ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଆଶା ସାଥୀ ସଂଘ ପକ୍ଷରୁ ଦାବିପତ୍ର



କଟକ : ମହାମାରୀ କରୋନା ସମୟରେ ଆଶା ସାଥୀମାନେ ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟ କରୁଥିଲାବେଳେ ବର୍ତମାନ ସେମାନଙ୍କ ପ୍ରତି ରାଜ୍ୟ ସରକାର ଅବହେଳା କରୁଛନ୍ତି । ସାରା ଦେଶରେ ୪୧ ହଜାର ୪୦୫ ଜଣ ଆଶା ଫେସିଲେଟର୍ସ (ଆଶା ସାଥୀ) କାମ କରୁଥିଲାବେଳେ ବର୍ତମାନ ଆମ ରାଜ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ ୨୩ଟି ଜିଲ୍ଲାରେ ୭୧୭ ଜଣ ଆଶା ସାଥୀ କାର୍ଯ୍ୟ କରୁଛନ୍ତି । ସାରା ଦେଶରେ କାର୍ଯ୍ୟରତ ଆଶା ଫେସିଲେଟର୍ସ (ଆଶା ସାଥୀ)ମାନଙ୍କୁ ମାସିକ ୬ ହଜାର ଟଙ୍କା ପ୍ରଦାନ କରୁଥିଲାବେଳେ ଓଡ଼ିଶା ରାଜ୍ୟରେ ମାତ୍ର ୩୦୦୦ ଟଙ୍କା ପ୍ରଦାନ କରାଯାଉଛି । କେନ୍ଦ୍ର ସରକାର ଗତ ତା.୨୪.୧୦.୨୦୧୮ରିଖ କ୍ୟାବିନେଟ୍‌ରେ ନିଷ୍ପତି ନେଇ ଆଶା ସାଥୀମାନଙ୍କର ୬ ହଜାର ଟଙ୍କା ଘୋଷଣା କରିଥିଲେ । ତା\' ସହିତ ଭାରତର ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା ଯାହାର ଫଳରେ ଆଶା ସାଥୀମାନେ ଏହି ଯୋଜନା ମାଧ୍ୟମରେ ଦୁର୍ଘଟଣାଜନିତ ଓ ମୃତ୍ୟୁକାଳୀନ ରାଶି ପାଇପାରିବେ । ଆଶା ସାଥୀମାନଙ୍କର ପ୍ରିମିୟମ୍ ଦେୟ କେନ୍ଦ୍ର ସରକାର ବହନ କରିବେ । ଦୁଃଖର ବିଷୟ, ରାଜ୍ୟ ସରକାର ଠିକ୍ ରୂପେ କାର୍ଯ୍ୟକାରୀ କରୁ ନାହାନ୍ତି । ଠିକ୍ ସେହିପରି ଆଶା ସାଥୀମାନଙ୍କ ପାଇଁ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ କରିପାରିବେ । ଅନ୍ୟାନ୍ୟ ରାଜ୍ୟରେ ଏହା ଲାଗୁ ହେବା ଯୋଗୁ ସେମାନେ ସମସ୍ତ ସୁବିଧା ପାଉଥିଲାବେଳେ ଓଡ଼ିଶା ରାଜ୍ୟରେ ତାହା କାର୍ଯ୍ୟକାରୀ ହେଉନାହିଁ । ଯାହାଫଳରେ ଆଶା ସାଥୀମାନେ ବିଭିନ୍ନ ରୋଗରେ ପଡ଼ି ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରୁଛନ୍ତି । ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ଆଶା ସାଥୀ ସଂଘ ତରଫରୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ମାନନୀୟା ନିର୍ଦ୍ଦେଶିକା, ଜାତୀୟ ସ୍ୱାସ୍ଥ୍ୟ ମିଶନ ଓଡ଼ିଶାଙ୍କୁ ୮ ଦଫା ଦାବୀପତ୍ର ପ୍ରଦାନ କରାଯାଇଅଛି । ଦାବୀଗୁଡ଼ିକ ମଧ୍ୟରେ - ଆଶା ସାଥୀମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରାଯିବା, କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ୬୦୦୦ ଟଙ୍କା ପ୍ରଦାନ କରାଯିବା, ଆଶା ସାଥୀମାନଙ୍କର ୟୁନିଫର୍ମ ଲାଗୁ କରାଯିବା, ଆଶା ସାଥୀମାନଙ୍କୁ କାର୍ଯ୍ୟ ଦକ୍ଷତା କରିବାପାଇଁ ଟ୍ରେନିଂ ଦିଆଯିବା, ୧୩ ବର୍ଷ ଧରି ଆଶା ଓ ଆଶା ସାଥୀ ଭାବେ କାର୍ଯ୍ୟ କରି ଆସୁଥିବାରୁ ସେମାନଙ୍କୁ ଇନ୍‌ସୁରାନ୍ସ ଏବଂ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରାଯିବା, ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା କାର୍ଯ୍ୟକାରୀ କରାଯିବା, ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଆୟୁଷ୍ମାନ ଭାରତ ଚିକିତ୍ସା ବିମାକୁ ଆଶା ସାଥୀମାନଙ୍କ ପାଇଁ ଲାଗୁ କରାଯିବା, ମହାମାରୀ କରୋନା ସମୟରେ କାର୍ଯ୍ୟ କରୁଥିବା ଆଶା ସାଥୀମାନଙ୍କୁ ପ୍ରୋତ୍ସାହନ ରାଶି ଓ ସୁରକ୍ଷା ଯୋଗାଇ ଦିଆଯିବା ପ୍ରମୁଖ ଅଟେ । ଓଡ଼ିଶା ରାଜ୍ୟ ଆଶା ସାଥୀ ସଂଘ କଟକ ଜିଲ୍ଲା ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଆଶା ସାଥୀ ସଂଘ ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ସୁମତୀ ଆଚାର୍ଯ୍ୟ, କଟକ ଜିଲ୍ଲା ସଭାନେତ୍ରୀ ନିରୋଦ ନଳିନୀ ରାଉତ, ଉପସଭାନେତ୍ରୀ ଗୀତାଳି ମହାରଣା, ସମ୍ପାଦିକା ସୁଜାତା ସାହୁ, କୋଷାଧ୍ୟକ୍ଷା ସୁମିତ୍ରା ବେହେରା ଏବଂ ଭାରତୀୟ ମଜଦୁର ସଂଘ ରାଜ୍ୟ ଅସଂଗଠିତ କ୍ଷେତ୍ର ପ୍ରମୁଖ ବସନ୍ତ କୁମାର ସାହୁ, କଟକ ଜିଲ୍ଲା ସମ୍ପାଦକ ଭାଗୀରଥି ବେହେରା ପ୍ରମୁଖ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ।


Comments