ଆତ୍ମନିର୍ଭର ଭାରତର ଅର୍ଥ ଆତ୍ମକୈନ୍ଦ୍ରିକ ନୁହେଁ ବରଂ ଏକ ଆତ୍ମବିଶ୍ୱାସୀ, ଆତ୍ମନିର୍ଭରଶୀଳ ଓ କଲ୍ୟାଣକାରୀ ରାଷ୍ଟ୍ରର ପ୍ରତୀକ : ଶ୍ରୀ ଗୋୟଲ

ନୂଆଦିଲ୍ଲୀ, ୨୮/୫  : କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ ଆଜି ଭିଡିଓ କନଫରେନ୍ସ ଜରିଆରେ ଶିଳ୍ପ ଓ ବାଣିଜ୍ୟ ସଂଘର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି । ଲକଡାଉନ ପରେ ଏଭଳି ସଂଘ ସହିତ ଏହା ହେଉଛି ମନ୍ତ୍ରୀଙ୍କର ପଂଚମ ବୈଠକ । କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଜାରି ହୋଇଥିବା ଲକଡାଉନ ଏବଂ ଏହାପରେ କେତେକ କାର୍ଯ୍ୟକଳାପ ପାଇଁ କଟକଣାକୁ କୋହଳ କରିବା ସଂକ୍ରାନ୍ତରେ ଏହି ବୈଠକରେ ଆଲୋଚନା କରାଯିବା ସହିତ ଅର୍ଥବ୍ୟବସ୍ଥାକୁ ଟ୍ରାକକୁ ଫେରାଇ ଆଣିବା ଲାଗି ସେମାନଙ୍କ ପରାମର୍ଶ ଗ୍ରହଣ କରାଯାଇଥିଲା । ଏହି ବୈଠକରେ ବାଣିଜ୍ୟ ଓ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସୋମ ପ୍ରକାଶ ଏବଂ ଶ୍ରୀ ଏଚ.ଏସ ପୁରୀ ତଥା ମନ୍ତ୍ରଣାଳୟର ବହୁ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ସିଆଇଆଇ, ଫିକ୍କି, ଆସୋଚାମ, ନାସକମ, ପିଏଚଡିସିଆଇ, ସିଏଆଇଟି, ଫିସମି, ଲଘୁ ଉଦ୍ୟୋଗ ଭାରତୀ, ସିଆମ, ଏସିଏମଏ, ଆଇଏମଟିଏମଏ, ଏସଆଇସିସିଆଇ, ଏଫଏଏମଟି, ଆଇସିସି ଏବଂ ଆଇଇଇଏମଏର ଭଳି ସଂଘର ପ୍ରତିନିଧିମାନେ ବୈଠକରେ ଯୋଗ ଦେଇଥିଲେ । ପ୍ରତିନିଧିମାନଙ୍କୁ ଉଦବୋଧନ ଦେଇ ଶ୍ରୀ ଗୋୟଲ କହିଥିଲେ ଯେ ଭବିଷ୍ୟତ ପାଇଁ ଆମ ନିକଟରେ ଯଥେଷ୍ଟ ବିକଳ୍ପ ରହିଛି । କୋଭିଡ ପରବର୍ତ୍ତୀ ସମୟରେ ଉନ୍ନତ ଉପାୟ, ଦୃଢ଼ କାର୍ଯ୍ୟାନ୍ୱୟନ ଯୋଜନା ଏବଂ ଭାରତକୁ ବିଶ୍ୱଶକ୍ତିରେ ପରିଣତ କରିବା ଲାଗି ଆମେ ପ୍ରସ୍ତୁତ ରହିବା ତଥା କାର୍ଯ୍ୟ କରିବା ଉଚିତ । ପ୍ରଧାନମନ୍ତ୍ରୀଙ୍କ ‘ଜାନ ଭି, ଜାହାଁନ ଭି’ ଆହ୍ୱାନ ବିଷୟରେ ଆଲୋଚନା କରି ମନ୍ତ୍ରୀ କହିଥିଲେ ଯେ ଅର୍ଥବ୍ୟବସ୍ଥାର ଖରାପ ସମୟ ଅତିବାହିତ ହୋଇସାରିଛି । ଭାରତ ସରକାରଙ୍କ ଦ୍ୱାରା ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଦେଶର ଅର୍ଥବ୍ୟବସ୍ଥାର ସୁଧାର କ୍ଷେତ୍ରରେ ସହାୟକ ହୋଇପାରିବ । ମନ୍ତ୍ରୀ କହିଥିଲେ ଯେ ଆତ୍ମନିର୍ଭର ଭାରତର ଅର୍ଥ ଆତ୍ମକୈନ୍ଦ୍ରିକ କିମ୍ବା ବିଦେଶୀବିରୋଧୀ ନୁହେଁ । ବରଂ ଏହା ଆତ୍ମବିଶ୍ୱାସୀ, ଆତ୍ମନିର୍ଭରଶୀଳ ଓ କଲ୍ୟାଣକାରୀ ରାଷ୍ଟ୍ରର ପ୍ରତୀକ ଯାହା ସମାଜର ପ୍ରତ୍ୟେକ ବର୍ଗଙ୍କ କଲ୍ୟାଣ ବିଷୟରେ ଧ୍ୟାନ ଦେବ ଏବଂ ଦେଶର ସବୁ ଭାଗର ବିକାଶ କରିବ । ସେ କହିଥିଲେ ଯେ ଆତ୍ମନିର୍ଭର ଭାରତ ଭାରତର ୧୩୦ କୋଟି ନାଗରିକଙ୍କ ମଧ୍ୟରେ ଏକତାର ଭାବନା ଜାଗ୍ରତ କରିବ । ଏହାର ଭାରତୀୟ କମ୍ପାନୀକୁ ସହଯୋଗ କରିବ । ଆମ ଦେଶ ନିକଟରେ ବୈଷୟିକ ଶକ୍ତି ଏବଂ ଦକ୍ଷ ମାନବ ସମ୍ବଳ ରହିଛି । ତଥାପି କେତେକ କ୍ଷେତ୍ରରେ ପରିବର୍ତ୍ତନର ଆବଶ୍ୟକତା ରହିଛି । ଏହି ଦିଗରେ ପ୍ରୟାସ କରିବା ଏବଂ ଦୀର୍ଘସ୍ଥାୟୀ ଓ ଅଭିନବ ଉପାୟ ବିଷୟରେ ଚିନ୍ତା କରିବା ଲାଗି ଉଦ୍ୟୋଗ ଜଗତକୁ ଶ୍ରୀ ଗୋୟଲ ଉଦ୍ୟୋଗଜଗତକୁ ଆହ୍ୱାନ କରିଥିଲେ । ସେ କହିଥିଲେ ଯେ କୋଭିଡ-୧୯ ବିରୋଧରେ ସରକାର ଏକାକୀ ଲଢ଼ିପାରିବେ ନାହିଁ, ଏହା ସାରା ଦେଶର ଲଢେ଼ଇ ଏବଂ ସମସ୍ତ ଅଂଶୀଦାରମାନେ ଏଥିରେ ସକାରାତ୍ମକ ଭୂମିକା ଗ୍ରହଣ କରିବା ଉଚିତ । ସଂଘ ପକ୍ଷରୁ ଦିଆଯାଇଥିବା ପରାମର୍ଶକୁ ଅନୁଧ୍ୟାନ କରାଯିବ ଏବଂ ଠିକ ସମୟରେ ଯୁକ୍ତିଯୁକ୍ତ ଏବଂ ଯଥାର୍ଥଦାବିଗୁଡ଼ିକୁ ପୂରଣ କରାଯିବ ।

Comments