ଭୁବନେଶ୍ୱର, ୨୮ ।୫ : କେନ୍ଦ୍ର ଶକ୍ତି, ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର କାର୍ଯ୍ୟକାରିତା, ସଂଶୋଧିତ ଶୁଳ୍କ ନୀତି ତଥା ବିଦ୍ୟୁତ୍ ସଂଶୋଧନ ବିଲ୍ ୨୦୨୦ ଦ୍ୱାରା ଉପୁଜୁଥିବା ସମସ୍ୟାର ସମାଧାନ ନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖାଉଟି ମାନଙ୍କର ହିତକୁ ଧ୍ୟାନରେ ରଖି କାର୍ଯ୍ୟ ଦକ୍ଷତା ବୃଦ୍ଧି ସହ ଶକ୍ତି କ୍ଷେତ୍ରରେ ଆର୍ଥିକ ସ୍ଥାୟିତ୍ୱ ଉପରେ ଗୁରୁତ୍ୱ ଦେଇଛନ୍ତି । ସେ କହିଛନ୍ତି, ଶକ୍ତି କ୍ଷେତ୍ରରେ ବିଦ୍ୟୁତ୍ ବଣ୍ଟନକୁ ନେଇ ଉପୁଜିଥିବା ସମସ୍ୟା ବିଭିନ୍ନ ଅଂଚଳ ଓ ରାଜ୍ୟରେ ଅଲଗା । ସେ ଦୃଷ୍ଟିରୁ ସମସ୍ୟାର ଏକୀକୃତ ସମାଧାନ ନକରି ରାଜ୍ୟ ଗୁଡିକର ଆବଶ୍ୟକତା ଅନୁସାରେ ସମସ୍ୟାର ସମାଧାନ କରିବା ସହ ଦକ୍ଷତା ବୃଦ୍ଧି କରାଯିବା ଆବଶ୍ୟକ । ଡିସ୍କମ୍ ଯେପରି ତାହାର କାର୍ଯ୍ୟଶୈଳୀ ସମ୍ପର୍କରେ ସମୟାନୁସାରେ ଲୋକମାନଙ୍କୁ କରାଇବ ତାହା ସୁନିଶ୍ଚିତ କରିବାପାଇଁ ସେ ଶକ୍ତି ମନ୍ତ୍ରଣାଳୟକୁ ପରାମର୍ଶ ଦେଇଛନ୍ତି । ସେ ଶକ୍ତି କ୍ଷେତ୍ରରେ ବ୍ୟବହୃତ ଯନ୍ତ୍ରପାତି ସ୍ୱଦେଶୀ ହେବା ଉପରେ ଗୁରୁତ୍ୱାରୋପ କରିଛନ୍ତି । କୃଷି କ୍ଷେତ୍ରରେ ନୂତନ ଓ ଅକ୍ଷୟ ଶକ୍ତିର ପ୍ରୟୋଗ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । କୃଷି କ୍ଷେତ୍ରର ସୌରଚାଳିତ ପମ୍ପଠାରୁ ଆରମ୍ଭ କରି ଶୀତଳ ଭଣ୍ଡାରଗୁଡିକୁ ସୌରଚାଳଚିତ କରିବା ଉପରେ ସେ ଜୋର ଦେଇଛନ୍ତି । ସେ ପ୍ରତ୍ୟେକ ରାଜ୍ୟର ରାଜଧାନୀ ଅଥବା ପର୍ଯ୍ୟଟନ ସ୍ଥଳୀକୁ ସଂପୂର୍ଣ୍ଣ ସୌରଶକ୍ତି ପରିଚାଳିତ ନଗରୀରେ ପରିଣତ କରିବା ଉପରେ ଗୁରୁତ୍ୱରୋପ କରିଛନ୍ତି । ଛାତ ଉପରେ ସୋଲାର ପ୍ୟାନେଲମାନ ବସାଇ ସୌର ଶକ୍ତି ଅହରଣ କରାଯାଇପାରିବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଲଦାଖକୁ କାର୍ବନ ବିହୀନ କରିବାପାଇଁ ଯୋଜନା ତ୍ୱରାନ୍ୱିତ କରିବା ସହ ସୌର ଓ ପବନ ଚାଳିତ ଶକ୍ତିର ଉପଯୋଗ କରି ଉପକୂଳ ଅଂଚଳରେ ପାନୀୟ ଜଳ ଉପଲବ୍ଧ କରାଇବା ପାଇଁ ପରାମର୍ଶ ଦେଇଛନ୍ତି ।
Comments
Post a Comment