ଶିକ୍ଷା ବିକାଶ ସମିତି ମଧ୍ୟସମ୍ଭାଗ ସ୍ତରୀୟ ଅନ୍‌ଲାଇନ୍ ବୈଠକ



ତାଳଚେର : ଶିକ୍ଷା ବିକାଶ ସମିତି,ଓଡିଶା ମଧ୍ୟସମ୍ଭାଗର ସମ୍ଭାଗସ୍ତରୀୟ ସମ୍ପାଦକମାନଙ୍କର ଏକ ଅନ୍‌ଲାଇନ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୭୯ଟି ଶିଶୁ ମନ୍ଦିରର ସମ୍ପାଦକ ଓ ୧୦ଟି ସଙ୍କୁଳର ସଙ୍କୁଳପ୍ରମୁଖ ଯୋଗ ଦେଇଥିଲେ । ମଧ୍ୟସମ୍ଭାଗ ସଂଯୋଜକ କିଶୋର କୁମାର ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିଚାଳନା ସମିତିର ସଭାପତି ବନବିହାରୀ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଅତିଥି ଭାବରେ ଶିକ୍ଷା ବିକାଶ ସମିତି,ଓଡିଶାର ସମ୍ପାଦକ ଡା.ଲକ୍ଷ୍ମୀଧର ମହାରଣା, ପ୍ରାନ୍ତ ସଙ୍ଗଠନ ମନ୍ତ୍ରୀ ରମାକାନ୍ତ ମହାନ୍ତ,ଶିକ୍ଷାବିକାଶ ସମିତି,ଓଡିଶାଙ୍କ ଯୁଗ୍ମ ସମ୍ପାଦକ ହେମନ୍ତ ପାଣିଗ୍ରାହୀ, ମଧ୍ୟ ସମ୍ଭାଗ କୋଷାଧ୍ୟକ୍ଷ ଲୋକନାଥ ସାମନ୍ତ, ସଦସ୍ୟା ସୁଶ୍ରୀ ଗୁଣ୍ଡିଚାରାଣୀ ଖୁଣ୍ଟିଆ, ସ୍ୱଚ୍ଛସଲିଳା ମହାପାତ୍ର, ବିଦ୍ୟାଭାରତୀଙ୍କ ମନ୍ତ୍ରୀ ଡ. କିଶୋର ଚନ୍ଦ୍ର ମହାନ୍ତି, ଢେଙ୍କାନାଳ ବିଭାଗ ପ୍ରମୁଖ ଶଶୀଭୂଷଣ ବେହେରା, ଅନୁଗୋଳ ବିଭାଗ ପ୍ରମୁଖ ପରେଶ ଚନ୍ଦ୍ର ପଟ୍ଟନାୟକ, ପ୍ରାନ୍ତ ଶାରୀରିକ ଶିକ୍ଷା ପ୍ରମୁଖ ବଳରାମ ସାହୁ,ମଧ୍ୟ ସମ୍ଭାଗ ଶିଶୁ ବାଟିକା ପ୍ରମୁଖ ପବିତ୍ର କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ସଂଯୋଜକ କିଶୋର କୁମାର ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହାପରେ ଚଳିତ ବର୍ଷ ଦିବଙ୍ଗତ ଆଚାର୍ଯ୍ୟ, ଆଚାର୍ଯ୍ୟା, କର୍ମକର୍ତା ଓ ଭାରତବର୍ଷର ଅନ୍ୟାନ୍ୟ କାର୍ଯ୍ୟକର୍ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ଅନୁଗୋଳ ବିଭାଗ ପ୍ରମୁଖ ପରେଶ ଚନ୍ଦ୍ର ପଟ୍ଟନାୟକ ଜାତୀୟ ଶିକ୍ଷାନୀତି ଉପରେ ଆଲୋକପାତ କରିଥିଲେ । ଏହାପରେ ଯୁଗ୍ମ ସମ୍ପାଦକ ହେମନ୍ତ ପାଣିଗ୍ରାହୀ ମହାମାରୀ କୋରୋନାର ପ୍ରଭାବରେ ସମସ୍ତ ବିଦ୍ୟାଳୟ ଗୁଡିକ ବନ୍ଦ ଥିବାବେଳେ ଅନଲାଇନ୍ ପାଠପଢା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାପ୍ରଦାନ କରିବାକୁ ଗୁରୁତ୍ୱାରୋପ କରିଥିଲେ । ପ୍ରାନ୍ତ ସଙ୍ଗଠନ ମନ୍ତ୍ରୀ ରମାକାନ୍ତ ମହାନ୍ତ କୋରୋନା ଯୋଗୁଁ ବିଦ୍ୟାଳୟଗୁଡିକର ଆର୍ଥିକ ସ୍ଥିତି ପ୍ରଭାବିତ ହୋଇଥିବା ବେଳେ ଛାତ୍ରଛାତ୍ରୀମାନଙ୍କର ଶିକ୍ଷାଦାନ ମଧ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇଛି । ଏଭଳି ଅଭାବନୀୟ ପରିସ୍ଥିତିରେ ସମ୍ପାଦକମାନେ ଅଭିଭାବକ ଓ ସଙ୍ଗଠନ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରିବାକୁ ସେ ଉପସ୍ଥିତ ସମ୍ପାଦକମାନଙ୍କୁ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଢେଙ୍କାନାଳ ବିଭାଗ ନିରୀକ୍ଷକ ସୁଧୀର କୁମାର ନାୟକ ପରିଚାଳନା କରିଥିବା ବେଳେ ଅନୁଗୋଳ ବିଭାଗ ନିରୀକ୍ଷକ ବିଜନ କୁମାର ଜେନା ଶାନ୍ତିମନ୍ତ୍ର ପାଠ କରିଥିଲେ । ଶେଷରେ ଶଶୀଭୂଷଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।


Comments