ କରୁଅଛି । ଚାଲି ଚାଲି ଯାଉଥିବା ପ୍ରବାସୀମାନଙ୍କୁ ପାଣି, ସୁଖିଲା ଖାଦ୍ୟ, ସାନିଟାଇଜର, ମାସ୍କ ଆଦି ଦେବା ସହିତ ସ୍ଥାନୀୟ ପ୍ରଶାସନଙ୍କୁ  ସେମାନଙ୍କ ବିଷୟ ଜଣାଇ ଦିଆଯାଉଛି । ପ୍ରଶାସନ ଖବର ପାଇବା ପରେ ସେମାନଙ୍କୁ ଗାଡି ଯୋଗ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ପଠାଉଛନ୍ତି । ଆଜି ଆମର ହସ୍ତଗତ ହୋଇଥିବା ଖବର ଅନୁସାରେ ୨୫ରୁ ଉର୍ଦ୍ଧ୍ୱ ପ୍ରବାସୀଙ୍କୁ ବରମୁଣ୍ଡା ଶିବିରରେ ଏହି ସବୁ ସେବା ଯୋଗାଇ ଦିଆଯାଇଛି ।

କେବଳ ଭୁବନେଶ୍ୱରର ନୁହେଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକମାନେ ଖୋର୍ଦ୍ଧା, ବାଲେଶ୍ୱର ରେଲୱେଷ୍ଟେସନ ଆଦି ସ୍ଥାନରେ ପ୍ରବାସୀମାନଙ୍କ ସେବାରେ ନିୟୋଜିତ ଅଛନ୍ତି ।

Comments